କରୋନା କଟକଣା ଭିତରେ କମିବ ପାଠ୍ୟକ୍ରମ: ଦଶମରୁ ଦ୍ୱାଦଶ ଯାଏଁ ୨୫ରୁ ୩୦% କମିବ ପାଠ୍ୟ ଖସଡା; ସିବିଏସଇ ଓ ଆଇସିଏସଇ ସିଲାବସ୍ କମାଇବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଯୋଜନା

1,552

କନକ ବ୍ୟୁରୋ: କରୋନା କଟକଣା ଭିତରେ କେମିତି ହେବ ପିଲାଙ୍କ ପାଠପଢା, ତାକୁ ନେଇ ଚିନ୍ତାରେ ଶିକ୍ଷା ବିଭାଗ । ସ୍କୁଲ, କଲେଜ ବନ୍ଦ ଯୋଗୁଁ ପାଠପଢା ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ପ୍ରାୟ ୨ ମାସ ବିଳମ୍ବରେ ଚାଲିଛି ପିଲାଙ୍କ ପାଠପଢା । କାରଣ ଏପର୍ଯ୍ୟନ୍ତ ନୂଆ ଶିକ୍ଷାବର୍ଷ ପାଇଁ ପିଲାଙ୍କ ନାମଲେଖା ସହିତ ପାଠପଢା ଆରମ୍ଭ ହୋଇଯିବା କଥା । ହେଲେ ବିଶ୍ୱ ମହାମାରୀ କରୋନା ବାପୁଥିବାରୁ ତାଲାବନ୍ଦ ଭଳି ପରିସ୍ଥିତି ଆଉ କେତେଦିନ ରହିବ, ତାହା କହିବା ମୁସ୍କିଲ । ଏଭଳି ପରିସ୍ଥିତିରେ ୨୦୨୦-୨୧ ଶିକ୍ଷାବର୍ଷର ପାଠ୍ୟକ୍ରମକୁ କମାଇ ଦେବାପାଇଁ ଚିନ୍ତା କରୁଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ।

ଏକ ୭ ଜଣିଆ କମିଟି କରି ନୂତନ ଶିକ୍ଷାବର୍ଷର ରୂପରେଖ ପ୍ରସ୍ତୁତ କରିବା ସହ ସିଲାବସ ବା ପାଠ୍ୟକ୍ରମକୁ ସଂକ୍ଷିପ୍ତ କରିବା ପାଇଁ ନିଷ୍ପତି ନିଆଯିବ । ସିବିଏସଇ ଓ ଆଇସିଏସଇ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକରେ ପାଠ୍ୟ ଖସଡାକୁ ପରିବର୍ତନ କରିବା ପାଇଁ ଆଲୋଚନା ଚାଲିଛି । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସରେ ପରିବର୍ତନ କରିବାକୁ ଯୋଜନା ହୋଇଛି । ଏପରିକି ପାଠ୍ୟକ୍ରମକୁ ୨୫ରୁ ୩୦ ପ୍ରତିଶତ କମାଇ ଦେବା ପାଇଁ ସ୍ଥିର ହୋଇଛି । ତେବେ କେଉଁ ବିଷୟ ପାଇଁ ଏହି ନିଷ୍ପତି ନିଆଯିବ ତାହା କମିଟି ସ୍ଥିର କରିବ ବୋଲି ସୂଚନା ମିଳିଛି ।