ଦୁର୍ଘଟଣାର ସାଂଘାତିକ ଚିତ୍ର ! ଶୋଇପଡିଲେ ଡ୍ରାଇଭର, ରାସ୍ତାରୁ ୨୦ ଫୁଟ୍ ଉପରକୁ ଉଡିଲା ବିଏମଡବ୍ଲୁ କାର୍ ।

612

ଦୁର୍ଘଟଣାର ସାଂଘାତିକ ଚିତ୍ର । ଆକାଶରେ ଉଡିଲା ବିଏମଡବ୍ଲୁ କାର । ହୁଏତ ଆପଣଙ୍କୁ ଏହା ମିଛ ଲାଗୁଥିବ । କିନ୍ତୁ ବିଏମଡବ୍ଲୁ କାରର ଏପରି ଏକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବିଏମଡବ୍ଲୁ କାର ରୋଡ ବେରିୟର ସହ ଧକ୍କା ହୋଇ ଏକ ସୁଡଙ୍ଗ ଉପରକୁ ଉଡି ଉଡି ଯାଉଛି । ଏବଂ ସୁଡଙ୍ଗ ଛାତରେ କାରଟି ପହଞ୍ଚିଛି । ଏହି ଭିଡିଓକୁ ସ୍ଲୋଭାକିଆ ପୋଲିସ ପକ୍ଷରୁ ଜାରି କରାଯାଇଛି ।

ତେବେ ସବୁଠାରୁ ବଡ କଥା ହେଉଛି, କାରରେ ଥିବା ୪୪ ବର୍ଷୀୟ ଡ୍ରାଇଭରଙ୍କୁ ଏହି ଦୁର୍ଘଟଣାରେ କୌଣସି ପ୍ରକାର କ୍ଷତି ପହଞ୍ଚିନି । ଏପରିକି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ଶରୀରେ ଆଲକହଲ ନଥିବା ମଧ୍ୟ ଜଣାପଡିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଗାଡି ଚଳାଇବା ସମୟରେ ଡ୍ରାଇଭରଙ୍କୁ ହଠାତ୍ ନିଦ ଆସିଯାଇଥିଲା, ଯେଉଁ କାରଣରୁ ଏପରି ସାଂଘାତିକ ଦୁର୍ଘଟଣା ଘଟିଛି ।

ତେବେ ଭାଇରାଲ ହେଉଥିବା ଏହି ଭିଡିଓରୁ ଜଣାପଡିଛି କି, ଦୁର୍ଘଟଣା ପରେ କାରଟି ପାଖାପାଖି ୨୦ ଫୁଟ୍ ଉପରକୁ ଚାଲିଯାଇଥିଲା । ଏହି ଭିଡିଓକୁ ୨ ଦିନରେ ହିଁ ୧୯ ଲକ୍ଷରୁ ଅଧିକ ଲୋକମାନେ ଫେସବୁକରେ ଦେଖିସାରିଲେଣି । ଏହି ଘଟଣା ଉତ୍ତର-ପୂର୍ବ ସ୍ଲୋଭାକିଆର ପୋପରାଡ ନାମକ ସ୍ଥାନରେ ଥିବା ବୋରିକ୍ ସୁଡଙ୍ଗର ଅଟେ । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସ୍ଲୋଭାକିଆ ପୋଲିସର କହିବା ଅନୁଯାୟୀ, ଏହି ଦୁର୍ଘଟଣା ଗୁରୁବାର ସକାଳ ୫ଟା ପୂର୍ବରୁ ଘଟିଛି ।