ଖୁନୀ ଖେଳ ‘ବ୍ଲୁ ହ୍ୱେଲ୍’ ପରେ ସିବିଏସଇର କଡ଼ା ଚେତାବନୀ ! ସ୍କୁଲ ବସରେ ସ୍ମାର୍ଟଫୋନ୍‌ ମନା

42

କନକ ବ୍ୟୁରୋ: ଇଣ୍ଟରନେଟରେ ‘ବ୍ଲୁ ହ୍ୱେଲ୍’ ଖେଳକୁ ନେଇ ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି । ପ୍ରତିଦିନ କେଉଁଠି ନା କେଉଁଠି କଅଁଳ ଶିଶୁ ଏହି ଖେଳରେ ସାମିଲ ହୋଇ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି । ଏହି ଖେଳ ଏବେ ଦେଶରେ ଭାଇରାଲ୍ ହୋଇଥିବା ବେଳେ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସଇ) ପକ୍ଷରୁ ସ୍କୁଲରେ ଇଣ୍ଟରନେଟ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇଛି । ପିଲାମାନେ ଯେପରି ସ୍କୁଲ କ୍ୟାମ୍ପସରେ କମ୍ପ୍ୟୁଟରରେ ପାଠପଢ଼ା ବ୍ୟତୀତ ଅନ୍ୟ କୌଣସି ବିଷୟ ଉପରେ ଧ୍ୟାନ ନ ଦିଅନ୍ତି ସେଥିପ୍ରତିଦୃଷ୍ଟି ଦେବାକୁ ସମସ୍ତ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ସିବିଏସଇ ପକ୍ଷରୁ କୁହାଯାଇଛି, ବିଦ୍ୟାଳୟ କ୍ୟାମ୍ପସ ସମେତ ସ୍କୁଲବସରେ ସ୍ମାର୍ଟ ମୋବାଇଲ୍ ଫୋନ୍ ଉପରେ ବି ଅଙ୍କୁଶ ଲଗାଯାଇଛି । କ୍ୟାମ୍ପସରେ ମୋବାଇଲ୍ ବ୍ୟବହାର ଉପରେ ବି କଟକଣା ଜାରି ହୋଇଛି । ୨୦୦୯ ଜୁଲାଇ ୨ରେ ସିବିଏସଇ ପକ୍ଷରୁ ପ୍ରକାଶ କରାଯାଇଥିବା ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ କୁହାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଛାତ୍ରଛାତ୍ରୀ କ୍ୟାମ୍ପସରେ ଯେପରି ଆଇପ୍ୟାଡ୍, ଡିଭିଡି/ସିଡି ପ୍ଲେୟାର, ଗେମ୍, ହ୍ୟାଣ୍ଡହୋଲ୍ଡ ପିସି, ସ୍ମାର୍ଟ ଫୋନ୍, ଲାପଟପ୍, ଟାବଲେଟ୍ ବ୍ୟବହାର ନ କରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ହେବ । ଇଲେଟ୍ରୋନିକ୍ କମ୍ୟୁନିକେସନ ଡିଭାଇସ୍ ବ୍ୟବହାର ଦ୍ୱାରା ଯଦି କ୍ୟାମ୍ପସରେ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ହୁଏ ତେବେ ସିବିଏସଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କୁଲଗୁଡ଼ିକୁ କଡ଼ା ଚେତାବନୀ ଦିଆଯାଇଛି ।

ସେହିପରି ପିଲାମାନେ ଯେପରି ସୁରକ୍ଷିତ ଭାବେ ଇଣ୍ଟରନେଟ୍ ବ୍ୟବହାର ଏବଂ ସେଥିପାଇଁ ଥିବା ନିୟମଗୁଡ଼ିକ ସମ୍ପର୍କରେ ଅବଗତ କରାଯାଉ । ଛାତ୍ରଛାତ୍ରୀ ବ୍ୟବହାର କରୁଥିବା କମ୍ପ୍ୟୁଟରର ଇଣ୍ଟରନେଟରେ ଫାୟାରଓ୍ଵାଲ୍, ଫିଲଟରିଂ, ମନିଟରିଂ ସଫ୍ଟଓ୍ଵୟାର ରଖାଯିବା ନିହାତି ଆବଶ୍ୟକ । ଇଣ୍ଟରନେଟକୁ ଆସୁଥିବା ଏଣୁତେଣୁ ବିଷୟବସ୍ତୁକୁ ବନ୍ଦ କରାଯାଉ । କମ୍ପ୍ୟୁଟରରେ ଯେଉଁ ଆଣ୍ଟି ଭାଇରସ୍ ବ୍ୟବହାର କରାଯାଉଛି ତାହା ଉନ୍ନତମାନର ହେବା ଆବଶ୍ୟକ । ଇଣ୍ଟରନେଟରେ ଶିକ୍ଷା ସମ୍ପର୍କିତ ତଥ୍ୟ ବ୍ୟତୀତ ପିଲାମାନେ ଯେପରି ଅନ୍ୟ କିଛି ନ ଦେଖିବେ ସେଥିପ୍ରତି ବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ବୟସ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଉପଯୋଗୀ ୱେବସାଇଟ୍ ବ୍ୟବହାର କରିବା ଲାଗି କ୍ୟାମ୍ପସରେ ଅନୁମତି ଦିଅନ୍ତୁ । ଇଣ୍ଟରନେଟ୍ ସୁରକ୍ଷା ନିୟମ ସମ୍ପର୍କରେ ସ୍କୁଲର ଶିକ୍ଷକ ଏବଂ କର୍ମଚାରୀଙ୍କୁ ଅବଗତ କରାଯିବାର ଆବଶ୍ୟକତା ରହିଛି । ଅଭିଭାବକଙ୍କୁ ମଧ୍ୟ ଏ ନେଇ ସଚେତନତା କରାଯାଉ । ଯଦି କୌଣସି ଛାତ୍ରଛାତ୍ରୀ, ଶିକ୍ଷକ ଇଣ୍ଟରନେଟରେ ବେଆଇନ କାର୍ଯ୍ୟ କରୁଥିବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍କୁଲ କର୍ତୃପକ୍ଷଙ୍କୁ ଅନୁମତି ଦିଆଯାଇଛି । ଯେଉଁ ପିଲା, ଶିକ୍ଷକ, କର୍ମଚାରୀ ବିଦ୍ୟାଳୟ ଛାଡ଼ୁଛନ୍ତି ସେମାନେ ଯେପରି ୟୁଜର ଆଇଡି ଏବଂ ପାସ୍ ଓ୍ଵାର୍ଡ ଜାଣି ନ ପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି । ବିଦ୍ୟାଳୟ ୱେବସାଇଟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଏକକ ଫଟୋ, ଭିଡିଓ ନ ରହେ ସେଥିପ୍ରତି ଧ୍ୟାନ ଦେବା ସହ ଉନ୍ନତ ସଫ୍ଟେଓ୍ଵୟାର ବ୍ୟବହାର କରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ନିକଟରେ ଏହି ଖୁନୀ ଖେଳ ବ୍ଲୁ ହ୍ୱେଲ୍ ଚ୍ୟାଲେଂଜର ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଛି ପୁଲିସ । ଋଷିଆର ଜଣେ ୧୭ ବର୍ଷୀୟ ଯୁବତୀଙ୍କୁ ଏହି ଖେଳର ମାଷ୍ଟର୍ ଅଭିଯୋଗରେ ଗିରଫ କରିଛି ପୁଲିସ୍ । ଯୁବତୀ ଜଣକ ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ୍ ନାଁରେ ଅନେକ ହ୍ୱାଟସଗ୍ରୁପ୍ ଚଳାଉଥିବା ଅଭିଯୋଗ ହୋଇଥିଲା । ଏପରିକି ଯଦି କେହି ଏହି ଖେଳକୁ ଅଧାରୁ ଛାଡିବାକୁ କହେ ତେବେ ସେହି ଖେଳାଳୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମାରିବାର ଧମକ ଦେଉଥିବା ମଧ୍ୟ ପୁଲିସ୍ କହିଥିଲା । ଏହା ସହ ଯୁବତୀଙ୍କ ଘରୁ ଏହି ଖେଳର ଇନଭେନଟର୍ ଫିଲିପର ଫଟୋ ମଧ୍ୟ ଜବତ କରିଥିଲା ପୁଲିସ୍ । ଏହି ଖେଳରେ ବର୍ତ୍ତମାନ ସୁଦ୍ଧା ଋଷିଆର ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି ।

ଏହି ଖେଳରେ ସର୍ବପ୍ରଥମେ ମୁମ୍ବାଇର ୧୪ବର୍ଷୀୟ ବାଳକ ମନପ୍ରିତ୍ ସାହାନ୍ସ ଏହି ଖେଳର ବସବର୍ତ୍ତୀ ହୋଇ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେହିପରି ଏହି ଗେମର କାରଣରୁ ଇନ୍ଦୋରର ଜଣେ ଛାତ୍ର ନିଜର ସ୍କୁଲର ତିନି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ କିଛି ଛାତ୍ର ତାଙ୍କୁ ଅଟକାଇ ଜୀବନ ବଂଚାଇଛନ୍ତି ।

ଓଡିଶାରେ ମଧ୍ୟ ବ୍ଲୁ ହ୍ୱେଲ୍ ଅଶଙ୍କା ଦେଖିବାକୁ ମିଳିଥିଲା । ସମ୍ବଲପୁରର ସୁହାନୀ ନାମକ ୧୦ମ ଶ୍ରେଣୀ ଛାତ୍ରୀ ଏହି ଖେଳ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ଲକ୍ଷଣକୁ ଦେଖି ପରିବାର ଲୋକେ ସନ୍ଦେହ କରୁଛନ୍ତି, ବ୍ଲୁ-ହ୍ୱେଲ ଗେମ ପ୍ରଭାବରେ ପ୍ରଭାବିତ ହୋଇ ଝିଅ ଆତ୍ମହତ୍ୟା କରିଛି । ସ୍କୁଲରେ ଛୁଟି ହେବା ପରେ ଝିଅ ମୋବାଇଲରେ ବ୍ୟସ୍ତ ରହୁଥିଲା । ଗେମରେ ଯେଭଳି ହରର ଫିଲ୍ମ ଦେଖିବା ପାଇଁ କୁହାଯାଏ ସେଭଳି ଝିଅ ଫିଲ୍ମ ଦେଖୁଥିଲା । ଅଧିକାଂଶ ସମୟରେ ସୁହାନୀ ନୀରବ ରହୁଥିଲା । ସୁହାନି ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ତେବେ ଗେମର ଆପକୁ ବିଶେଷଜ୍ଞଙ୍କ ଦ୍ୱାରା ଯାଂଚ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ଏହି ଘଟଣା ପରେ ବ୍ଲୁ ହ୍ୱେଲ ଖେଳ ଉପରେ ଅଙ୍କୁଶ ଲଗାଇବା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ପ୍ରଶାସନ । ବ୍ଲୁ ହ୍ୱେଲ କିମ୍ବା ସେହି ସାମନ ପ୍ରକାରର ସମସ୍ତ ପ୍ରକାରର ମାରାତ୍ମକ ଖେଳକୁ ସୋସିଆଲ ମିଡ଼ିଆରୁ ହଟାଇବା ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟର ସବୁ ଏସପି, ଡିସିପିଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ପୁଲିସ୍ ଡିଜି । ସ୍କୁଲ ଯାଉଥିବା କୁନି କୁନି ପିଲାଙ୍କ ହାତରେ ପହଂଚିଯାଉଥିବା ଏହି ଖେଳଠାରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ପଦକ୍ଷେପ ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ । ଖାସ୍ କରି ସ୍କୁଲ ପିଲାଙ୍କୁ ବ୍ଲୁ ହ୍ୱେଲ ଖେଳରୁ ଦୂରେଇ ରଖିବା ପାଇଁ ଜାରି କରିଛି ଏହି ସକୁର୍ଲାର ।

ଯେଉଁଥିରେ ରହିଛି –

– ଇଂଟରନେଟର ସୁରକ୍ଷିତ ବ୍ୟବହାର ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

– କମ୍ପୁଟର ଗୁଡ଼ିକୁ ଡିଜିଟାଲ ସର୍ଭିଲାନ୍ସରେ ରଖିବାକୁ ପରାମର୍ଶ

– ଛାତ୍ରଛାତ୍ରୀଙ୍କ ବୟସ ଅନୁସାରେ ନିର୍ଦ୍ଦିଷ୍ଟ ୱେବସାଇଟରେ ସୀମିତ ରଖିବା

-ଇଲେକ୍ଟ୍ରୋନିକ ସାମଗ୍ରୀ ବ୍ୟବହାର ନେଇ ଏକ ନିୟମ କରିବା

-କମ୍ପୁଟର ଗୁଡ଼ିକରେ ଆଂଟି ଭାଇରସ ଏବଂ ସୁରକ୍ଷିତ ଉପକରଣ ପ୍ରତି ଧ୍ୟାନଦେବା

-ଆପତ୍ତିଜନକ ତଥ୍ୟ ଥିବା ୱେବସାଇଟ ଉପରେ କଟକଣା ଲଗାଇବା

ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଭଳି ୧୮ଟି ନିର୍ଦ୍ଦେଶନାମା ଜାରିକରିଥିଲା ସିବିଏସଇ । ଏପଟେ ପାଠ୍ୟକ୍ରମରେ ଆବଶ୍ୟକତା ଅନୁସାରେ ଇଂଟରନେଟର ବ୍ୟବହାର କରୁଥିବା କହିଛନ୍ତି ଛାତ୍ରଛାତ୍ରୀ । ଆଉ ବ୍ଲୁ ହ୍ୱେଲ୍ ଖେଳ ନେଇ ସଚେତନ ଥିବା ମଧ୍ୟ କହିଛନ୍ତି ।

କଣ ଏହି ବ୍ଲୁ ହ୍ୱେଲ୍ ଗେମ୍

ଏହି ବ୍ଲୁ-ହ୍ୱେଲ ଗେମ୍ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ଚ୍ୟାଲେଞ୍ଜ କରିଥାଏ । ଏବଂ ଯିଏ ଏହି ଚ୍ୟାଲେଞ୍ଜ ଗ୍ରହଣ କରେ ସେ ଆତ୍ମହତ୍ୟା କରିଦିଏ । ଋଷିଆରୁ ଆରମ୍ଭ ହୋଇଥିବା ଏହି ଖେଳରେ ପ୍ରାୟ ୧୨ରୁ ୧୫ ବର୍ଷ ବୟସର ପିଲା ମାନେ ସାମିଲ୍ ଥାନ୍ତି । ଖେଳଟି କେବଳ ସୋସିଆଲ୍ ମିଡିଆରେ ଖେଳାଯାଏ । ଯାହାକୁ ନିୟନ୍ତ୍ରିତ କରିଥାଏ ଜଣେ ମାଷ୍ଟର୍ ବା ହ୍ୱାସସଆପ୍ ଗ୍ରୁପ୍ ଆଡମିନ୍ । ଏହି ମାଷ୍ଟରର ପରାମର୍ଶ ମାନିବାକୁ ଏକପ୍ରକାର ବାଧ୍ୟ ଖେଳାଳୀ । ମାଷ୍ଟର୍ ଯେଉଁ ଟ୍ୟାସ୍କ ଦେଇଥାଏ ତାକୁ ୫୦ ଦିନ ମଧ୍ୟରେ ଶେଷ କରିବାକୁ ପଡିଥାଏ । ଏହି ଖେଳ ମାନଙ୍କ ମଧ୍ୟରେ ଥାଏ ଭୂତ ସିନେମା ଦେଖିବା, ରାତି ରାତି ଅନିଦ୍ରା ରହିବା ଏବଂ ନିଜ ହାତକୁ କାଟି ବ୍ଲୁ ହ୍ୱେଲ୍ ଲେଖିବା । ଖେଳାଳୀ ଠିକ୍ ଭାବରେ ଏହାକୁ ମାନୁଛି ଏବଂ ଖେଳୁଛି କି ନାହିଁ ସେଥିପାଇଁ ଏକ ଫଟୋ ଉଠାଇ ସେୟାର୍ କରିବାକୁ ପଡିଥାଏ । ତେବେ ଏପରି ଭାବରେ ଆରମ୍ଭ ହୋଇଥିବା ଖେଳ ଧୀରେ ଧୀରେ କଠିନରୁ କଠିନତର ହୋଇଥାଏ । ଶେଷରେ ଖେଳ ଉକ୍ତ ଖେଳାଳୀର ମୃତ୍ୟୁରେ ଶେଷ ହୋଇଥାଏ ।

ଏବେ ନଜର ପକାନ୍ତୁ ଏହି ଭୟଙ୍କର ‘ବ୍ଲୁ ହ୍ୱେଲ୍ ଗେମ୍’ରେ ୫୦ ଦିନରେ ଖେଳାଳୀଙ୍କ ପାଇଁ ରହିଥିବା ୫୦ଟି ଚ୍ୟାଲେଂଜ୍ ଉପରେ

୧. ଭୋର୍ ୪.୨୦ରେ ଉଠି ଡରୁଆ କିମ୍ବା ଭୟାନକ ଭିଡିଓ ଦେଖିବା

୨. ହାତକୁ ବ୍ଲେଡରେ କାଟିବା

୩. ହାତର ଶିରାକୁ କାଟିବା (ଗଭୀର ନୁହେଁ)

୪. ଗୋଟିଏ ପେପରରେ ତିମି ମାଛର ଫଟୋ ତିଆରି କରିବା

୫. ଯଦି ତିମି ହେବା ପାଇଁ ପ୍ରସ୍ତୁତ ତେବେ ‘ହଁ’ ଲେଖି ଗୋଡକୁ ବ୍ଲେଡରେ କାଟିବା । ନଚେତ୍ ହାତର ଯେକୌଣସି ସ୍ଥାନକୁ କାଟିବା

୬. ଷ୍ଟାଟସରେ ଲେଖିବେ ‘ମୁଁ ହ୍ୱେଲ୍’

୭. ଭୋର୍ ୪.୨୦ରେ ଉଠି ଛାତକୁ ଯିବା

୮. ବ୍ଲେଡରେ କାଟି ହାତରେ ତିମିର ଚିତ୍ର କରିବା ବାଧ୍ୟତାମୂଳକ

୯. ସାରାଦିନ ଭୟାନକ ଭିଡିଓ ଦେଖିବା

୧୦. ମାଷ୍ଟର୍ ବା ଗ୍ରୁପ୍ ଆଡମିନ୍ ପଠାଇଥିବା ଗୀତ ଶୁଣିବା

୧୧. ଓଠକୁ କାଟିବା

୧୨. ହାତକୁ ଛୁଂଚିରେ କେଂଚିବା

୧୩. ନିଜକୁ କଷ୍ଟ ଦେବା

୧୪. ଛାତ ଉପରକୁ ଯାଇ ଧାରରେ ଛିଡା ହେବା

୧୫. ବ୍ରିଜ୍ ଚଢିବା

୧୬. କ୍ରେନ୍ ଚଢିବା

୧୭. ସ୍କାଏ ପି ଜରିଆରେ ହ୍ୱେଲ୍ ବା ତିମି ସହ କଥା ହେବା ବାଧ୍ୟତାମୂଳକ

୧୮. ବିଶ୍ୱସନୀୟତା ପରୀକ୍ଷା

୧୯. ଛାତ ଉପରକୁ ଯାଇ କେବଳ ପାଦ ଉପରେ ବସିବା

୨୦. ସିକ୍ରେଟ୍ ମିଶନ୍

୨୧. ତିମି ବା ହ୍ୱେଲକୁ ଦେଖା କରିବା

୨୨. ମୃତ୍ୟୁର ତାରିଖ କହିବେ ଏବଂ ଏହାକୁ ଗ୍ରହଣ କରିବାକୁ ବାଧ୍ୟ

୨୩. ପୁଣି କୋଡ ୱାଡରେ କାମ

୨୪. ଭୋର୍ ୪.୨୦ରେ ଉଠି ରେଳ ଲାଇନକୁ ଯିବା

୨୫. କାହା ସହ କଥା ନହେବା

୨୬. ଆପଣ ଜଣେ ହ୍ୱେଲ୍ ବୋଲି ଶପଥ ନେବା

୨୭. ଭୟକୁ ଦୂରାଇବା

୨୮. ଦେହ ହାତ କାଟିବା

୨୯. କୋଡ୍ ୱାଡରେ କଥା ହେବା

ଏହା ପରେ ୩୦ ରୁ ୪୯ ପର୍ଯ୍ୟନ୍ତ ୪.୨୦ରୁ ଉଠିବା , ଭିଡିଓ ଦେଖିବା , ଗୀତ ଶୁଣିବା ଏବଂ ପ୍ରତିଦିନ ନିଜ ହାତ ଏବଂ ହ୍ୱେଲ୍ ସହ କଥା ହେବା ।

ଆଉ ୫୦ ତମ ଦିନ ହେଉଛି ଖେଳ ଏବଂ ଜୀବନର ଶେଷ ଦିନ । ଏହି ଦିନଟିି ବିଭିନ୍ନ ଉପାୟରେ ଆତ୍ମହତ୍ୟା କରିବା । (ଫାଶୀ ଦେବା, ଟ୍ରେନ୍ ଆଗରେ ଶୋଇବା ଏବଂ ଛାତରୁ ଡେଇଁବା)

ତେବେ ଏହି ଖେଳରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ପୁଲିସ୍ ସ୍କୁଲ୍ କର୍ତ୍ତୃପକ୍ଷ ଏବଂ ପିଲାଙ୍କ ବାପା ମାଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି ।

କିଏ ଏବଂ କେମିତି ଆରମ୍ଭ କରିଥିଲା ଏହି ଖେଳ

ଅନଲାଇନରେ ଗେମ୍ ଖେଳି ଲୋକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉ ଥିଲେ ଜଣେ ଋଷୀୟ ଯୁବକ । ବିକୃତ ମାନସିକତା ହେଉ ଅବା ଅପରାଧିକ ଚିନ୍ତାଧାରା । ଋଷର ୨୨ ବର୍ଷିୟ ଯୁବକ ଫିଲିପ ବୁଡେଇକି ତିଆରି କରିଥଲା ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ । ଇଂଟରନେଟ ଜରିଆରେ ସେ ବିଶ୍ୱର କୋଣ ଅନୁକୋଣରେ ଥିବା ଯୁବକ ଯୁବତୀଙ୍କୁ ଯୋଗାଯୋଗ କରୁଥିଲା । ତାପରେ ସ୍କାଏପି,ଭିଡିଓ ଚାଟ ଓ ସୋସିଆଲ ମିଡିଆ ଜରିଆରେ ଆରମ୍ଭ ହେଉଥିଲା କଥାବାର୍ତ୍ତା । ଆଉ ଅଜବ ଗଜବ କାରନାମା କରି ଅନଲାଇନରେ ଗେମ୍ ଖେଳିବାର ଅଫର୍ ଦେଉଥିଲା । ସାଧାରଣତଃ ଦୁର୍ବଳ ମାନସିକତା ଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲା ଫିଲିପ ।

ଯୁବକ ଯୁବତୀଙ୍କ ବ୍ରେନୱାସ୍ କରି ତାଙ୍କ ମାନସିକତାକୁ ପ୍ରଭାବିତ କରିବାରେ ମାହିର ଥିଲା ଫିଲିପ୍ । ଆଉ ନିଜର ବିକୃତ ଚିନ୍ତାଧାରା ଦ୍ୱାରା ଅନଲାଇନ ଗେମ୍ ଜରିଆରେ ରଚୁଥିଲା ମୃତ୍ୟୁର ଷଡଯନ୍ତ୍ର ।

ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଲା ଏଥିପାଇଁ ଅର୍ଥ ପ୍ରଲୋଭନ ଦେଖାଉ ନଥିଲା ଫିଲିପ । ବରଂ ଯୁବକ ଯୁବତୀଙ୍କ ବ୍ରେନ ୱାସ କରି ସେମାନଙ୍କୁ ଜୀବନର କିଛି ନିଆରା ଅନୁଭୂତି ତିଆରି କରିବାକୁ ପ୍ରବର୍ତ୍ତାଯାଉଥିଲା ।

ଫିଲିପର ଏହି ଅନଲାଇ୍ନ ଗେମରେ ୧୩୦ଜଣ ଆତ୍ମହତ୍ୟା କରିଥିବା ଜଣଶ ପଡିଛି । ଆଉ ଫିଲିପର କହିବା କଥା ୩୦ଜଣଙ୍କ ଆତ୍ମହତ୍ୟାର ଲାଇଭ୍ ଭିଡିଓ ସେ ଦେଖିଥିବା ବେଳେ ଏବେ ବି ୨୮ ଜଣ ଟାର୍ଗେଟ୍ ମେମ୍ବର ଜୀବିତ ଅଛନ୍ତି । ଏସବୁ ଭିତରେ ଇଂଟରକମ୍ ସହୟତାରେ ଋଷ ପୋଲିସ ତାକୁ ଗିରଫ କରିଥିବା ବେଳେ ୩ବର୍ଷ ଜେଗଲ ଦଣ୍ଡ ହୋଇଛି ।

ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ବ୍ଲୁ ହ୍ୱେଲ୍ ନୁହେଁ ଗତ ୫ ବର୍ଷ ମଧ୍ୟରେ ୨୩୦୦୦ ଅଧିକ ୱେବସାଇଟ୍ ଚିହ୍ନଟ ହୋଇଛି ଯାହା ପିଲାମାନଙ୍କୁ ଆତ୍ମହତ୍ୟା ପ୍ରବଣ କରାଉଛି । ଏଭଳି ଏକ ଚାଂଚଲ୍ୟକର ତଥ୍ୟ ଦେଇଛି ଋଷର ଉପଭୋକ୍ତା ସୁରକ୍ଷା ୱାଚଡଗ୍ ରୋସ୍ପୋତ୍ରେବନାଦଜୋର ।

ସୂଚନା ଅନୁସାରେ, ୨୦୧୨ ନଭେମ୍ବର ୧ରୁ ୨୫୦୦୦ ରୁ ଅଧିକ ୱେବସାଇଟ୍ ଯାଂଚ୍ କରାଯାଇଥିଲା । ଆଉ ତା ମଧ୍ୟରୁ ୨୩୭୦୦ଟି ୱେବସାଇଟ ବିଷୟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ସମସ୍ତ ୱେବସାଇଟ୍ ଆତ୍ମହତ୍ୟା କରିବାର ବିଭିନ୍ନ ଉପାୟ ସଂପର୍କରେ ଲୋକଙ୍କୁ ଦେଉଛି ସୂଚନା । ତେବେ ଏହାକୁ ରୋକିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛି ଋଷର ପରିସଂଖ୍ୟାନ ଏଜେନ୍ସି ରୋଷ୍ଟେଟ୍ ।