ଗାଁ ଲୋକଙ୍କୁ ଡରାଉଛି ନଳକୂପ : ପାଣି ବଦଳରେ ବାହାରୁଛି ରକ୍ତ , ମାଂସଖଣ୍ଡ ଏବଂ ହାଡ଼,କୋକୁଆ ଭୟରେ ଗ୍ରାମବାସୀ । 

1,081

ଉତ୍ତରପ୍ରଦେଶ ହମିରପୁରରେ ଏକ ସରକାରୀ ନଳକୂପରୁ ଅଚାନକ ପାଣି ବଦଳରେ ରକ୍ତ,ମାଂସଖଣ୍ଡ ଏବଂ ହାଡ଼ ବାହାରିବାର ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ କୋକୁଆ ଭୟ ସୃଷ୍ଟି କରିଛି । ଗାଁ ଲୋକଙ୍କ ଭିତରେ ଡରର ମାତ୍ରା ଏତେ ବଢିଯାଇଛି ଯେ ସେମାନେ ନଳକୂପ ପାଖକୁ ଯିବାକୁ ବି ଡରୁଛନ୍ତି । ଏକଶହ ଘର ଥିବା ହମିରପୁର ରାଠ ତହସିଲର ଜାଖେଡି ଗାଁରେ ଲୋକଙ୍କ ଏକମାତ୍ର ସାହାରା ପାଲଟିଥିବା ଏହି ନଳକୂପରେ ଦୀପାବଳି ପରଠାରୁ ହିଁ ପାଣି ବଦଳରେ ରକ୍ତ ଏବଂ ସଢା ମାଂସ ହାଡ ବାହାରୁଛି । ଯାହାକୁ ଦେଖି ଗ୍ରାମବାସୀଙ୍କ ଭିତରେ ଭୟ ସୃଷ୍ଟି ହୋଇଛି । କେହି ଏହାକୁ ଆତ୍ମାର ନଜର ପଡିଥିବା କଥା କହୁଛି ତ ଆଉ କିଏ ନଳକୂପକୁ ଅଭିଶପ୍ତ ବୋଲି କହୁଛି । ବେଳେବେଳେ ବାହାରୁଥିବା ପାଣିର ଦୁର୍ଗନ୍ଧ ମଧ୍ୟ ଲୋକଙ୍କ ମୁଣ୍ଡବିନ୍ଧା କରାଉଛି ।

ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସୂଚିତ କରିବାପରେ ସେ ଏସଡିଏମ୍ ଜାଞ୍ଚ୍ ପାଇଁ ଆଦେଶ ଦେଇଥିଲେ । ଏହାର ଜାଞ୍ଚ୍ ପାଇଁ ଯେତେବେଳେ ନଳକୂପ ଖୋଳାଗଲା ବିଶେଷ କାରଣ ନମିଳିବାରୁ ନଳକୂପକୁ ବନ୍ଦ କରିଦିଆଗଲା । ଉପଜିଲ୍ଲାପାଳଙ୍କ କହିବାନୁସାର , ନଳକୂପରେ କୌଣସି ସାପ କିମ୍ବା ଅନ୍ୟ କୌଣସି କିଟ ଭିତରକୁ ଚାଲିଯାଇଥିôବ ଯାହା ଏବେ ସଢା ଅବସ୍ଥାରେ ବାହାରକୁ ବାହାରୁଛି । ଅନ୍ୟପକ୍ଷରେ ପରିବେଶ ଜଳ ବିଶେଷଜ୍ଞଙ୍କ ମତରେ ନିକଟରେ ଥିବା ନଦୀ ଏବଂ କୂଅରେ ସ୍ଥାନୀୟ ଲୋକ ମୃତ ଜୀବଜନ୍ତୁ ପକାନ୍ତି ଯେହେତୁ ନଳକୂପ ପାଣିର ସ୍ରୋତ କୂଅ ଓ ନଦୀ ସହ ଜଡିତ ହୋଇରହିଥାଏ ତେଣୁ ଏଭଳି କିଛି ଘଟଣା ହେବାର ସମ୍ଭାବନା ଥାଏ ।