୧୦ ବର୍ଷର ଅନ୍ଧବିଶ୍ୱାସ ! ବିଜ୍ଞାନ ଯୁଗରେ ଗୁଣିଆ ଭରସାରେ ୨୨ ବର୍ଷର ଅସୁସ୍ଥ ପୁଅକୁ ଛାଡି ଦେଇଛନ୍ତି ପରିବାର ଲୋକ, ମୟୂର ପିଂଛରେ ଛାଡି ପୁଅକୁ ସୁସ୍ଥ କରିବାକୁ ଲାଗିଛନ୍ତି ମାଆ ।

481

କନକ ବ୍ୟୁରୋ : ଦିନେ କି ଦି ଦିନ ନୁହଁ । ୧୦ ବର୍ଷ ହେବ ଅସୁସ୍ଥ ପୁଅକୁ ଡାକ୍ତରଖାନା ନେଇନାହାନ୍ତି ଆଦିବାସୀ ପରିବାର । ଅଜଣା ରୋଗରେ ପୀଡିତ ପୁଅକୁ ମୟୂର ପିଂଛରେ ଝାଡି ସୁସ୍ଥ କରିବା ପାଇଁ ଲାଗିଛନ୍ତି ମାଆ । ଦିନରୁ ୪ରୁ ୫ ଥର ମୟୂର ପିଂଛରେ ଝାଡୁଛି ମାଆ ଆଉ ସଂଧ୍ୟା ହେଲେ ଗୁଣିଆ କରୁଛି ଚିକିତ୍ସା । ଉପାନ୍ତ ଅଂଚଳରୁ ସାମ୍ନାକୁ ଆସିଛି ଅନ୍ଧବିଶ୍ୱାସର ଆଉ ଏକ ନଗ୍ନ ରୂପ ।

ଆଦିବାସୀ ଅଂଚଳରେ ୧୦ ବର୍ଷର ଅନ୍ଧବିଶ୍ୱାସ । ଗୁଣିଆ ଭରସାରେ ଅସୁସ୍ଥ ଯୁବକ । ପିଛା ଛାଡୁନି ଅନ୍ଧବିଶ୍ୱାସ । ୧୦ ବର୍ଷ ହେବ ଅଜଣା ରୋଗରେ ଶଯ୍ୟାଶାୟୀ ଭେଣ୍ଡିଆ ପୁଅକୁ ଗୁଣିଆ ହାତ ଟେକି ଦେଇଛନ୍ତି ଆଦିବାସୀ ପରିବାର । ଝଡାଫୁଙ୍କାରେ ଚାଲିଛି ଜୀବନ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଜାମ୍ବଗୁଡା ଗାଁରୁ ଆସିଛି କରୁଣ ଚିତ୍ର ।

ପୁଅ ଭଲ ହେବା ଆଶାରେ ମୟୂର ପିଂଛା ମୁଠାରେ ଝାଡି ଦେଉଛି ମାଆ । ଜାମ୍ବଗୁଡା ଗାଁର ଇର୍ମା ପଡିଆମୀଙ୍କ ୨୨ ବର୍ଷର ପୁଅ ଦେବା ପଡିଆମୀ ୧୦ ବର୍ଷ ପେଟ ଯନ୍ତ୍ରଣା ଭୋଗୁଛନ୍ତି । ହେଲେ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନାରୁ ନେଉନାହାନ୍ତି ପରିବାର । ଅର୍ଥାଭାବ ସାଙ୍ଗକୁ ଅନ୍ଧବିଶ୍ୱାସର ବସବର୍ତ୍ତୀ ହୋଇ ବର୍ଷ ବର୍ଷ ଧରି ପୁଅକୁ ଗୁଣିଆ ଭରସାରେ ଛାଡି ଦେଇଛି ଆଦିବାସୀ ପରିବାର । ଦେବା ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ମୟୂର ପିଂଛରେ ଝାଡିଦେଲେ ସେ ଆଶ୍ୱସ୍ଥି ଅନୁଭବ କରୁଥିବା କହନ୍ତି ତାଙ୍କ ମାଆ ।

ଅନ୍ଧବିଶ୍ୱାସର ଛାପରେ ଆଦିବାସୀଙ୍କ ଭାଗ୍ୟ । ବିଜ୍ଞାନ ଯୁଗରେ ରୋଗ ଉପଶମ ପାଇଁ ଝଡାଫୁଙ୍କା! ଦେବା ମାଡକାମୀ ହେଉଛନ୍ତି ସଚେତନତା ଅଭାବର ନଗ୍ନ ଚିତ୍ର । ସ୍ୱାସ୍ଥ୍ୟସେବା ଅପହଂଚର ଜଳନ୍ତ ଉଦାହରଣ । ପିଲାଟି ଦିନରୁ ଏପରି ନଥିଲେ ଦେବା । ଗାଁର ଅନ୍ୟ ପିଲାଙ୍କ ଭଳି ସେ ଚେଡେଙ୍ଗା ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପଢୁଥିଲେ । କିନ୍ତୁ ହଠାତ ପେଟ ଜଳାପୋଡା ହେବା ସହ ବାନ୍ତି ଏବଂ ଦୁର୍ବଳ ଅନୁଭବ କରିଥିଲେ ଦେବା ପଡିଆମୀ । ଆଉ ସେବେଠାରୁ ସେ ଶଯ୍ୟାଶାୟୀ । ତେବେ ଏପରି ଅବସ୍ଥାରେ ଥିବା ପୁଅକୁ ଡାକ୍ତରଖାନା ନେବା ବଦଳରେ ଗୁଣିଆ ଓ ଝଡାଫୁଙ୍କା ଭରସାରେ ଛାଡି ଦେଇଛନ୍ତି ପରିବାର ଲୋକେ । ଏନେଇ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜାଣିବା ପରେ ଦେବାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଅଣାଯିବ ବୋଲି କହିଛନ୍ତି । ବିଜ୍ଞାନ ଯୁଗରେ ବି ଆଦିବାସୀ ଅଂଚଳରେ ବଳବତ୍ତର ରହିଛି ଅନ୍ଧବିଶ୍ୱାସ । ସରକାରୀସ୍ତରରେ ବ୍ୟାପକ ସଚେତନତା ହେଉଥିଲେ ହେଁ ଲୋକଙ୍କ ମନରୁ ଲିଭିନି ଝଡାଫୁଙ୍କା, ତନ୍ତ୍ରବିଦ୍ୟା ଭଳି ଅସତ୍ୟ ବିଶ୍ୱାସ ।