କଳା ଟଙ୍କା ଲୁଚାଇଥିଲେ, କି ବଦଳ କରୁଥିଲେ ସାବଧାନ ! ଧରାପଡିଲେ ୭ବର୍ଷର ସଶ୍ରମ କାରାଦଣ୍ଡ

48

କନକ ବ୍ୟୁରୋ : କଳାଟଙ୍କା ଲୁଚାଇଥିଲେ ସାବଧାନ । ଅନ୍ୟ କାହାରି ଆକାଉଂଟରେ କଳା ଟଙ୍କା ଲୁଚାଇଥିଲେ ହୋଇପାରେ ୭ବର୍ଷ ପର୍ଯ୍ୟନ୍ତ ଜେଲ । ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରି ବେନାମୀ ପ୍ରପର୍ଟି ଟ୍ରାଞ୍ଜାକ୍ସନ ଆକ୍ଟ- ୧୯୮୮ ବଳରେ ଦଣ୍ଡ ବିଧାନ କରିବାକୁ ପ୍ରସ୍ତୁତ ହେଉଛି ଆୟକର ବିଭାଗ ।

ନଭେମ୍ବର ୧ ତାରିଖରୁ ଲାଗୁ ହୋଇଥିବା ଏହି ଆଇନରେ ଅଘୋଷିତ ସ୍ଥାବର ଓ ଅସ୍ଥାବର ସଂପତି କ୍ଷେତ୍ରରେ ୭ବର୍ଷ ଯାଏଁ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ରହିଛି ।

ବଡ ନୋଟ ବ୍ୟାନ ହେବା ପରଠାରୁ ପ୍ରାୟ ୮୦ଟି ମାମଲାର ଛାନଭିନ ଓ ୩୦ଟି ସର୍ଚ ଅପରେସନ୍ ପରେ ୨୦୦ କୋଟିର ଅଘୋଷିତ ଆୟ ଠାବ କରିଛି ଆଇଟି ବିଭିଗ । କେତେକ କ୍ଷେତ୍ରରେ ସରକାର ଘୋଷଣା କରିଥିବା ଅଢେଇ ଲକ୍ଷରୁ ଅଧିକ ଟଙ୍କା ଜମା ହୋଇଛି ।

ତେଣୁ ଆୟର ହିସାବ ଦେଇନପାରିଲେ କାର୍ଯ୍ୟାନୁଷ୍ଠାନ ନେବ ଆୟକର ବିଭାଗ । ଅନ୍ୟ କାହାରି ବ୍ୟାଙ୍କ ଆକାଉଂଟରେ ଟଙ୍କା ଜମା କରିଥିବା ବ୍ୟକ୍ତି ଓ ଅନ୍ୟ କାହାରି ଟଙ୍କାକୁ ନିଜ ବ୍ୟାଙ୍କ ଆକାଉଂଟରେ ଜମା ରଖିଥିବା ବ୍ୟକ୍ତି ଉଭୟ ଏହି ଆଇନ ବଳରେ ଦଣ୍ଡିତ ହେବେ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।