କମ୍ପୁଛି ପ୍ରଚାର ମୈଦାନ: ଘର ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ, ଭଞ୍ଜନଗରରେ ସମର୍ଥକ ସହ ଅଚ୍ୟୁତ ସାମନ୍ତ ଓ ବିକ୍ରମ ଆରୁଖଙ୍କ ବିଶାଳ ରୋଡ ସୋ’

ସେପଟେ ସୁନ୍ଦରଗଡରେ ବିଜେପି ପ୍ରାର୍ଥୀ କୁସୁମ ଟେଟେଙ୍କ କ୍ୟାମ୍ପେନିଂ

121

କନକ ବ୍ୟୁରୋ: ପ୍ରଚାରରେ କମ୍ପୁଛି ମୈଦାନ । ଦିନରାତିକୁ ଏକାକାର କରିଦେଇଛନ୍ତି ପ୍ରାର୍ଥୀ । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ନିରଞ୍ଜନ ପୂଝାରୀଙ୍କ ପାଇଁ ପ୍ରଚାର କରୁଛନ୍ତି ତାଙ୍କ ଝିଅ ସିନ୍ଧୁ ନନ୍ଦିନୀ ପୂଝାରୀ ଓ ପତ୍ନୀ ବୀଣାପାଣି ପୂଝାରୀ । ବିଭିନ୍ନ ଦଳ ନିଜ ପାଇଁ ଷ୍ଟାର ପ୍ରଚାରକ ନିଯୁକ୍ତ କରିଥିବାବେଳେ ନିରଞ୍ଜନ ପୂଝାରୀ ନିଜ ଝିଅକୁ ଦେଇଛନ୍ତି ଷ୍ଟାର ପ୍ରଚାରକର ଦାୟିତ୍ୱ । ଝିଅ ସିନ୍ଧୁ ନନ୍ଦିନୀ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାକୁ ପାଥେୟ କରି ବାପାଙ୍କ ପାଇଁ ପ୍ରଚାର କରୁଛନ୍ତି ।

ସେହିପରି କନ୍ଧମାଳରେ ଆଜି ସନ୍ଧ୍ୟାରେ ପ୍ରଚାର ସରୁଛି । ଏଥିପାଇଁ ବିଜେଡି ଆଜି ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିରାଟ ରୋଡ ଶୋ କରିଛି । ଏଥିରେ କନ୍ଧମାଳ ଲୋକସଭା ଆସନର ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଭଞ୍ଜନଗର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ବିକ୍ରିମ କେଶରୀ ଆରୁଖ ସମର୍ଥକଙ୍କ ସହ ପ୍ରଚାର କରୁଛନ୍ତି । କନ୍ଧମାଳରେ ଅଚ୍ୟୁତଙ୍କ ସହ ବିଜେପିର ଖାରବେଳ ସ୍ୱାଇଁଙ୍କ ସହ ହେଉଛି । ମୈଦାନରେରେ କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ ବି ଅଛନ୍ତି ।

 

ଅନ୍ୟପଟେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରୁଥିବା ବେଳେ ସୁନ୍ଦରଗଡ ବିଜେପି ପ୍ରାର୍ଥୀ କୁସୁମ ଟେଟେ । ସୁନ୍ଦରଗଡ ବିଧାନସଭା ଆସନରେ ବିଜେଡିରୁ ଯୋଗେଶ ସିଂ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ କୁସୁମ ଟେଟେ ଓ କଂଗ୍ରେସରୁ ଅମିତା ବିଶ୍ୱାଳ ପ୍ରାର୍ଥୀ ହୋଇଛନ୍ତି । କୁସୁମ ଟେଟେ ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ ଭିକ୍ଷା କରୁଛନ୍ତି । ବିଶାଳ ରୋଡ ସୋ କରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଆଜି ସଂନ୍ଧ୍ୟାରେ ପ୍ରଚାର ସରୁଥିବା ବେଳେ କ୍ୟାମ୍ପେନିଂ ଜୋରଦାର କରାଯାଉଛି ।

 

 

ସେହିଭଳି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀରେ ୩ ଦଳର ଜୋରସୋରରେ ପ୍ରଚାର ଚଳାଇଛନ୍ତି । ବିଜେଡି ପକ୍ଷରୁ ପ୍ରଚାର ଆରମ୍ଭ କରିଛନ୍ତି ଏଠାକାର ବିଧାନସଭା ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ । ତେଲିବାହାଳି ହିଙ୍ଗୁଳାଙ୍କ ମନ୍ଦିରରେ ସେ ପୂଜାର୍ଚ୍ଚନା କରିବା ପରେ ଏକ ଶୋଭାଯାତ୍ରାରେ ନିର୍ବାଚନମଣ୍ଡଳୀ ପରିକ୍ରମା କରିଥିଲେ । ସୁକିନ୍ଦାରେ ବିଜେଡିର ବିଜୟ ହେବ ବୋଲି ଦଳର ଉପସଭାପତି ପ୍ରଫୁଲ୍ଲ ଘଡେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେପଟେ, କୋରେଇରେ ହାତୀ କାହା ମୁଣ୍ଡରେ ଢାଳିବ ସୁନାକଳସ । ରାଜ୍ୟବାସୀଙ୍କ ନଜର ଏବେ ଏହି ଆସନରେ ଅଛି । କଂଗ୍ରେସ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପ୍ରାର୍ଥୀ କରିଛି ୨୦୧୪ରେ କଂଗ୍ରେସ ଟିକେଟରୁ ଲଢିଥିବା ବିଶ୍ୱଜିତ ନାୟକଙ୍କୁ । ସେପଟେ ଅଭିନେତାରୁ ନେତା ବନିଥିବା ବିଧାୟକ ଆକାଶ ଦାସ ନାୟକଙ୍କ ଜାଗାରେ ବରିଷ୍ଠ ନେତା ଅଶୋକ ବଳଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଅଶୋକ ବଳ ଏଠାରେ ଜୋରଦାର ପ୍ରଚାର ଚଳାଇଛନ୍ତି । ୨୦୦୭ରେ ଅଶୋକ ଜିଲ୍ଲା ପରିଷଦ ଉପାଧକ୍ଷ ପଦବୀରେ ରହିଥିଲେ । ୨୦୧୪ରେ ଆକାଶକୁ ଟିକେଟ ମିଳିବା ପରେ ସେ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ପରେ ବିଜେପିରୁ ପୁଣି ବିଜେଡିକୁ ଫେରିଥିଲେ ଅଶୋକ । ବର୍ତମାନ ସେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ରହିଥିବା ବେଳେ ଆନନ୍ଦପୁରର ପର୍ଯ୍ୟବେକ୍ଷକ ଅଛନ୍ତି ।