ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନ : ନବୀନ ନିବାସକୁ ପଶିବାକୁ ଉଦ୍ୟମ, ୨୦ରୁ ଅଧିକ ଅଟକ

109

କନକ ବ୍ୟୁରୋ : ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନ । ନବୀନ ନିବାସକୁ ପଶିବାକୁ ଉଦ୍ୟମ କଲା ବେଳକୁ ପୁଲିସ ମହିଳା କର୍ମୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା । ଫଳରେ ପୁଲିସ ଓ ବିଜେପି ମହିଳା କର୍ମୀ ଧସ୍ତାଧସ୍ତି ହୋଇଥିଲେ । ୨୦ରୁ ଅଧିକ ବିଜେପି ମହିଳା କର୍ମୀଙ୍କୁ ପୁଲିସ ଅଟକ ରଖିଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କରୁଛି । ଗତକାଲି ମଧ୍ୟ ନବୀନ ନିବାସ ଘେରାଉ କରିଥିଲେ ବିଜେପି ମହିଳା ମୋର୍ଚ୍ଚା । ଏହା ପୂର୍ବରୁ ସିବିଆଇ ତଦନ୍ତ ଦାବି ଓ ମହାରଥୀଙ୍କ ଇସ୍ତଫା ଦାବି କରି କଟକ କ୍ରାଇମବ୍ରାଂଚ କାର୍ଯ୍ୟାଳୟ ଘେରାଉ କରିଥିଲେ ମହିଳା କର୍ମୀ ।

ପିପିଲିର ବେବିନା ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଖସିଯିବା ଘଟଣାରେ ବିଜେପି ତା’ର ଆନ୍ଦୋଳନ ଜାରି ରଖିଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଛି। ମୋର୍ଚ୍ଚାର କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଚୁଡ଼ି ଭେଟି ଦେବା ପାଇଁ ଯାଉଥିଲାବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଫଳରେ କିଛି ସମୟ ପାଇଁ ପୁଲିସ୍-ମହିଳା କର୍ମୀ ଧସ୍ତାଧସ୍ତି ହୋଇଥିଲା। ବିକ୍ଷୋଭକାରୀଙ୍କୁ ପୁଲିସ୍ ଜବରଦସ୍ତ ଉଠାଇ ନେଇଯାଇଥିଲା। ଅପର ପକ୍ଷରେ ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଛନ୍ତି।

ଘେରାଉ ସମୟରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା କହିଲେ, କ୍ରାଇମବ୍ରାଞ୍ଚର ତଥ୍ୟ ପ୍ରମାଣ ଅଭାବରୁ ଦୋଷୀ ନିର୍ଦ୍ଦୋଷରେ ଖଲାସ ହେବା ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ନୀତିକୁ ପ୍ରମାଣିତ କରୁଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ବିଜେଡି ଶାସନରେ ନାରୀମାନେ ସୁରକ୍ଷିତ ନୁହନ୍ତି। ଛାତ୍ରୀଙ୍କ ଠାରୁ ଆରମ୍ଭ କରି କର୍ମଜୀବୀ ମହିଳା ପର୍ଯ୍ୟନ୍ତ ସମସ୍ତେ ଭୟଭୀତ। ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଓ ପ୍ରତିଶ୍ରୁତି ପାଣିରେ ଗାର ପାଲଟିଛି। ପୁଲିସ୍ ଶାସକ ଦଳ ଚାପରେ କାର୍ଯ୍ୟ କରୁଛି। ଖୋଦ୍ ଶାସକ ଦଳର ନେତା, ବିଧାୟକ ନାରୀ ଇଜ୍ଜତକୁ ଲୁଟିଚାଲିଛନ୍ତି। ଆମ୍ବୁଲାନ୍ସ ନପହଞ୍ଚିବା କାରଣରୁ ପ୍ରସବ ବେଦନାରେ ଛଟପଟ ହୋଇ ନାରୀ ଟୋକେଇ, ଖଟରେ ବୁହା ହେଉଛନ୍ତି। ପ୍ରଶାସନର ନାକ ତଳେ ନାବାଳିକାଙ୍କୁ ଆଶ୍ରୟ ଦେବା ନାଁରେ ଯୌନ ବ୍ୟଭିଚାର ଓ ଧର୍ମାନ୍ତୀକରଣ ଚାଲିଛି। ପୂର୍ବରୁ କୁନ୍ଦୁଲି ପୀଡ଼ିତା ଗଣବଳାତ୍କାରରେ ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବା ଏବଂ ଏବେ ସଦ୍ୟ ପିପିଲି ଘଟଣାରେ କ୍ରାଇମବ୍ରାଞ୍ଚର ତଥ୍ୟ ପ୍ରମାଣ ଅଭାବରୁ ଦୋଷୀ ନିର୍ଦ୍ଦୋଷରେ ଖଲାସ ହେବା ଘଟଣା ରାଜ୍ୟ ସରକାରଙ୍କ ମହିଳାଙ୍କ ପାଇଁ ଦରଦକୁ ପ୍ରମାଣିତ କରୁଛି। ପୁଣି କୋର୍ଟଙ୍କ ରାୟ ଆସିଲା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯେପରି ବୟାନ ଦେଲେ, ତାହା ସମଗ୍ର ନାରୀ ଜାତିକୁ ଅପମାନିତ କରିଛି। ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର ନକରିବା ଆହୁରି ଦୁର୍ଭାଗ୍ୟଜନକ।