ପୁଣି ବିଜେପି ଟାର୍ଗେଟରେ ରାହୁଲ ! ‘ବନ୍ଦେ ମାତରମ’ ସଙ୍ଗୀତର ଅପମାନ କରାଯାଇଥିବା ଅଭିଯୋଗ ଆଣିଲା ଭାଜପା ।

40

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ‘ବନ୍ଦେ ମାତରମ’ର ଅପମାନ କରାଯାଇଥିବା ଅଭିଯୋଗ ଲଗାଇ ଭାରତୀୟ ଜନତା ପାର୍ଟି ତାଙ୍କୁ କାଠଗଡାରେ ଛିଡା କରିଛି । କଂଗ୍ରେସର ଏକ ରାଲିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି କର୍ଣ୍ଣାଟକର ଏକ ସ୍ଥାନୀୟ ଗଣମାଧ୍ୟମ ଏହି ଭିଡିଓକୁ ପ୍ରସାରିତ ମଧ୍ୟ କରିଛି । ତେବେ କଂଗ୍ରେସ ଏହି ଅଭିଯୋଗକୁ ମିଛ କହିବା ସହ ଏହାକୁ ଭିତ୍ତିହୀନ ବୋଲି କହିଛି । ରାହୁଲ ଦେଶକୁ ନିଜ ଅଧୀନରେ ଅଛି ବୋଲି ଭାବୁଛନ୍ତି କି ବୋଲି ବିଜେପି ପ୍ରଶ୍ନ କରିଛି ।

ଭିଡିଓରେ ଦେଖାଯାଉଛି ଯେ, ରାହୁଲ ଗାନ୍ଧି ମୁଖ୍ୟମନ୍ତ୍ରୀ ସିଦ୍ଧରମିୟାଙ୍କ ସହ ଏକ ମଞ୍ଚ ଉପରେ ବସିଛନ୍ତି । ତାଙ୍କ ସହ ଏଆଇସିସି ମହାସଚିବ କେସି ବେଣୁଗୋପାଳ ମଧ୍ୟ ବସିଛନ୍ତି । ତେବେ ‘ବନ୍ଦେ ମାତରମ’ ସଙ୍ଗୀତ ପରିବେଷଣ ହେଉଥିବା ବେଳେ ରାହୁଲ ନିଜ ହାତଘଣ୍ଟାକୁ ଦେଖି ବେଣୁଗୋପାଳଙ୍କୁ କିଛି ଇସାରା କରୁଥିଲେ । ଏବଂ ଏହା ପରେ ଭିଡିଓରେ ଦେଖାଯାଇଛି ଯେ, ଜଣେ ବ୍ୟକ୍ତି ସଙ୍ଗୀତକୁ ଗୋଟିଏ ଲାଇନରେ ସୀମିତ ରଖିବାକୁ ପରିବେଷଣ କରୁଥିବା ସଙ୍ଗୀକକାରଙ୍କୁ କହୁଛନ୍ତି ।

ଭିଡିଓରେ ଦେଖାଯାଇଛି ଯେ, ‘ବନ୍ଦେ ମାତରମ’ ସଙ୍ଗୀତ ବାଜିବା କ୍ଷଣି ବେଣୁଗୋପାଳ ରାହୁଲଙ୍କୁ ଛିଡା ହେବା ପାଇଁ କହୁଛନ୍ତି । ବିଜେପି ନିଜ ଟ୍ୱିଟ ପେଜରେ ଉଲ୍ଲେଖ କରିଛି ଯେ, ଭାରତକୁ କଂଗ୍ରେସ ମୁକ୍ତ କରିବାକୁ ଆଉ କୌଣସି କାରଣ ବାକି ନାହିଁ । ୧୯୩୭ ମସିହାରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ କହିବା ଅନୁସାରେ ଜବାହାର ଲାଲ ନେହେରୁ ମଧ୍ୟ ବନ୍ଦେ ମାତରମ ସଙ୍ଗୀତକୁ ଛୋଟ କରିଦେଇଥିଲେ । ଜିନ୍ନା ସ୍ୱୀକାର କରିଥିଲେ ଯେ, ସଙ୍ଗୀତର କିଛି କିଛି ଅଂଶ ମୁସଲମାନ ମାନଙ୍କୁ ଆଘାତ ଦେଇଥାଏ ।

କେନ୍ଦ୍ରମନ୍ତ୍ରୀ ତଥା କର୍ଣ୍ଣାଟକ ପ୍ରଭାରୀ ଅନନ୍ତ କୁମାର କହିଛନ୍ତି ଯେ, ‘ବନ୍ଦେ ମାତରମ’ ଭଳି ପବିତ୍ର ସଙ୍ଗୀତର ଅପମାନ ରାହୁଲ ଗାନ୍ଧିଙ୍କ ପରି ଲୋକ ମାନେ ହିଁ କରିପାରିବେ । ଯିଏକି ନିଜ ସ୍ୱାର୍ଥ ଏବଂ ଅହଙ୍କାରରେ ଦେଶ ପାଇଁ କିଛି ବି ଭାବିନଥାନ୍ତି ।