ବିଜେଡିର ପଦଯାତ୍ରାକୁ ଟାର୍ଗେଟ୍ କଲା ବିଜେପି ! ମୁଖ୍ୟମନ୍ତ୍ରୀଙ୍କୁ ଦଳ ପଚାରିଲା ୪ଟି ପ୍ରଶ୍ନ

29

ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା । ଭୁବନେଶ୍ୱର ମହିଷାଖାଲରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ଅଶୋକ ପଣ୍ଡା, ଦେବୀ ପ୍ରସାଦ ମିଶ୍ର ପଦଯାତ୍ରାରେ ସାମିଲ ହୋଇଛନ୍ତି । ଏଥର ମଧ୍ୟ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେଡି । ରାଜ୍ୟ ସରକାରଙ୍କ ୧୭ ବର୍ଷର ସଫଳତା ଓ କେନ୍ଦ୍ରର ଅବହେଳା ମୁଖ୍ୟ ପ୍ରସଙ୍ଗ ରହିଛି ।

ଆଜି ଗାନ୍ଧିଜୟନ୍ତୀଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ଯାଏଁ ଚାଲିବ । ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗକୁ ମଧ୍ୟ ଫୋକସ କରିବ ବିଜେଡି । ସେହିଭଳି ରାଜ୍ୟ ସରକାର ୧୭ ବର୍ଷ ମଧ୍ୟରେ କରିଥିବା ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମର ସଫଳତା ବଖାଣିବେ ଦଳୀୟ ନେତା ।

ସେପଟେ ବିଜେଡିର ପଦଯାତ୍ରାକୁୁ ଘଂଟଘୋଡା ପଦଯାତ୍ରା ବୋଲି କହିଛି ବିଜେପି । ନିଜର ବିଫଳତାକୁ ଲୁଚାଇବା ପାଇଁ ଏହି ଯାତ୍ରାର ଆୟୋଜନ କରାଯାଉଛି ବୋଲି ବିଜେପି କହିଛି । ଯେତେବେଳେ ରାଜ୍ୟ ସରକାରଙ୍କୁ ସାଧାରଣ ଜନତା ବିଭିନ୍ନ ଘଟଣାରେ ପ୍ରଶ୍ନ କରୁଛନ୍ତି ସେଥିରୁ ବଞ୍ଚିବା ପାଇଁ ବିଜେଡି ଏହି ଘଣ୍ଟଘୋଡା ଯାତ୍ରା କରୁଛି ।

bjpଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ବି ବିଜେପି ଟାର୍ଗେଟ କରିଛି । ନବୀନ ପଟ୍ଟନାୟକଙ୍କ ଅଧୀନରେ ପୂର୍ତ୍ତ ବିଭାଗ ରହିଥିବାରୁ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିଛି ବିଜେପି । ପୂର୍ତ ବିଭାଗ ନେଇ ଦଳ ୪ଟି ପ୍ରଶ୍ନ ପଚାରିଛି । ପଣ୍ଡା ଇନଫ୍ରା ସହ ବିଜେଡି ନେତାଙ୍କ କି ସମ୍ପର୍କ ରହିଛି । ପୂର୍ତ ବିଭାଗ ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ । ୨୦୧୭ ମଧ୍ୟରେ ଶେଷ ହେବାକୁ ଥିବା ପ୍ରକଳ୍ପ ସମ୍ପର୍କରେ ଉତର ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ବମିଖାଲ ବ୍ରିଜ ଭୁଷୁଡିବା ତଦନ୍ତ କେତେବାଟ ଗଲା । ବ୍ରିଜ ଭୁଷୁଡିବା ଘଟଣାର ସିବିଆଇ ତଦନ୍ତ ହେଉନି କାହିଁକି । ଏହାଛଡା ଗତ ଦୁଇବର୍ଷ ମଧ୍ୟରେ ବ୍ରିଜ ଭୁଷୁଡିବା ଘଟଣାରେ ରେକର୍ଡ କରିଛି ବିଜେଡି ସରକାର ବୋଲି ବିଜେପି କହିଛି । ବ୍ରିଜ ଭୁଷୁଡିବା ପରେ ମଧ୍ୟ କାହିଁକି ପୂର୍ତ୍ତ ବିଭାଗର ସମୀକ୍ଷା ହେଉନାହିଁ ତାକୁ ନେଇ ପ୍ରଶ୍ନ ଉଙ୍ଖାଇଛି ବିଜେପି । ଏଭଳି ପ୍ରଶ୍ନ ପଚାରି ନବୀନଙ୍କୁ ଘେରିବାକୁ ଚେଷ୍ଟା କରିଛି ବିଜେପି ।