ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି ! ପ୍ରତିଶ୍ରୁତିରେ ପୋତି ପକାଇଲେ ଶିବରାଜ ସରକାର ।

126

କନକ ବ୍ୟୁରୋ : ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ଆଜି ଦଳୀୟ ନିର୍ବାଚନୀ ଇସ୍ତାହାର ଜାରି କରିଛି । ରାଜ୍ୟର ୭କୋଟି ଜନତାଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଛି ଭାରତୀୟ ଜନତା ପାର୍ଟି । ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ଏହି ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି । ଦଳ ଜିତିଲେ ଝିଅଙ୍କୁ ସ୍କୁଟିଠାରୁ ଆରମ୍ଭ କରି ମାଗଣା ଶିକ୍ଷା ପର୍ଯ୍ୟନ୍ତ ସବୁ ଏଥିରେ ସ୍ଥାନ ପାଇଛି । ଏହା ସହ ରାଜ୍ୟର ବିକାଶ ପାଇଁ ମୋଟା ଅଙ୍କ ଖର୍ଚ୍ଚ କରାଯିବା ବୋଲି କଥା ଦେଇଛି ବିଜେପି  ।

ଏହି ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଦ୍ୱାଦଶରେ ୭୫ପ୍ରତିଶତରୁ ଅଧିକ ମାର୍କ ରଖିଲେ ଝିଅଙ୍କୁ ସ୍କୁଟି ଦିଆଯିବ ବୋଲି ବିଜେପି କହିଛି । ଏହା ସହ ଗରିବ ବର୍ଗର ପରିବାରର ପିଲାଙ୍କ ପାଇଁ ମାଗଣା ଶିକ୍ଷା ମଧ୍ୟ ଘୋଷଣା କରିିଛି ବିଜେପି  । ୧୦୮ ଆମ୍ବୁଲାନ୍ସର ସଂଖ୍ୟା ବଢିବ । ଆସନ୍ତା ୫ବର୍ଷରେ ୨୦ଲକ୍ଷ ମହିଳାଙ୍କୁ ଆଇଟି ତାଲିମ ଦିଆଯିବ  । ଏବଂ ଦଳ କ୍ଷମତାକୁ ଆସିଲେ ପ୍ରତିବର୍ଷ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏପରି ପ୍ରତିଶ୍ରୁତି ଦେଇଛି ଦଳ । ଚାଷୀଙ୍କ ପାଇଁ ଏକର ପ୍ରତି ହିସାବରେ ବୋନସ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛି ଦଳ । ମଧ୍ୟପ୍ରଦେଶରେ ୨୩୦ଟି ବିଧାନସଭା ଆସନ ପାଇଁ ନଭେମ୍ବର ୨୮ରେ ଭୋଟ୍ ଗ୍ରହଣ ହେବ ।