ରାଫେଲ ପ୍ରସଙ୍ଗରେ ଆଜି ବିଜେପିର ଦେଶବ୍ୟାପୀ ବିକ୍ଷୋଭ: ମୋଦି ସରକାରଙ୍କୁ ରାହୁଲଙ୍କ ସମାଲୋଚନାକୁ ବିରୋଧ

ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍ ପରେ ରାହୁଲଙ୍କ କ୍ଷମା ପ୍ରାର୍ଥନା ପାଇଁ ଦାବି କରୁଛି ଗୈରିକ ଦଳ

149

କନକ ବ୍ୟୁରୋ: ରାଫେଲ ପ୍ରସଙ୍ଗରେ ଆଜି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି । ରାଫେଲରେ ରାହୁଲ ଫେଲ୍ ନାରା ଦେଇ ସାରା ଦେଶରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଛବି ଖରାପ କରିବା ସହ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛି ଦଳ । ରାଫେଲ୍ ମାମଲାରେ ପୁର୍ନବିଚାର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେବା ସହ ରାହୁଲଙ୍କ ବିରୋଧରେ କୋର୍ଟ ଅବମାନନା ମାମଲାରେ ତାଙ୍କୁ ତାଗିଦ କରିଥିଲେ ।

ରାଫେଲ ଡିଲର ପୁନଃବିଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଥିଲେ, ଡିଲ୍ ପ୍ରକ୍ରିୟାରେ କୌଣସି ଦୁର୍ନୀତି ହୋଇନାହିଁ ଓ ଆବେଦନରେ କୌଣସି ଦମ୍ ନାହିଁ । ସେହିପରି ମାନହାନୀ ଓ କୋର୍ଟ ଅବମାନନା ମାମଲାରେ ରାହୁଲଙ୍କୁ କଡା ତାଗିଦ କରିଥିଲେ । ରାହୁଲ ଏକ ନିର୍ବାଚନୀ ରାଲିରେ କହିଥିଲେ ଯେ, ସୁପ୍ରିମକୋର୍ଟ ମଧ୍ୟ ମାନିଛନ୍ତି ଚୌକିଦାର ଚୋର ଅଟେ । ଏହାପରେ ତାଙ୍କର ଏହି ବୟାନକୁ ନେଇ ବିଜେପି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । କୋର୍ଟଙ୍କ ରାୟକୁ ରାହୁଲ ଭୁଲ ଭାବେ ଉପସ୍ଥାପନ କରିଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେପି ସାଂସଦ ମିନାକ୍ଷୀ ଲେଖି ।

ଆବେଦନକୁ ଗ୍ରହଣ କରି ଜବାବ ମାଗିଥିଲେ କୋର୍ଟ । ନୋଟିସ ପାଇବା ପରେ ନିସର୍ତ କ୍ଷମା ପ୍ରାର୍ଥନା କରିଥିଲେ ରାହୁଲ । ଆଉ ରାହୁଲଙ୍କ ଏହି କ୍ଷମା ପ୍ରାର୍ଥନକୁ ଗ୍ରହଣ କରିଥିଲେ କୋର୍ଟ । ଏବଂ ଆଗାମି ଦିନରେ ଏଭଳି ବିବୃତିରୁ ନିବୃର୍ତ ରହିବାକୁ ଚେତାବନୀ ଦେଇଛନ୍ତି । ତେବେ ଏପରି ମିଛ ବୟାନ ଦେଇ ରାହୁଲ, ପ୍ରଧାନମନ୍ତ୍ରୀଙ୍କ ଛବି ଖରାପ କରୁଥିବା ଅଭିଯୋଗ ସହ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବିରେ ଆଜି ରାସ୍ତାକୁ ଓହ୍ଲାଇବ ବିଜେପି ।