ବନ୍ଦ ରାଜନୀତି ବନାମ ସାଧାରଣ ଜନତା : ବନ୍ଦ ଯୋଗୁଁ ଠପ୍ ହୋଇଗଲା ଭୁବନେଶ୍ୱର

31

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ :  ରଣକ୍ଷେତ୍ର ପାଲଟିଲା ରାଜାଧାନୀ । ଏ ପ୍ରତିବାଦ ନା ରାଜନୈତିକ ଶକ୍ତି ପ୍ରଦର୍ଶନ । ଆନ୍ଦୋଳନ ନାଁରେ କିଛି ଏହିଭଳି ଢଙ୍ଗରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ମେୟରଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇ ଥିବା ରାଜ୍ୟ ବିଜେପି ଆଜି ଏକ ପ୍ରକାର ଗୁଣ୍ଡାରାଜ ଚଳାଇଥିବା ଦେଖିବାକୁ ମିଳିଛି । ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଉଥିବା କୁହାଯାଉଥିବାବେଳେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି ।

ରାଜଧାନୀର ଅନେକ ପ୍ରମୁଖ ସ୍ଥାନରେ ଆଜି ଏଭଳି ଅରାଜକତା ଦେଖିବାକୁ ମିଳିଛି । ଆଇନ ଶୃଙ୍ଖଳାକୁ ମାଡି ମକଚି ଅତ୍ୟନ୍ତ ଉଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ଦେଖନ୍ତୁ କିଭଳି ବାଦ ପଡିନି ଏକ ସରକାରି ଗାଡି । ପ୍ରଥମେ ପଥରରେ ଛେଚି ଗାଡିର କାଚ ଗୁଣ୍ଡ କରିପକାଇବା ସହ ଏହା ଉପରେ ଚଢି ସ୍ଲୋଗାନମାନ ଦେଉଛନ୍ତି । ବିଜେପି ଆକ୍ରମଣରୁ ବର୍ତି ନାହାଁନ୍ତି ଜାତୀୟ ରାଜପଥ ଦେଇ ଯାଉଥିବା ଅନେକ ଗାଡି ମୋଟର । ଆନ୍ଦୋଳନ ନାଁରେ ଏଭଳି ସର୍ବସାଧାରଣ ସଂପତିକୁ ନଷ୍ଟଭ୍ରଷ୍ଟ କରିଛି ବିଜେପି । ଶ୍ରମ ନିୟୋଜନ ନିର୍ଦ୍ଦେଶାଳୟରେ ବିଜେପି କର୍ମୀ ଧସେଇ ପଶିଛନ୍ତି । କର୍ମଚାରୀଙ୍କୁ ଗୋଡାଇ ପିଟିଛନ୍ତି ।

ଖାଲି ଗାଡି ମୋଟର ନୁହେଁ ବିଜେପି କର୍ମୀଙ୍କ ଆକ୍ରମଣରୁ ବର୍ତି ନାହାଁନ୍ତି ରାସ୍ତାରେ ଯା’ଆସ କରୁଥିବା ଲୋକ । ଟାୟାର ଜାଳି ରାସ୍ତା ଅବରୋଧ କରିଥିବାବେଳେ ହାତରେ ଲମ୍ବାଲମ୍ବା ଢେଙ୍ଗା ବାଡି ଧରି ଲୋକଙ୍କୁ ଭୟଭୀତ କରିଛନ୍ତି । ଗୋଡାଇ ଗୋଡାଇ ପିଟିଛନ୍ତି । ଗାଡି ମୋଟର ଛଡାଇ ରଖିଛନ୍ତି । ଏଭଳି ଚିତ୍ର ଆଜି ରାଜଧାନୀର ବିଭିନ୍ନ ପ୍ରମୁଖ ଛକମାନଙ୍କରେ ଦେଖିବାକୁ ମିଳିଛି । ବିଜେପିର ହିଂସାତ୍ମକ ପ୍ରତିବାଦ ଦେଖି ପ୍ରତିକ୍ରିୟାଶୀଳ ହୋଇଛି ପୋଲିସ । କିଛି ବିଜେପି କର୍ମୀଙ୍କୁ ମଧ୍ୟ ଗୋଡାଇ ପିଟିଛନ୍ତି ସୁରକ୍ଷାରେ ମୁତୟନ ପୋଲିସ କର୍ମୀ । ଏପଟେ ପୋଲିସ କହିଛି ବନ୍ଦବେଳେ ହିଂସାକାଣ୍ଡ ହୋଇଥିବା ସ୍ଥାନର ସିଲିଟିଭି ଯାଂଚ ହେବ । ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବିଜେପିର ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେଡି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହା ପ୍ରତିବାଦରେ ରାଜ୍ୟ ବିଜେପିର କିଛି ବରିଷ୍ଠ ନେତା ସଚିବାଳୟ ମୁଖ୍ୟ ଫାଟକ ରାସ୍ତାରେ ଧାରଣା ଦେଇଥିଲେ । ବିଜେପି ଉପସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ସମୀର ଦେ ପ୍ରମୁଖ ଧାରଣାରେ ବସିରହିଥିବାବେଳେ ଏମାନଙ୍କୁ ଜୋରଜବରଦସ୍ତ ଉଠାଇ ଦେଇଥିଲା ପୋଲିସ ।

ଅନ୍ୟପଟେ ଭୁବନେଶ୍ୱର ମେୟରଙ୍କ ବିରୋଧରେ ଆସିଥିବା ସଂଗୀନ ଅଭିଯୋଗ ପ୍ରସଙ୍ଗରେ ଖୋଦ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ଅଭିଯୋଗ କରିଛି ବିଜେପି । ଆଜି ମୁଖ୍ୟମନ୍ତ୍ରୀ ସଚିବାଳୟ ଆସିବାବେଳେ ବିଜେପି ବିରୋଧ ପ୍ରଦର୍ଶନ କରିବା ଆଶଙ୍କା ଥିବାରୁ କଡା ସୁରକ୍ଷା ଭିତରେ ସଚିବାଳୟରେ ପହଂଚିଥିଲେ ନବୀନ । ଏଥିପାଇଁ ଖାସକରି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଥିଲା । ଇଂଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ମୃତ୍ୟୁ ମାମଲା ଓ ଏହାପରେ ବଜାରକୁ ଆସିଥିବା ବିବାଦୀୟ ସେକ୍ସ ସିଡିରେ ମେୟରଙ୍କ ସଂପୃକ୍ତି ଅଭିଯୋଗ କରି ଆଜି ଦିନିକିଆ ଭୁବନେଶ୍ୱର ବନ୍ଦ ପାଳନ କରିଛି ରାଜ୍ୟ ବିଜେପି ।

ଦେଖନ୍ତୁ ଏହି ଭିଡିଓ –