ଆଜି ଠାରୁ ଦିଲ୍ଲୀରେ ବିଜେପିର ୨ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ : ୨୦୧୯ ନିର୍ବାଚନ ପାଇଁ ହେବ ମନ୍ଥନ

22

କନକ ବ୍ୟୁରୋ : ଆଜିଠାରୁ ଦିଲ୍ଲୀରେ ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେଉଛି । ଆଜି ସକାଳ ୧୦ଟାରେ ବିଜେପି ଜାତୀୟ ସଭାପତି ଅମିତ ଶାହ ଦଳୀୟ ପଦାଧିକାରୀ ଓ ରାଜ୍ୟ ସଭାପତିଙ୍କ ସହ ସଙ୍ଗଠନ ସମ୍ପର୍କରେ ଆଲୋଚନା କରିବେ । ଏଥିରେ ଆଗାମୀ ନିର୍ବାଚନ ନେଇ ରଣନୀତି ସମ୍ପର୍କରେ ଆଲୋଚନା ହେବ । ଅପରାହ୍ନ ୩ଟାରୁ କାର୍ଯ୍ୟକାରିଣୀର ମୁଖ୍ୟ ବୈଠକ ଆରମ୍ଭ ହେବ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଳର ବଡ ନେତା ଉପସ୍ଥିତ ରହିବେ । କାଲି ମୋଦି କାର୍ଯ୍ୟକାରିଣୀକୁ ସମ୍ବୋଧିତ କରିବେ । ଦୁଇଦିନିଆ ବୈଠକରେ ୩ ରାଜ୍ୟ ଓ ଆଗାମୀ ୨୦୧୯ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ । କାଲି ରାଜନୈତିକ ଓ ଆର୍ଥିକ ପ୍ରସ୍ତାବ ଆସିବ ।

ବୈଠକରେ କେନ୍ଦ୍ରର ସଫଳତା ଉପରେ ପ୍ରମୁଖ ରୂପେ ଚର୍ଚ୍ଚା କରାଯିବ । ଦଳୀୟ ରିପୋର୍ଟରୁ ଜଣାପଡିଛି ଯେ, ବୈଠକରେ ସବୁ ରାଜ୍ୟର ସଭାପତିଙ୍କ ତରଫରୁ ରାଜ୍ୟର ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ । ଏହା ବ୍ୟତୀତ ସରକାରଙ୍କ ସଫଳତା, ବିଶେଷ କରି ମୂଳ ଢ଼ାଂଚାର ବିକାଶ, ୨ କୋଟି ଗ୍ରାମୀଣ ଆବାସ, ଉଜ୍ଜଳା ଗ୍ୟାସ କନେକ୍ସନ, ଖୋଲାରେ ଶୈାଚ ମୁକ୍ତ ଗାଁ ଓ ଏହି ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଜିଡିପି ବୃଦ୍ଧିରେ ଚର୍ଚ୍ଚା ହେବ ।

ସାରା ଦେଶରେ ଏସସି/ଏସଟି ଆକ୍ଟରେ ସଂଶୋଧନ ପରେ ଯେଉଁ ପରିସ୍ଥିତି ଉପୁଜିଛି, ତା’ ଉପରେ ଏହି ବୈଠକରେ ମୁଖ୍ୟ ଭାବରେ ଚର୍ଚ୍ଚା କରାଯିବ । ଦଳ କାର୍ଯ୍ୟସମିତିର ବୈଠକରେ ଏହି ମାମଲାରେ ବଡ଼ ରୋଡମ୍ୟାପ ପ୍ରସ୍ତୁତ କରିବ । ଦଳ ବିଚାର କରିବ କି ଏହି ମାମଲାରେ ବିରୋଧୀଙ୍କୁ କିଭଳି ଜବାବ ଦୋବକୁ ହେବ । ଜାତୀୟ କାର୍ଯ୍ୟକାରିଣୀରେ ଦଳଏନଆରସିକୁ ନେଇ ମଧ୍ୟ ଚର୍ଚ୍ଚା କରିବ ।