କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରକୁ ଭାଗ କରି ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ କେନ୍ଦ୍ର ସରକାର ଘୋଷଣା କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ଆଗତ ପରେ ଏହାକୁ ଜୋରଦାର ବିରୋଧ କରିଥିଲେ ବିରୋଧୀ । କିନ୍ତୁ ନିଜ ଶାଣିତ ଯୁକ୍ତି ବଳରେ ବିରୋଧୀଙ୍କ ମୁହଁ ଚୁପ୍ କରିଛନ୍ତି ଲଦାଖର ସାଂସଦ ଜାମୟାଙ୍ଗ ସେରିଙ୍ଗ । ଜାମୟାଙ୍ଗଙ୍କ ଭାଷଣ ଆରମ୍ଭରୁ ହିଁ ପୂରା ଗୃହ ତାଳିମାଡରେ ପ୍ରକମ୍ପିତ ହୋଇ ଉଠିଥିଲା । ଯାହା ଜାମୟାଙ୍ଗ ଭାଷଣ ଶେଷ ହେବା ପର୍ୟ୍ୟନ୍ତ ଜାରି ରହିଥିଲା । ଶାହାଙ୍କ ଠାରୁ ଆରମ୍ଭ କରି ସଦନର ବଡ ବଡ ନେତା ଜାମୟାଙ୍ଗ ଭାଷଣରେ ଏତେ ପ୍ରଭାବିତ ହୋଇଥିଲେ ଲଗାତାର ତାଳି ମାରି ଚାଲିଥିଲେ । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜାମୟାଙ୍ଗଙ୍କ ଭାଷଣଣ ଭିଡ଼ିଓକୁ ନିଜ ଟ୍ୱିଟର ପେଜରେ ସେୟାର କରିବାକୁ ପଛାଇ ନଥିଲେ ।
ଧାରା ୩୭୦ ଉଚ୍ଛେଦକୁ ନେଇ ଜାମୟାଙ୍ଗ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଯେଉଁ ଭୁଲ କରିଥିଲେ ତାହାକୁ ଆଜି ପରିବର୍ତ୍ତନ କରାଯାଉଛି । ଦୀର୍ଘ ୭୦ ବର୍ଷ ଧରି ଲଦାଖକୁ ଆପଣାଇନଥିବା କଂଗ୍ରେସ-ପିଡିପି-ଏନସି ଆଜି ଲଦାଖର କଥା କହୁଛନ୍ତି । ତାହା ବି ପୁଣି କାଗଜ ଦେଖି । ଲଦାଖ ଭାରତର ଅଭିନ୍ନ ଅଙ୍ଗ ହେବାକୁ ଚାହୁଁଥିଲା । ସେତେବେଳେ ମଧ୍ୟ ଲଦାଖର ଲୋକ ଦାବି କରିଥିଲେ କି, ସେମାନଙ୍କୁ କାଶ୍ମୀର ସହ ମିଶା ନଯାଉ । ସେତେବେଳେ ଆମ କଥା କେହି ଶୁଣିନଥିଲେ, ଆଉ ଏଥିପାଇଁ କଂଗ୍ରେସ ଦଳ ହିଁ ଦାୟୀ ।
ଏହାସହ ଜାମୟାଙ୍ଗ କହିଛନ୍ତି, ୧୯୬୫-୭୧-୯୯ ଯୁଦ୍ଧରେ ଲଦାଖ ଲୋକ ହିଁ ବଳିଦାନ ଦେଇଛନ୍ତି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଲଦାଖ ସବୁବେଳେ ଅବହେଳିତ ରହି ଆସିଛି । ନ୍ୟାସନାଲ କନଫେରନ୍ସ ସାଂସଦ କହୁଥିଲେ, ଧାରା ୩୭୦ ଉଚ୍ଛେଦ ହେବା ଦ୍ୱାରା ବହୁତ କିଛି ହରାଇବେ କାଶ୍ମୀର । ମୁଁ ତାଙ୍କ କଥା ମାନୁଛି ଯେ କାଶ୍ମୀର ଗୋଟିଏ ବଡ ଜିନିଷ ହରାଇବ । ତାହା ହେଉଛି ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ଉପରେ ଦୀର୍ଘ ଦିନ ଧରି ରାଜ୍ କରି ଆସୁଥିବା ଦୁଇ ପରିବାର ରାଜନୈତିକ ଅସ୍ତିତ୍ୱ ହରାଇବେ ।
କଂଗ୍ରେସ ସରକାରକୁ ଟାର୍ଗେଟ କରିବାକୁ ଯାଇ ଜାମୟାଙ୍ଗ କହିଛନ୍ତି, ଯୁପିଏ ସରକାର ଥିବା ବେଳେ ଲଦାଖର ବିକାଶ ନାଁରେ ଟଙ୍କା ଆଣି କାଶ୍ମୀରରେ ଉଡାଯାଉଥିଲା । ଏପରିକି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଲଦାଖବାସୀଙ୍କୁ ଅଣଦେଖା କରାଯାଉଥିଲା । ଯେଉଁ ମାନେ ବର୍ଷ ବର୍ଷ ଧରି ଲଦାଖକୁ ଲୁଟ୍ କରୁଥିଲେ ସେମାନଙ୍କ ମନରେ ଲଦାଖ ପ୍ରତି ଏତେ ପ୍ରେମ ଆସିଲା କେଉଁଠୁ?
My young friend, Jamyang Tsering Namgyal who is @MPLadakh delivered an outstanding speech in the Lok Sabha while discussing key bills on J&K. He coherently presents the aspirations of our sisters and brothers from Ladakh. It is a must hear! https://t.co/XN8dGcTwx6
— Narendra Modi (@narendramodi) August 6, 2019
ଯେଉଁ ମାନେ ଆଜି ଲଦାଖକୁ ନେଇ ଏତେ ଚିନ୍ତିତ ହେଉଛନ୍ତି ସେହିମାନେ ଦୀର୍ଘ ବର୍ଷ ଧରି ଲଦାଖକୁ ଅଣଦେଖା କରି ଆସିଛନ୍ତି । ବାସ୍ତବରେ କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିରେ ଲଦାଖବାସୀ ବେଶ ଖୁସି ଅଛନ୍ତି । ଦୁଇ ପରିବାର ହିଁ କାଶ୍ମୀର ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛନ୍ତି । ସେମାନେ ଏବେ ବି ନିଶାରେ ଅଛନ୍ତି ଯେ, କାଶ୍ମୀର ସେମାନଙ୍କର ବାପା ସମ୍ପତ୍ତି ।
ଜାମୟାଙ୍ଗଙ୍କ ଏହି ଭାଷଣକୁ କେବଳ ସଦନରେ ପ୍ରଂଶସା କରାଯାଇନାହିଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଏହା ବେଶ ଭାଇରାଲ ହୋଇଛି । ଏହି ଯୁବ ସାଂସଦଙ୍କ ଭାଷଣରେ ମୋଦି ଏତେ ପ୍ରଭାବିତ ହୋଇଛନ୍ତି ଯେ, ସମସ୍ତଙ୍କୁ ଏହି ଭାଷଣ ଶୁଣିବାକୁ ଟ୍ୱିଟ୍ କରି କହିଛନ୍ତି ।