ମଦ୍ୟପାନ କରି ଶ୍ରମିକଙ୍କ ଉପରେ ଗାଡି ଚଢାଇଲେ ବିଜେପି ନେତାଙ୍କ ପୁଅ ! ଚାଲିଗଲା ଦୁଇଜଣଙ୍କ ଜୀବନ, ୨ ଗୁରୁତର ।

28

ଗାନ୍ଧିନଗର ରେଳବାଇ ଷ୍ଟେସନ୍ ନିକଟସ୍ଥ ରାସ୍ତାରେ ସ୍ଥାନୀୟ ଜଣେ ବିଜେପି ନେତାଙ୍କ ପୁଅ୍ ସଭ୍ ଚଳାଉଥିବା ବେଳେ ଗୁରୁବାର ରାତିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବିଜେପି ନେତା ବଦ୍ରି ମୀନାଙ୍କ ୩୫ ବର୍ଷିଅ ପୁଅ ଭାରତ ଭୁଷନ ମୀନା ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଏପରି ଘଟିଛି ।

ଗୁରୁବାର ରାତି ୧୧ଟା ସମୟରେ ୪ ଜଣ ଶ୍ରମିକ ରାସ୍ତାରେ ଶୋଇଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ରହିଛି । ଯଦିଓ ଦୁର୍ଘଟଣା ପରେ ହିଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ତଥାପି ବି ୨ ଜଣଙ୍କ ଜୀବନ ବଞ୍ଚାଇ ହୋଇନାହିଁ ।

ମୃତକ ଦ୍ୱୟ ହେଉଛନ୍ତି ସଜିଦ୍ ଖାନ(୨୫) ଏବଂ ଜଗମୋହନ ଯାଦବ(୪୦) । ସେହିପରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି ବୁନ୍ଦି ଜିଲ୍ଲାର ନାନୁରାମ ବୈରା(୩୫) ଏବଂ ମଧ୍ୟପ୍ରଦେଶର ସୀତାରାମ ଯାଦବ(୪୨) । ଘଟଣା ଘଟିବାର କିଛି ସମୟ ମଧ୍ୟରେ ପୁଲିସ୍ ଅଭିଯୁକ୍ତକୁ ଖୋଜି ପାଇବାରେ ସମର୍ଥ ହୋଇଛି । ଭାରତଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ଜାଣିବାକୁ ମିଳିଛି ଯେ ସେ ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ନିଜ ଉପରେ ଆୟତ୍ତ ନ ରଖିପାରିବାରୁ ଏପରି ଅଘଟଣ ଘଟିଛି ।