କୁନ୍ଦୁଲି ଘଟଣାର ସରଜମିନ ତଦନ୍ତ ପାଇଁ ଓଡିଶା ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ଟିମ୍ : ପୀଡିତାଙ୍କ ଗାଁ ଓ ପରିବାର ଲୋକଙ୍କ ସହ କରିବେ ଆଲୋଚନା

33

କନକ ବ୍ୟୁରୋ :  ଥମୁନି କୁନ୍ଦୁଲି ନିଆଁ । କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ଘଟଣାର ସରଜମିନ ତଦନ୍ତ କରିବେ ବିଜେପିର କେନ୍ଦ୍ରିୟ ଟିମ୍ । ଆଜି ଦିଲ୍ଲୀରୁ ଓଡିଶା ଆସିବେ ୩ ଜଣିଆ ବିଜେପିର କେନ୍ଦ୍ରୀୟ ଟିମ୍ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଏହି ତିନି ଜଣିଆ କମିଟି ଆସିବେ । ଆଜି ଦ୍ୱିପହରରେ ଭୁବନେଶ୍ୱର ପହଂଚିବେ ଏବଂ ସଂଧ୍ୟାରେ ସେମାନେ କୋରାପୁଟ ଗସ୍ତ କରିବେ । ଆସନ୍ତାକାଲି ଏହି ପ୍ରତିନିଧି ଦଳ କୁନ୍ଦୁଲି ଯାଇ ତଦନ୍ତ କରିବେ । ଫେରିବା ପରେ ୪ ତାରିଖରେ ସେମାନେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିନିଧି ଦଳରେ କେନ୍ଦ୍ରୀୟ ନେତ୍ରୀ ସରୋଜ ପାଣ୍ଡେ, ଜ୍ୟୋତି ଧ୍ରୁବେ ଓ ଅଂଜୁ ବାଲା ଅଛନ୍ତି । ସେମାନଙ୍କ ସହ ଓଡିଶା ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ କୁନ୍ଦୁଲି ଗସ୍ତ କରିବ ।

ସେପଟେ କୁନ୍ଦୁଲି ପୀଡିତାଙ୍କ ମୃତ୍ୟୁ ପ୍ରସଙ୍ଗରେ ମହିଳା କମିଶନଙ୍କ ନିରବତାକୁ ନେଇ ତାତିଛି ବିଜେପି ମହିଳା ମୋର୍ଚ୍ଚା । କୁନ୍ଦୁଲି ଘଟଣାର ତଦନ୍ତ ରିପୋର୍ଟ ଦାବି କରି ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଧଶେଇ ପଶିଥିଲେ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ । ଅଫିସ ଭିତରେ ଭଙ୍ଗାରୁଜା କରିଥିଲେ । ଏଥିସହ ଦୁଆର ମୁହଁରେ ଚୁଡି ହାର କରି ଟାଙ୍ଗିଥିଲେ । ଅନ୍ୟପଟେ ଆଜି କୁନ୍ଦୁଲି ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ମୁଖ୍ୟ ଶାସନ ସଚିବ , ଗୃହ ବିଭାଗ ସଚିବ, ପୋଲିସ ଡିଜି, ସିବିଆଇ, କୋରାପୁଟ୍ ଏସପି ଓ ପଟାଙ୍ଗୀ ଆଇଆଇସିଙ୍କୁ ଏଥିରେ ପକ୍ଷ କରିଛନ୍ତି ।

ସେପଟେ ନ୍ୟାୟରେ ପକ୍ଷପାତିତା କରି କୁନ୍ଦୁଲି ପୀଡିତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ଭାଇ । କୋରାପୁଟ୍ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ସେ ମାମଲା ରୁଜୁ କରିଛନ୍ତି ।