୨୦୧୪ରେ ମୋଦିଙ୍କ ହାୱା ସତ୍ତେ୍ୱ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ବହୁ ପ୍ରାର୍ଥୀଙ୍କୁ ଦଳ ଟିକେଟ ରେସରୁ ବାଦ ଦେଇଛି । ୯୯ ବିଧାନସଭା ଆସନ ପାଇଁ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ୨୦୧୪ ତୁଳନାରେ ୬୪ଟି ଆସନରେ ଦଳ ପ୍ରାର୍ଥୀ ବଦଳାଇ ଦେଇଛି । ଏହି ତାଲିକାରେ ଅନ୍ୟ ଦଳରୁ ଆସି ବିଜେପିରେ ମିଶିଥିବା ବହୁ ନେତାଙ୍କୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ୨ ବିଧାୟକଙ୍କୁ ଦଳ ଟିକେଟ ଦେଇନାହିଁ ।
୨୦୧୪ରେ ଯେଉଁ ପ୍ରାର୍ଥୀ ମାନଙ୍କୁ ଦଳ ଟିକେଟ ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା ସେମାନଙ୍କ ମଧ୍ୟରୁ ବହୁ ନେତାଙ୍କୁ ଦଳ ଟିକେଟ ଦେଇନାହିଁ । ୬୪ ଜଣଙ୍କର ଟିକେଟ କାଟି ଦେଇଛି ଦଳ । ସ୍ୱାଧୀନ ଭାବେ ଅତୀତରେ ନିର୍ବାଚନ ଲଢି ଭଲ ପ୍ରଦର୍ଶନ କରିଥିବା କିଛି ନେତାଙ୍କୁ ଦଳ ୨୦୧୯ରେ ଟିକେଟ ଦେଇଛି । ଯାହା କିଛି ସ୍ଥାନରେ ଅସନ୍ତୋଷ ମଧ୍ୟ ସୃଷ୍ଟି କରିଛି ।
ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧୀନରେ ଦଳ ଯେତେବେଳେ ପ୍ରାର୍ଥୀ ବଦଳାଇ ଦେଇଛି, ତାର ଏକ ବଡ ପ୍ରଭାବ ଦଳର ସଂଗଠନରେ ଦେଖିବାକୁ ମିଳିଛି । ଗତକାଲି ଠାରୁ ଟିକେଟ ଆଶାୟୀ ଥିବା ଅମୀୟ ଦାସଙ୍କ ସମର୍ଥକ ରାଜ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ କର୍ମୀ ଦଳର ବରିଷ୍ଠ ନେତା ସମୀର ମହାନ୍ତିଙ୍କ ଘର ସାମ୍ନାରେ ଭଙ୍ଗାରୁଜ୍ଜା କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ତାଲିକାରେ ଦଳ ୬୫ ପ୍ରତିଶତ ପ୍ରାର୍ଥୀ ବଦଳାଇ ଦେଇଛି । ଯାହା ଧୀରେ ଧୀରେ ଦଳ ଭିତରେ ଚାପା ଗୁଂଜରଣ ମଧ୍ୟ ସୃଷ୍ଟି କରୁଛି । ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀରେ ଧୀରେ ଧୀରେ ବିଦ୍ରୋହ ମୁଣ୍ଡ ଟେକିବାରେ ଲାଗିଛି । ଦୀର୍ଘ ୩୦ ବର୍ଷ ଧରି ବିଜେପି ସଙ୍ଗଠନ ସହ ଜଡିତ ଥିବା ବରିଷ୍ଠ ଆଇନଜୀବି ତଥା ବରିଷ୍ଠ ବିଜେପି ନେତା ଉଦୟନାଥ ସାହୁ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଦଳ ପକ୍ଷରୁ ବଡଚଣା ପାଇଁ ଅମର ନାୟକଙ୍କ ନାମ ଘୋଷଣା ହେବାପରେ ବଡଚଣା ବିଜେପିରେ କୁହୁଳୁଥିବା ଅସନ୍ତୋଷ ପଦାକୁ ଆସିଛି । ଯେଉଁମାନେ ଦଳୀୟ ଲୋକ ସେମାନଙ୍କୁ ରାଜ୍ୟ ନେତୃତ୍ୱ ଉପେକ୍ଷା କରିଥିବା ସେ ଅଭିଯୋଗ କରିବା ସହ ଆଗାମୀ ଦିନରେ ଦଳ ଯଦି ନିଷ୍ପତିର ପୁନର୍ବିଚାର ନ’କରେ ତେବେ ଏହା ଦଳପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଉଦୟନାଥ ସାହୁ ।
ସମାନ ସ୍ଥିତି ଭଦ୍ରକରେ ମଧ୍ୟ ଦେଖିବାକୁ ମିଳିଛି । କଂଗ୍ରେସରୁ ବିଜେପିକୁ ଆସିଥିବା ମାଧବାନନ୍ଦ ମଲ୍ଲିକ ବାସୁଦେବପୁର ଟିକେଟ ପାଇବା ପରେ ଆଶାୟୀ ଥିବା ଦୀନବନ୍ଧୁ ପତି କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏପରିକି ସନ୍ଧ୍ୟା ସୁଦ୍ଧା ସେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ନିଜ ଚରମବାଣୀ ଶୁଣାଇ ଦେଇଛନ୍ତି ।
ଦଳ ଯେତେବେଳେ ନୂଆ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇବାର ରଣନୀତି ପ୍ରସ୍ତୁତ କରିଛି, ତାର ଏକ ବିପରୀତ ପ୍ରତିକ୍ରିୟା ସାଂଗଠନିକ ସ୍ତରରେ ଦେଖିବାକୁ ମିଳିଛି । ଯାହା ଆଗାମୀ ଦିନରେ ସ୍ପଷ୍ଟ କରିବ, ଦଳର ରଣନୀତି ଅନୁକୁଳ ବାତାବରଣ ସୃଷ୍ଟି କଲା ନା ଦଳ ସାମ୍ନାରେ ଅନେକ ଆହ୍ୱାନ ଆଣିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/bjp_00198.png)