ମନ୍ତ୍ରୀ କହିଲେ, ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଆତ୍ମହତ୍ୟା କରିଛନ୍ତି ସ୍ମିତାରାଣୀ । ବିଜେପି କହିଲା, ତାହେଲେ ସିବିଆଇ ତଦନ୍ତ ହେଉ । ହଟ୍ଟଗୋଳ ଭିତରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି ।

370

କନକ ବ୍ୟୁରୋ : ବିଧାନସଭାରେ ଥମୁନି ସ୍ମିତାରାଣୀ ଝଡ଼ । ଦ୍ୱିତୀୟ ଦିନରେ ବି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଜୋରଦାର ହଟଗୋଳ କରିଛନ୍ତି ବିରୋଧୀ । କଂଗ୍ରେସ ପକ୍ଷରୁ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି । ଗୃହରେ ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ କକ୍ଷ ତ୍ୟାଗ କରିଥିଲେ କଂଗ୍ରେସ ବିଧାୟକ । ସେପଟେ ଘଟଣାର ସିବିଆଇ ତଦନ୍ତ ଦାବି କରି ଗୃହରେ ହଙ୍ଗାମା କରିଥିଲା ବିଜେପି । ଆଜିର ବିଧାନସଭା ବି ନାରାବାଜି ଓ ହଟ୍ଟଗୋଳ ଭିତରେ ଆସନ୍ତାକାଲି ଯାଏଁ ମୁଲତବୀ ହୋଇଛି ।

ଦ୍ୱିତୀୟ ଦିନରେ ବି ବିଧାନସଭାରେ ଉଠିଥିଲା ସ୍ମିତାରାଣୀ ଝଡ଼ । ପ୍ରଥମ ଦିନ ଗୃହ ଅଚଳ ରହିବା ପରେ ଆଜି ଗୃହ ଆରମ୍ଭ ହେବା ମାତ୍ରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଦୁଇ ଦୁଇ ଥର ମୁଲତବୀ ପରେ କଂଗ୍ରେସ ପକ୍ଷରୁ ସ୍ମିତାରାଣୀ ମୃତ୍ୟୁକୂୁ ନେଇ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅନୁମତି ଦେଇଥିଲେ ବାଚସ୍ପତି । ଆଉ ଏହାରି ଭିତରେ ସ୍ମିତାରାଣୀ ମୃତ୍ୟୁ ମାମଲାରେ ଉତର ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ।

ଗୃହରେ ବିବୃତି ରଖି ମନ୍ତ୍ରୀ କହିଛନ୍ତି – ଶବ ବ୍ୟବଚ୍ଛେଦରୁ ଜଣାପଡିଛି ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ହୋଇପାରେ । ଦଉଡ଼ି ଦେବା ଯୋଗୁଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ସାମନାରେ ଶବ ବ୍ୟବଚ୍ଛେଦ ହେବା ସହ ଏହାର ଭିଡିଓଗ୍ରାଫି କରାଯାଇଛି । ଗେଷ୍ଟହାଉସରୁ ଜବତ ହୋଇଥିବା ହାର୍ଡଡିସ୍କ ଜିଲ୍ଲାପାଳଙ୍କ କଷ୍ଟୋଡିରେ ରହିଛି । ଅଭିଯୁକ୍ତ ଦୀର୍ଘଦିନ ହେଲା ଜେଲରେ ଅଛି । ତଦନ୍ତ ସଠିକ ଦିଗରେ ଯାଉଛି ।

ମନ୍ତ୍ରୀଙ୍କ ଉତରରେ ସନ୍ତୁଷ୍ଟ ନହୋଇ କକ୍ଷ ତ୍ୟାଗ କରିଥିଲେ କଂଗ୍ରେସ ବିଧାୟକ । ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ସ୍ମିତାରାଣୀ ମୃତୁୃ୍ୟ ମାମଲାକୁ ନେଇ ସରଗରମ ରହିଥିଲା ବିଧାନସଭା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ୩୦୬ ଧାରା ନୁହେଁ, ୩୦୨ ଧାରାରେ ହତ୍ୟା ମାମଲା ଦାୟର କରି ୫ଜଣଙ୍କୁ ଗିରଫ କରାଯାଉ । ମହିଳା କମିଶନର ଓ ଯାଜପୁର ଏସପିଙ୍କୁ ମଧ୍ୟ ବହିଷ୍କାର କରାଯାଉ ବୋଲି ବିଜେପି ଦାବି କରିଛି । ଜାଣିଶୁଣି ପୋଲିସ ଏହି ଘଟଣାକୁ ଚପାଇବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଥିଲେ ବିରୋଧୀ । ଏପରିକି ଶେଷ ପର୍ଯ୍ୟନ୍ତ ଜିଦରେ ଅଟଳ ରହି ନାରାବାଜି ଦେଇଥିଲେ ବିରୋଧୀ ବିଧାୟକ । ଫଳରେ ଗୃହକୁ ଆସନ୍ତାକାଲି ମୁଲତବୀ କରିଥିଲେ ବାଚସ୍ପତି ।