ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର । ପୁରୀରେ ଜମିପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ବିଜେପି ଆଣିଲା ଅଭିଯୋଗ ।

ବସ୍ତିବାସିନ୍ଦା ଜମି ପଟ୍ଟା ଯୋଗାଣ ମାମଲାରେ ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ସୌଦାଗର ଏବଂ ଦିନରେ ଲଣ୍ଠନ ଦେଖାଇବାର ଅପଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

272

କନକ ବ୍ୟୁରୋ: ସହରାଂଚଳର ଭୂମିହୀନ ବସ୍ତିବାସିନ୍ଦାଙ୍କ ପଇଁ ଭୂମି ଅଧିକାର । ପୁରୀରେ ଜାଗା ପ୍ରମାଣପତ୍ର ବଂଟନର ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ଅଞ୍ଚଳରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୦ଟି ବସ୍ତିର ୬ହଜାର ୫ଶହ ପରିବାରକୁ ଆଜି ଜମିପଟ୍ଟା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତର ସର୍ବବୃହତ ଯୋଜନା ହେଉଛି ଜାଗା ମିଶନ । ଏଥିରେ ରାଜ୍ୟର ଏନ.ଏନ.ସି ଓ ମୁନିସିପାଲଟିରେ ରହୁଥିବା ୧୮ ଲକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ । ବସ୍ତିବାସିନ୍ଦା ବାସୋପଯୋଗୀ ଜାଗା ପାଇବା ସହିତ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାେ ଘର, ପାଇପ ପାଣି, ରାସ୍ତା , ଏଲଇଡି ଲାଇଟ, ପାଇଖାନା ଓ ଜୀବିକା ଭଳି ଅନେକ ସୁବିଧା ସୁଯୋଗ ପାଇବେ ।

ବିଜେପି ଏହି ଯୋଜନାକୁ ବିରୋଧ କରି ରାଜ୍ୟ ସରକାରଙ୍କ ସମାଲୋଚନା କରିଛନ୍ତି । ବସ୍ତିବାସିନ୍ଦା ଜମି ପଟ୍ଟା ଯୋଗାଣ ମାମଲାରେ ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ସୌଦାଗର ଏବଂ ଦିନରେ ଲଣ୍ଠନ ଦେଖାଇବାର ଅପଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଛତ୍ରପୁରଠାରେ ପ୍ରଥମେ ୨୦୦୦ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଯୋଗାଇବା ଘୋଷଣା କରିଥିଲେ । ସରକାର ଥ୍ରି-ଟିରେ ବିଶ୍ୱାସ କରୁଛନ୍ତି ଟେକ୍ନୋଲୋଜି ବ୍ୟବହାର କରି ୨୦୧୮ରେ ଏହି ୨୦୦୦ ଲୋକଙ୍କ ତାଲିକା ୱେବସାଇଟ୍ ମାଧ୍ୟମରେ ସାର୍ବଜନୀନ କରିବା ସହ କେବେ ଜମିର ଦଖଲ ଦିଆଗଲା ଏହାର ତାରିଖ ଓ ପ୍ରମାଣର ପ୍ରକାଶ କାହିଁକି କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।

ସେପଟେ ବିଜେଡ଼ି ମଧ୍ୟ ବିଜେପି ଅଭିଯୋଗର କଡ଼ା ଜବାବ ରଖିଛି । ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବସ୍ତିବାସିନ୍ଦାଙ୍କ ପାଇଁ ‘ଜାଗା ମିଶନ’ ଭାରତର ପ୍ରଥମ ସର୍ବବୃହତ ଯୋଜନା । ଯେଉଁଥିରେ ଲକ୍ଷଲକ୍ଷ ବାସହରା ଲୋକେ ଉପକୃତ ହେବେ । କିନ୍ତୁ ବିଜେପି ଏହାକୁ ରାଜନୈତିକ ରୂପ ଦେଇ ପ୍ରହେଳିକା ସୃଷ୍ଟି କରୁଛି । ଏବଂ ବିଜେପି ଏହି ଯୋଜନାକୁ ନେଇ ଭୟବୀତ ହୋଇ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ରଖୁଛି । ଯାହାର ଜବାବ ଓଡ଼ିଶାବାସୀ ଖୁବଶୀଘ୍ର ଦେବେ ବୋଲି ବିଜେଡ଼ି କହିଛି ।