୨୦୧୯ ପାଇଁ ବିଜେପିର ସଜବାଜ ! ଆଜି ଦିଲ୍ଲୀରେ ପରିବର୍ଦ୍ଧିତ ଜାତୀୟ କାର୍ଯ୍ୟକାରିଣୀ ବୈଠକ

51

କନକ ବ୍ୟୁରୋ: ଦିଲ୍ଲୀରେ ଚାଲିଛି ମାନସ ମନ୍ଥନ । ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଦ୍ୱିତୀୟ ଦିନ । ବିଜେପିର ପରିବର୍ଦ୍ଧିତ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଦିଲ୍ଲୀ ତାଲକୋଟରା ଷ୍ଟାଡିଅମରେ ଅନୁଷ୍ଠିତ ହେବ । କାର୍ଯ୍ୟକାରିଣୀ ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ବିଜେପିର ୧୪୦୦ ବିଧାୟକ, ୫୦ରୁ ଅଧିକ କେନ୍ଦ୍ର ମନ୍ତ୍ରୀ, ୧୩ ଜଣ ମୁଖ୍ୟମନ୍ତ୍ରୀ, ୫ ଜଣ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ସହ ବିଜେପି ଶାସିତ ରାଜ୍ୟମାନଙ୍କରୁ ୨୫୦ ଜଣ ମନ୍ତ୍ରୀ, ୮୫ ବିଧାନ ପରିଷଦ ସଦସ୍ୟ ଏବଂ ୩୩୬ ସାଂସଦ ଯୋଗଦେବେ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି । ଏହି ବୈଠକରେ ଓଡିଶାରୁ ପ୍ରାୟ ଶହେ ଜଣେ ପ୍ରତିନିଧି ଯୋଗ ଦେଉଥିବା ଜଣାପଡିଛି । ଗତକାଲି ଆରମ୍ଭ ହୋଇଥିବା କାର୍ଯ୍ୟକାରିଣୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଦଳର ତୁଙ୍ଗ ନେତା, ସାଂସଦ, ବିଧାୟକ ଓ ରାଜ୍ୟ ସଭାପତିଙ୍କ ବିଜେପି କାର୍ଯ୍ୟକାରିଣୀରେ ୨୦୧୯ ନିର୍ବାଚନ ପାଇଁ ରଣନୀତି ନିର୍ଦ୍ଧାରଣ ହେବା ଆଶା କରାଯାଉଛି । ସାଧାରଣ ନିର୍ବାଚନକୁ ଆହୁରି ଦେଢ ବର୍ଷ ସମୟ ଥିବା ବେଳେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି ।

ସୂଚନା ମୁତାବକ, ଗତକାଲିଠାରୁ ନୂଆଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ବୈଠକରେ ପ୍ରଧାନମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଦଳର ତୁଙ୍ଗ ନେତା, ସାଂସଦ, ବିଧାୟକ ଓ ରାଜ୍ୟ ସଭାପତିଙ୍କ ସହ ପ୍ରାୟ ୨ଶହ ନେତା ସାମିଲ ହୋଇଛନ୍ତି । ଏହି ବୈଠକରେ ୨୦୧୯ ନିର୍ବାଚନ ପାଇଁ ହେବ ମହାମନ୍ଥନ । ସାଧାରଣ ନିର୍ବାଚନକୁ ଆହୁରି ଦେଢ ବର୍ଷ ସମୟ ଥିବା ବେଳେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଆଜି ପ୍ରଧାନମନ୍ତ୍ରୀ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବେ । ଯାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ମୋଦିଙ୍କ ଅଭିଭାଷଣ ଆଗାମୀ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦଳର ରଣକୌଶଳ ନିର୍ଦ୍ଧାରଣରେ ସହାୟକ ହେବ ।

ଏହି କାର୍ଯ୍ୟକାରିଣୀ ବୈଠକ ବିଭିନ୍ନ ଦୃଷ୍ଟିରୁ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏପରିକି ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନୂଆ ଷ୍ଟ୍ରାଟେଜି ବିଷୟରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ତାହା ସହ ରୋହିଙ୍ଗ୍ୟା ମୁସଲମାନଙ୍କୁ ନେଇ ମଧ୍ୟ ଆଲୋଚନା କରାଯିବାର ସମ୍ଭାବନା ରହିଛି । ପୂର୍ବରୁ ରୋହିଙ୍ଗ୍ୟା ମୁସଲମାନଙ୍କ ଭାରତରେ ରହିବାକୁ ବିରୋଧ କରୁଛି ବିଜେପି । ତେଣୁ ଏହା ଉପରେ କୌଣସି ନିଷ୍କର୍ସ ବାହାରିବାର ସମ୍ଭାବନା ରହିଛି ।