କନକ ବ୍ୟୁରୋ : ଶାସକ ଦଳର ଅନ୍ଧାରୀ ବିଜେ ଅଭିଯୋଗ । ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡ ଲାଗି ଆଜି ଉପନିର୍ବାଚନ ହେଉଥିବାବେଳେ ରବିବାରଠାରୁ ଶେଷ ହୋଇଛି ପ୍ରଚାର । ହେଲେ ସୋମବାର ରାତିରେ ବିଜେଡି ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ କରାଯାଇଥିବା ଅଭିଯୋଗ ହୋଇଛି । ପାରାଦୀପର ପ୍ରଭାବଶାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତ ରାତି ଅଧରେ ଭୋଟରଙ୍କୁ ପ୍ରଭାବିତ କଲାବେଳେ ଘେରିଛି ବିଜେପି ।
୬ନମ୍ବର ୱାର୍ଡ ବାଲିଝରା ସନ୍ତୋଷୀପଡାରେ ପହଂଚିଥିଲେ ସମ୍ବିତ ରାଉତ । ଖବର ପାଇ ଶତାଧିକ ବିଜେପି କର୍ମୀ ସେଠାରେ ତାଙ୍କୁ ଘେରିଯିବା ସହ ହୋହଲ୍ଲା କରିଥିଲେ । ଫଳରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ପୋଲିସ ପହଂଚି ପରିସ୍ଥିତିକୁ ଆୟତ କରିଛି । ରବିବାରଠାରୁ ପ୍ରଚାର ଶେଷ ହୋଇଥିଲେ ମଧ୍ୟ ଭୋଟିଂ ପୂର୍ବଦିନ ରାତିରେ ଭୋଟରଙ୍କୁ ଶାସକ ଦଳ ପ୍ରଭାବିତ କରୁଥିବା ବିଜେପି ଅଭିଯୋଗ କରିଛି ।
ଏପରିକି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଟାନ ଦାବି କରିଛି ଦଳ । ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡ କାଉନସିଲର ମଞ୍ଜୁଲତା ଜେନାଙ୍କର ଗତବର୍ଷ ମେ ୩୦ ତାରିଖରେ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା । ସ୍ଥାନୀୟ ଅଂଚଳର ପ୍ରାୟ ୧୮ଶହ ୮୦ ଭୋଟର ଉପନିର୍ବାଚନରେ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/Screen-shot-2018-01-16-at-8.11.40-AM.png)