ବିଜେପୁରରେ ବିଜେଡିର ବଡ ବିଜୟ ! ୧୪ ବର୍ଷ ପରେ ବନବାସରୁ ଫେରିଲା ବିଜେଡି, ୪୧୯୩୩ ଭୋଟରେ ଅଶୋକଙ୍କୁ ମାତ୍ ଦେଲେ ରୀତା

56

କନକ ବ୍ୟୁରୋ : ବିଜେପୁରରେ ବିଜେଡିର ବଡ ବିଜୟ । ବିଜେଡି ପ୍ରାର୍ଥୀ ରୀତା ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧୯୩୩ ଭୋଟରେ ବ୍ୟବଧାନରେ ପରାସ୍ତ କରି ବିଜେପୁର ଗଡ ହାତେଇଛନ୍ତି । ରିଟର୍ଣ୍ଣି ଅଫିସର ଏନେଇ ଘୋଷଣା କରିଛନ୍ତି । ଏହି ବିଜୟ ସହ ବିଜେପୁର ଲଢେଇରେ ପୂର୍ଣ୍ଣଛେଦ ପଡିଛି । ମୋଟ ୨୧ ରାଉଣ୍ଡ ଭୋଟ ଗଣତି ପରେ ବିଜେପୁର ବାଜି ଜିତିଛି ବିଜେଡି । ଏହି ବିଜୟ ସହ ପୁଣିଥରେ ଦୀର୍ଘ ୧୪ ବର୍ଷ ପରେ ବିଜେପୁର ଗଡ ଦଖଲ କରିଛି ବିଜେଡି । ୧୩ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟ ଟିକା ପିନ୍ଧିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ଏହି ସମ୍ମାନର ଲଢେଇରେ ବିଜେଡି ବିଜୟ ହେବା ସହ ନବୀନଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଭରସା ରହିଛି ବୋଲି ରାଜ୍ୟବାସୀଙ୍କ ନିକଟକୁ ଏକ ସ୍ପଷ୍ଟ ବାର୍ତ୍ତା ଯାଇଛି ।

ଭୋଟ ଗଣତିର ଆରମ୍ଭରୁ ହିଁ ବିଜେଡି ଆଗୁଆ ରହିଥିଲା । ମୋଟ ୨୧ଟି ରାଉଣ୍ଡରେ ଭୋଟ ଗଣତି ହୋଇଥିବା ବେଳେ ୨୧ଟି ରାଉଣ୍ଡରେ ବିଜେପି ଓ କଂଗ୍ରେସକୁ ପଛରେ ପକାଇଥିଲା ବିଜେଡି । ଏହସହ ଦୀର୍ଘ ୧୪ ବର୍ଷ ବନବାସ ପରେ ବିଜେପୁରକୁ ଫେରିଛି ବିଜେଡି । ପ୍ରଥମ ଥର ପାଇଁ ବିଜେପୁରରେ ବିଜେଡି ଏକ ଲକ୍ଷରୁ ଅଧିକ ଭୋଟ ହାତେଇବାରେ ସକ୍ଷମ ହୋଇଛି । ଏହି ସମ୍ମାନର ଲଢେଇରେ କିନ୍ତୁ ପୂରା ପଛରେ ପଡିଯାଇଛି କଂଗ୍ରେସ । ବିଜେଡି ୧୦୨୮୭୧ ଭୋଟ ପାଇଥିବା ବେଳେ ବିଜେପି ପାଇଛି ୬୦୯୩୮ ଭୋଟ । କିନ୍ତୁ ସମ୍ମାନର ଲଢେଇରେ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି ବିଜେପୁରବାସୀ । କଂଗ୍ରେସ ମାତ୍ର ୧୦୨୭୪ ଭୋଟ ପାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୋଟାରେ ପଡିଛି ୧୬୮୪ ଭୋଟ । ବିଜେପୁରରେ ବିଜୟ ପରେ ବିଜେଡି ଶିବିରରେ ସେଲିବ୍ରେସନ ଆରମ୍ଭ ହୋଇଛି । ନବୀନ ପଟ୍ଟନାୟକଙ୍କୁ ଏହି ବିଜୟର ଶ୍ରେୟ ଦେଇଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ ।

୨୦୧୪ ନିର୍ବାଚନକୁ ଦୃଷ୍ଟିରେ ରଖିଲେ ବିଜେପୁରରେ ମାତ୍ ଖାଇଛି କଂଗ୍ରେସ । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ବିଧାୟକ ଦିଂବଗତ ସୁବଳ ସାହୁ ୫୩,୨୯୦ଟି ଭୋଟ ପାଇଥିଲେ କିନ୍ତୁ ଉପନିର୍ବାର୍ଚନରେ ସେହି ଭୋଟକୁ ନିଜ ସପକ୍ଷକୁ ଆଣି ପାରିଲା ନାହିଁ ଦଳ । ମାତ୍ର ୧୦୨୭୪ ଭୋଟରେ ସନ୍ତୁଷ୍ଟ ହୋଇଛି କଂଗ୍ରେସ । ଏହାସହ ନିର୍ବାଚନରେ ଅମାନତ ହରାଇଛି କଂଗ୍ରେସ । ସେହିଭଳି ୨୦୧୪ ନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟ ୫୨ ୮୩୨ ପାଇଥିବା ବେଳେ ଚଳିତ ଉପନିର୍ବାଚନରେ ଏହାର ଦୁଇଗଣା ଭୋଟ ହାତେଇବାରେ ସକ୍ଷମ ହୋଇଛି ବିଜେଡି । ମୋଟ ୧୦୨୮୭୧ ଭୋଟ ହାତେଇବା ସହ ପ୍ରଥମ ସ୍ଥାନରେ ରହିଛି ବିଜେଡି । ବିଜେପି ମଧ୍ୟ ପୂର୍ବପେକ୍ଷା ଭଲ ପ୍ରଦର୍ଶନ କରିଛି କିନ୍ତୁ ଏହା ଦଳର ବିଜୟରେ ସହାୟକ ହୋଇ ପାରିନାହିଁ । ବିଜେପି ମଧ୍ୟ ୨୦୧୪ ତୁଳନାରେ ଦୁଇଗୁଣା ଭୋଟ ପାଇଛି କିନ୍ତୁ ଏହା ବିଜେପୁର ବିଜୟ ପାଇଁ ଯଥେଷ୍ଟ ନୁହେଁ । ବିଜେପି ୬୦୯୩୮ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ସନ୍ତୁଷ ହୋଇଛି । ଚଳିତ ଉପନିର୍ବାଚନରେ ରେକର୍ଡ ୮୨.୧୭% ମତଦାନ କରିଥିଲେ ବିଜେପୁରବାସୀ । ଆଉ ଏହି ମତଦାନ ଏବେ ବିଜେଡି ସପକ୍ଷରେ ଯାଇଥିବା ଜଣାପଡିଛି । ମୋଟ ୧ ଲକ୍ଷ ୮୧ ହଜାର ୭୧୬ ଜଣ ଭୋଟର ମତଦାନ କରିଥିଲେ ।

bijepurବିଜେପୁରରେ ବିଜେଡିର ବିଜୟ ପରେ ଦଳୀୟ ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ । ଆଉ ଏହାର ପୂରା ଶ୍ରେୟ ନବୀନଙ୍କୁ ଦେଇଛନ୍ତି ଦଳୀୟ ପ୍ରାର୍ଥୀ ରୀତା । ବିଜେପୁର ବିଜୟ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିଲା । ୨୦୧୯ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଜେପୁର ନିର୍ବାଚନକୁ ବିଜେଡି ଜିତି ଆଗାମୀ ସାଧାରଣ ନିର୍ବାଚନ ପାଇଁ ପୁନାଦି ଖୋଳିଛି । ଏହି ବିଜୟ ସହ ଓଡ଼ିଶା ଦଖଲ କରିବାକୁ ସ୍ୱପ୍ନ ଦେଖୁଥିବା ବିଜେପିକୁ ଜବରଦସ୍ତ ଝଟକା ଦେଇଛି ବିଜେଡି । ନବୀନଙ୍କୁ ହୋଇଥିବା ଚପଲ ମାଡ ଯୋଗୁଁ ବିଜେଡି ଅନୁକମ୍ପା ଭୋଟ ହାତେଇବାରେ ବିଜେଡି ସକ୍ଷମ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଏହାସହ ଉପନିର୍ବାଚନ ପୂର୍ବରୁ ବିଜେପୁର ପାଇଁ ନବୀନ ଯେଉଁ ଘୋଷଣା କରିଥିଲେ ତାହା ଭୋଟରେ ପ୍ରତିଫଳନ ହୋଇଛି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।

bijepurବିଜେପୁର ବିଜୟ ବିଜେଡିକୁ ଯେତିକି ଉତ୍ସାହିତ କରିଛି ବିଜେପିକୁ ସେହି ପରିମାଣର ଝଟକା ଦେଇଛି । ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁ ସଫଳତା ପାଇଥିଲା ତାହାକୁ ବଜାୟ ରଖି ପାରିନାହିଁ ପଦ୍ମ ଦଳ । ଆଉ ଏହି ପରାଜୟ ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ରଙ୍କୁ ଅଧିକ ବ୍ୟଥିତ କରିଛି । କାରଣ ବିଜେପୁର ପ୍ରଚାରର ମଙ୍ଗ ଧର୍ମେନ୍ଦ୍ର ନିଜେ ଧରିଥିଲେ । ମାଳ ମାଳ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ମୈଦାନକୁ ଆଣିବା ସତ୍ତେ୍ୱ ମଧ୍ୟ ବିଜେପୁର ବାସୀଙ୍କ ଉପରେ ଏହାର ଟିକିଏ ବି ପ୍ରଭାବ ପଡିନଥିଲା । ଏହି ଜନାଦେଶ ସାମ୍ନାକୁ ଆସିବା ପରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାସ୍ କରି ଓଡ଼ିଶା ଦଖଲ କରିବା ପାଇଁ ବିଜେପିର ମିଶନ ୧୨୦କୁ ଲାଗିଛି ଜବରଦସ୍ତ ଝଟକା ।

ବିଜେପୁର ନିର୍ବାଚନର ଫଳାଫଳ କଂଗ୍ରେସ ଦଳକୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ କରିଛି । ଲଗାତାର ତିନି ତିନି ଥର ବିଜୟ ସହ କଂଗ୍ରେସର ଗଡ କୁହାଯାଉଥିବା ବିଜେପୁର ବିଜେଡି ହାତକୁ ଚାଲି ଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସର ପକେଟ ଭୋଟ ମଧ୍ୟ ବିଜେଡି ଆଡକୁ ଢଳିଥିବା ଚର୍ଚ୍ଚା ହେଉଛି । ସୁବଳ ସାହୁଙ୍କୁ ଉପରେ ବିଜେପୁରବାସୀ ଯେଉଁଭଳି ଭାବେ ଭରସା କରିଥିଲେ ତାହା ପ୍ରଣୟଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ । ଏସବୁ ଭିତରେ ବିଜେଡ଼ିର ବିଜୟ ରାଜ୍ୟ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ଚର୍ଚ୍ଚା ହେଉଛି ।