ମୋଦିଙ୍କ ମେଗା ସୋ’ ଓ ରାହୁଲଙ୍କ ଓଡିଶା ଗସ୍ତ ପୂର୍ବରୁ ଦମ୍ଭୋକ୍ତି ଦେଖାଇଲେ ନବୀନ ! କହିଲେ, ୧୯ ନିର୍ବାଚନରେ ଖୁବ୍ ଭଲ କରିବ ଦଳ ।

147

କନକ ବ୍ୟୁରୋ : ମୋଦିଙ୍କ ମାରାଥନ୍ ଓଡିଶା ଗସ୍ତ ଓ ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତ ପୂର୍ବରୁ ୨୦୧୯ ନିର୍ବାଚନ ବିଜୟ ନେଇ ଦମ୍ଭୋକ୍ତି ଦେଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ଖୁବ୍ ଭଲ ପ୍ରଦର୍ଶନ କରିବ ବିଜେଡି । ସେପଟେ ପିସିସି ସଭାପତି କହିଛନ୍ତି, ନବୀନ ଯଦି ଦୃଢୋକ୍ତି କରୁଛନ୍ତି, ତେବେ ରାହୁଲଙ୍କ ଗସ୍ତକୁ ଏତେ ଡର କାହିଁକି ?

ନିର୍ବାଚନୀ ରଣ ପାଇଁ କ୍ଷେତ୍ର ପ୍ରସ୍ତୁତ । ବିଜୟ ନେଇ ନବୀନଙ୍କ ଦମ୍ଭୋକ୍ତି । ନିର୍ବାଚନ କମିଶନଙ୍କ ପ୍ରସ୍ତୁତି, ମୋଦିଙ୍କ ମେଗା ସୋ ଏବଂ ରାହୁଲଙ୍କ ଓଡ଼ିଶା ଆଗମନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦମ୍ଭୋକ୍ତି ହିଁ ପ୍ରମାଣ କରୁଛି ଯେ, ନିର୍ବାଚନ ରଣାଙ୍କନ ପାଇଁ ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି ବିଜୁ ଜନତା ଦଳ । କେବଳ ପ୍ରସ୍ତୁତ ହୋଇ ନାହିଁ ବରଂ ୨୦୧୯ ନିର୍ବାଚନରେ ବିଜେଡି ଖୁବ୍ ଭଲ ପ୍ରଦର୍ଶନ କରିବ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୬୦ଟି ପ୍ରକଳ୍ପ ପାଇଁ ୧୫ଶହ କୋଟି ଟଙ୍କା ମଞ୍ଜୁର କରିବା ସହ ଥ୍ରୀ-ଟି ଟେକ୍ନୋଲୋଜି, ଟିମ୍ ୱାର୍କ ଏବଂ ଟ୍ରାନ୍ସପେରେନ୍ସିର ମନ୍ତ୍ର ନେଇ ଆଗକୁ ବଢୁଛନ୍ତି ମୁଖ୍ୟମନ୍ତ୍ରୀ । ଏପଟେ ତିନି-ତିନି ଥର ଓଡ଼ିଶା ଗସ୍ତରେ ଆସି ନରେନ୍ଦ୍ର ମୋଦି ନିର୍ବାଚନ ପାଇଁ ବିଗୁଲ୍ ବଜାଇ ସାରିଥିବା ବେଳେ କଂଗ୍ରେସ ଦଳର ମନୋବଳ ବଢ଼ାଇବା ପାଇଁ ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ । ହେଲେ ରାହୁଲଙ୍କ ଗସ୍ତକୁ ବିଜେଡି ଭଣ୍ଡୁର କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ।

୨୦୧୯ ନିର୍ବାଚନକୁ ନେଇ ରାଜ୍ୟରେ ନିବାଚନୀ ମାହୋଲ୍ ସରଗରମ ହେଉଥିବା ବେଳେ ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ବିଜେପିର ୧୨୦ ନାରାକୁ ସନ୍ଦେହ ଚକ୍ଷ୍ୟୁରେ ଦେଖିଛନ୍ତି । ସେ କହିଛନ୍ତି, ୧୨୦ ଆସନ ଯଦି ବିଜେପି ନେଇଯିବ ଆମେ କ’ଣ ୨୭ଟି ଆସନ ପାଇଁ ଲଢ଼େଇ କରୁଛୁ । ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ ଅପେକ୍ଷା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ । କାରଣ ରାହୁଲ ଆସିବା ପୂର୍ବରୁ କଂଗ୍ରେସ ଛାଡୁଛନ୍ତି ଜଣେ ପରେ ଜଣେ ନେତା । ତେଣୁ ଆଗକୁ ଲଢ଼େଇ କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।