ଦ୍ୱନ୍ଦ୍ୱ ଦୂର କଲେ ବିଜେଡି ସୁପ୍ରିମୋ । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବା ପଛର କାରଣ କହିଲେ ନବୀନ । 

1,177

କନକ ବ୍ୟୁରୋ : ଦ୍ୱନ୍ଦ୍ୱ ଦୂର କଲେ ବିଜେଡି ସୁପ୍ରିମୋ । ଫାଙ୍କା ପଡିଥିବା ୩ ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି । ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲେ ନବୀନ । ତେବେ ଅଶ୍ୱିନୀଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କାରଣ ବିଜେଡିର ଘୋଷଣା ପୂର୍ବରୁ ଅଶ୍ୱିନୀଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ତେବେ ଅଶ୍ୱିନୀକୁ ନେଇ ଲାଗିରହିଥିବା ଦ୍ୱନ୍ଦରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ବିଜେଡି ସୁପ୍ରିମୋ । ପ୍ରାର୍ଥୀ ଘୋଷଣାର କିଛି ସମୟ ପରେ ପୁଣିଥରେ ଗଣମାଧ୍ୟମକୁ ବୟାନ ଦେଇ ଏହି ଦ୍ୱନ୍ଦ ଉପରୁ ପରଦା ଉଠାଇଥିଲେ ନବୀନ । ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବା ସ୍ପଷ୍ଟ କରିଥିଲେ ବିଜେଡି ସୁପ୍ରିମୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅନୁରୋଧ ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିବା ସ୍ପଷ୍ଟ କରିଛନ୍ତି ନବୀନ ।

ଅଶ୍ୱିନୀ ବୈଷ୍ଣବ । ୧୯୯୪ ଓଡିଶା କ୍ୟାଡରର ଏହି ଆଇଏଏସ ଅଫିସର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଛନ୍ତି । ଏପରିକି କଟକର ଜିଲ୍ଲାପାଳ ଭାବେ ମଧ୍ୟ ଅଶ୍ୱିନୀ କାର୍ଯ୍ୟ କରିଛନ୍ତି । ତେବେ ଅଶ୍ୱିନୀଙ୍କ ନାଁ ଘୋଷଣା ପରେ ବିଜେପି-ବିଜେଡି ମଧ୍ୟରେ ଥିବା ସର୍ମ୍ପକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।