ବିଜେଡିର ଆଶଙ୍କା, ପୁଣି ବନ୍ଧାହେବେ କି ଦଳର ନେତା ! ପ୍ରକାଶ ଜାଭଡେକରଙ୍କ ବୟାନକୁ ନେଇ ଉଠାଇଲା ପ୍ରଶ୍ନ

20

କନକ ବ୍ୟୁରୋ : ଚିଟଫଣ୍ଡ ଦୁର୍ନୀତିରେ ବିଜେଡିର ଆହୁରି କିଛି ନେତା ଜେଲ୍ ଯିବେ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ଆଶଙ୍କାରେ ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ପ୍ରଶ୍ନ କରିଛି, ବିଜେପି ଇସାରାରେ କାମ କରୁଛି କି ସିବିଆଇ?

ଜାଭଡେକରଙ୍କ ଏହି ବୟାନରେ ରାଜନୈତିକ ହସ୍ତକ୍ଷେପ ଦେଖୁଛି ବିଜେଡି । ଆଶଙ୍କା କରୁଛି ସିବିଆଇକୁ ପ୍ରଭାବିତ କରି ପୁଣି କିଛି ନେତାଙ୍କୁ ବାନ୍ଧିବ ସିବିଆଇ । ବିଜେଡିର ଏଭଳି ଆଶଙ୍କା ପଛରେ କାରଣ ହେଉଛି ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ । ଏବଂ ଏହି ଘଟଣା ଘଟିଥିଲା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଅନୁରୁପ ବୟାନ ପରେ ।

ଚିଟଫଣ୍ଡ ମାମଲାରେ ବିଜେଡିର ନେତା ଗିରଫ ହେବା ପଛରେ ରାଜନୈତିକ କାରଣ ଅଛି ନା ସିବିଆଇ ପ୍ରକୃତରେ ଏମାନଙ୍କ ବିରୋଧରେ ପ୍ରମାଣ ପାଇଛି ତାହା ଏକ ବିତର୍କର ବିଷୟ । କିନ୍ତୁ ମୋଦି ସରକାରଙ୍କ ବରିଷ୍ଠ ମନ୍ତ୍ରୀ କିମ୍ବା ସଭାପତିଙ୍କ ମୁହଁରେ ଏଭଳି ବୟାନ ବିଜେଡିକୁ ଆଶଙ୍କାରେ ପକାଇଦେଉଛି ।