ଚମକାଇଦେବ ଉପକୂଳ ଓଡିଶା ଫଳାଫଳ! ଆସିଲା ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ,ଜାଣନ୍ତୁ କାହାକୁ ମିଳିପାରେ କେତେ ଆସନ?

758

କନକ ବ୍ୟୁରୋ : ଉପକୂଳ ଓଡିଶାରେ ଚମକିପାରେ ବିଜେଡି । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ ଉପକୂଳ ଓଡିଶାରେ ପୁଣିଥରେ କାମ କରିପାରେ ନବୀନଙ୍କ ଲୋକପ୍ରିୟତା । ମୋଟ ୬ ଲୋକସଭା ଆସନରୁ ୨ଟିରେ ବିଜେଡିର ବିଜୟ ସମ୍ଭାବନା ରହିଥିବା ବେଳେ ୩ଟିରେ କଡା ଟକ୍କର ଦେଖିବାକୁ ମିଳିବ । ରାଜଧାନୀ ଭୁବନେଶ୍ୱର ଆସନରେ ବିଜେପି ଜିତିବା ନେଇ ଏକଜିଟ୍ ରିପୋର୍ଟରେ ସଂକେତ ମିଳିଛି ।

କେନ୍ଦ୍ରାପଡା, ଜଗତସିଂହପୁରରେ ବିଜେଡି ୨୦୧୪ର ଫଳାଫଳକୁ ଦୋହାରାଇପାରେ ବୋଲି ସଂକେତ ମିଳିଛି । ସେହିଭଳି ପୁରୀ, ଯାଜପୁର ଓ କଟକରେ କ୍ଲୋଜ ଫାଇଟ ଦେଖିବାକୁ ମିଳିପାରେ । ଫୋକସରେ ରହିଥିବା କେନ୍ଦ୍ରାପଡା ଆସନରେ ଅନୁଭବ ବିଜେଡି ଗଡକୁ ସୁରକ୍ଷିତ ରଖିପାରନ୍ତି । ହେଭିୱେଟ ବୈଜୟନ୍ତଙ୍କୁ ମାତ୍ ଦେଇ କେନ୍ଦ୍ରାପଡାର ଇତିହାସର ପୁନରାବୃତ୍ତି କରିପାରନ୍ତି ଅନୁଭବ । ସେହିଭଳି ଜଗତସିଂହପୁରରେ ଭଲ ପ୍ରଦର୍ଶନ କରିବ ବିଜେଡି । ଉଭୟ ଲୋକସଭା ଓ ବିଧାନସଭାରେ ଦମ ଦେଖାଇବ ବିଜେଡି ।

ଅନ୍ୟପଟେ ବିଜେଡିର ସେଫ୍ ଜୋନ କୁହାଯାଉଥିବା ଯାଜପୁର,କଟକ ଓ ପୁରୀରେ ଚଳିତଥର ଭିନ୍ନ ଚିତ୍ର ଦେଖିବାକୁ ମିଳିପାରେ । ଏହି ୩ ଲୋକସଭା ଆସନରେ କ୍ଲୋଜ୍ ଫାଇଟ୍ ଦେଖିବାକୁ ମିଳିପାରେ । କଟକ ଓ ପୁରୀରେ ବିଜେଡିର ହେଭିୱେଟ ତଥା ଅଭିଜ୍ଞ ନେତାଙ୍କୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିପାରେ । ପୁରୀରେ ବିଜେପି ଓ କଂଗ୍ରେସର ନବାଗତ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଦେଉଥିବା ବେଳେ କଟକରେ ଭର୍ତ୍ତୃହରିଙ୍କୁ କଡା ଟକ୍କର ଦେଉଛନ୍ତି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ।

ଏସବୁ ଭିତରେ ଦୀର୍ଘ ୨୧ ବର୍ଷ ଧରି ଶଙ୍ଖଧ୍ୱନି ଶୁଭୁଥିବା ରାଜଧାନୀ ଭୁବନେଶ୍ୱରରେ ଚଳିତ ଥର ପଦ୍ମ ଫୁଟିପାରେ । ଏହି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । କିନ୍ତୁ ଏହି ଆସନ ପାଇଁ ବିଜେପି ପାଇଁ ଖୁସି ଖବର ଆଣିପାରେ । ବିଜେପିର ଅପରାଜିତା ଷଡଙ୍ଗୀ ଏହି ଆସନରେ ବାଜି ମାରିପାରନ୍ତି ।

ସେହିଭଳି ଉପକୂଳ ଓଡିଶାରେ ଥିବା ୪୧ ବିଧାନସଭା ଆସନରେ ବିଜେଡି ଫାଇଦାରେ ରହିପାରେ । କିଛି ହାଇଭୋଲଟେଜ ଆସନକୁ ଛାଡିଦେଲେ ବାକି ଆସନରେ ବିଜେଡିର ପଲା ଭାରି ରହିପାରେ । ଉପକୂଳ ଓଡିଶାର ମୋଟ ୪୧ ଆସନ ମଧ୍ୟରୁ ୨୭ଟିରେ ବିଜେଡି ବାଜିମାତ୍ କରିପାରେ । ସେହିଭଳି କଂଗ୍ରେସ ଓ ବିଜେପି ୫ଟି ଲେଖାଏଁ ଆସନରେ ବିଜୟ ଧ୍ୱଜା ଉଡାଇପାରନ୍ତି । ତେବେ ୪ଟି ଆସନରେ କ୍ଲୋଜ ଫାଇଟ ହୋଇପାରେ । ଭୁବନେଶ୍ୱର ଲୋକସଭା ଅଧୀନରେ ଆସୁଥିବା ବେଗୁନିଆ ଓ ଖୋର୍ଦ୍ଧା ଆସନ, କଟକ ଲୋକସଭା ଅଧୀନରେ ଆସୁଥିବା ବାଙ୍କୀ ଆସନ ଓ ଜଗତସିଂହପୁର ଲୋକସଭା ଅଧିନରେ ଆସୁଥିବା ନିମାପଡାରେ କ୍ଲୋଜ ଫାଇଟ ଦେଖିବାକୁ ମିଳିପାରେ ।