ଦେଢ଼ମାସରେ କିଏ କରିଛି କେତେ ପ୍ରଶ୍ନ ? ସଂସଦ କାନରେ ପଡ଼ିଛି କେଉଁ ସାଂସଦର ଶାଣିତ ସ୍ୱର?

482

କନକ ବ୍ୟୁରୋ: ଚଳିତ ସଂସଦୀୟ ଅଧିବେଶନର ଦେଢ଼ମାସ ବିତିଗଲାଣି । ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ୩୦ରୁ ଉଦ୍ଧ୍ୱର୍ ବିଲ୍ ଉପସ୍ଥାପନ ହୋଇସାରିଲାଣି । ତେବେ କେଉଁ ଦଳର ସାଂସଦ ପାର୍ଲାମେଣ୍ଟରେ କେତେ ପ୍ରଶ୍ନ କରିଛନ୍ତି ସେନେଇ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଆଉ ମୋଦି ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପେଡ଼ିରୁ କେତେ ପ୍ରଶ୍ନ ବାଣ ବାହାରିଛି, ସେନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ମୁତାବକ, ପାର୍ଲିଆମେଣ୍ଟର ୬ଜଣ ସାଂସଦ ଚଳିତ ଅଧିବେଶନକୁ ଦେଢ଼ ମାସ ବିତିଯାଇଥିଲେ ବି ଏଯାବତ୍ କୌଣସି ବିଲ୍ ଉପରେ ଆଦୌ ମୁହଁ ଖୋଲି ନାହାନ୍ତି । ସେମାନଙ୍କ ମଧ୍ୟରେ କଂଗ୍ରେସ ଉପାଧ୍ୟକ୍ଷା ସୋନିଆ ଗାନ୍ଧି, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ବିଜେପି ନବ ନିର୍ବାଚିତ ସାଂସଦ ସନି ଦେଓଲ, ସ୍ୱାଧି ପ୍ରଜ୍ଞା ସିଂ ଠାକୁର, ଟିଏମସର ନୁରସତ୍ ଜାହାଂ ଏବଂ ଟିଏମସିର ମିମି ଚର୍କବର୍ତ୍ତୀ ଏପର୍ଯ୍ୟନ୍ତ ପାର୍ଲିଆମେଣ୍ଟରେ ମୁହଁ ଖୋଲି ନାହାନ୍ତି । ଏପରିକି ଗୃହରେ ଗୋଟିଏ ପ୍ରଶ୍ନ ମଧ୍ୟ କରିନଥିବା ଜଣାପଡ଼ିଛି ।

ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଢ଼ ମାସ ସଂସଦୀୟ ଅଧିବେଶନ କାଳରେ ମାତ୍ର ଦୁଇଟି ପ୍ରଶ୍ନ କରିଥିବା ରିପୋର୍ଟ କହୁଛି । କଂଗ୍ରେସର ଶୋଚନୀୟ ପରାଜୟ ସତ୍ୱେ ମଧ୍ୟ ୱାଏନାଡରୁ ରେକର୍ଡ ସଂଖ୍ୟକ ଭୋଟ୍ ରେ ଚଳିତ ବର୍ଷ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ରାହୁଲ । ହେଲେ ନିର୍ବାଚନର ପରାଜୟ ପରି ସତେ ଯେମିତି ରାହୁଲଙ୍କ ମୁହଁ ମଧ୍ୟ ସଂସଦ ଭବନରେ ବନ୍ଦ ହୋଇଯାଇଛି । ଆଉ ସଂସଦର ପ୍ରଶ୍ନକାଳରେ ଏଯାବତ୍ ରାହୁଲଙ୍କ କମାଣରୁ ମୋଦି ସରକାରଙ୍କ ପାଇଁ ବାହାରିଛି ଦୁଇଟି ପ୍ରଶ୍ନବାଣ ।

ସେପଟେ ପୂର୍ବ ବର୍ଷ ଠାରୁ ସଂସଦରେ ଅଧିକ ସକ୍ରିୟ ବିଜେଡି । ଆଉ ଚଳିତ ନିର୍ବାଚନରେ ରାଜ୍ୟରେ ପଞ୍ଚମଥର ପାଇଁ କ୍ଷମତାକୁ ଆସିଥବା ବିଜେଡି ଦଳର ସାଂସଦମାନେ ସଂସଦରେ ବେଶ୍ ଚର୍ଚ୍ଚିତ ରହିଛନ୍ତି । ଏସବୁ ଭିତରେ କଟକ ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଅଧିକ ପ୍ରଶ୍ନ କରିଥିବା ସାଂସଦ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଆଉ ରାଜ୍ୟ ସମ୍ବନ୍ଧୀୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ପାଖାପାଖି ୬୧ଟିରୁ ଉଦ୍ଧ୍ୱର୍ ପ୍ରଶ୍ନ ଲୋକସଭାରେ ଉପସ୍ଥାପନ କରିଛନ୍ତି । ସେହିଭଳି ଏନସିପି ବାରମତୀ ସାଂସଦ ସୁପ୍ରିୟା ସୁଲେ ସର୍ବାଧିକ ୧୦୯ଟି ପ୍ରଶ୍ନ କରିଥିବାବେଳେ ଶିବସେନାର ସାଂସଦ ଶ୍ରୀକାନ୍ତ ଏକନାଥ ସିନେ୍ଧ ୮୪ଟି ପ୍ରଶ୍ନ ଲୋକସଭାରେ ଉଠାଇଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।