ହକିର ସଫଳତା ଦେଖି ବିଚଳିତ ହୋଇଛି ବିଜେପି । ଲେଖାଶ୍ରୀଙ୍କ ‘ସଲମାନ’ ଟ୍ୱିଟ୍ ଉପରେ କଡା ଆଭିମୁଖ୍ୟ ରଖିଲା ବିଜେଡି

3,444

କନକ ବ୍ୟୁରୋ : ଭୁଲ ମାଗନ୍ତୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସଲମାନଙ୍କୁ ଓଡିଶା ସରକାର ୧ କୋଟି ୮୯ ଲକ୍ଷ ଟଙ୍କା ଦେଇ ବାରବାଟୀ ଷ୍ଟାଡିୟମକୁ ଆଣିଥିଲେ ବୋଲି ଲେଖାଶ୍ରୀ ଯେଉଁ ବିଭ୍ରାନ୍ତିକର ଟ୍ୱିଟ୍ କରିଛନ୍ତି ସେଥିପାଇଁ କ୍ଷମା ମାଗନ୍ତୁ ବୋଲି ବିଜେଡି ସୁଲୋଚନା ଦାଶ କହିଛନ୍ତି । ଲେଖାଶ୍ରୀ ଆଣିଥିବା ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି କହିଛନ୍ତି ସୁଲୋଚନା ।


ବାରବାଟୀରେ ଯୋଗ ଦେବା ପାଇଁ ସଲମାନଙ୍କ ସମ୍ପୂର୍ଣ୍ଣ ଖର୍ଚ୍ଚ ହକି ଇଣ୍ଡିଆ ପକ୍ଷରୁ ଦିଆଯାଇଛି । ବାରବାଟୀକୁ ଆସିବା ପାଇଁ ସଲମାନ ଯାହା ବି ଫି ନେଇଛନ୍ତି ତାହା ହକି ଇଣ୍ଡିଆର ପ୍ରୟୋଜକ ମାନେ ଦେଇଛନ୍ତି ବୋଲି ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ଏପରିକି ଉଭୟ ଭୁବନେଶ୍ୱର ଓ କଟକରେ ହୋଇଥିବା ଦୁଇଟି ଉତ୍ସବ ପାଇଁ ହକି ଇଣ୍ଡିଆ ପକ୍ଷରୁ ସମସ୍ତ ଖର୍ଚ୍ଚ କରାଯାଇଛି ବୋଲି ଟ୍ୱିଟ୍ କରି ଜଣାଇଛି ହକି ଇଣ୍ଡିଆ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଇନାହିଁ ।


ସଲମାନଙ୍କ ଫିକୁ ନେଇ ଲେଖାଶ୍ରୀ ଟ୍ୱିଟ୍ କରି କହିଥିଲେ, ନିଜ ସରକାରର ପ୍ରମୋଶନ ଓ ସେଲଫି ଉଠାଇବା ପାଇଁ ସଲମାନଙ୍କୁ ବାରବାଟୀକୁ ଡକାଯାଇଥିଲା । ଏପରିକି ଏଥିପାଇଁ ସଲମାନଙ୍କୁ ୧ କୋଟି ୮୯ ଲକ୍ଷ ଟଙ୍କାର ମୋଟା ଅଙ୍କର ଫି ଦିଆଯାଇଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲାଜ ଲାଗିବା ଦରକାର । ଏପରିକି ସୋସିଆଲ ମିଡିଆରେ ସଲମାନଙ୍କ ଫି କୁ ନେଇ ଭାଇରାଲ ହୋଇଥିବା କିଛି ଫଟୋ ମଧ୍ୟ ଅପଲୋଡ କରିଥିଲେ ଲେଖାଶ୍ରୀ ।

ତେବେ ଏହି ଘଟଣା ଜଣାପଡିବା ପରେ ହକି ଇଣ୍ଡିଆ ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଥିଲା । ଦୁଇଟି ଉତ୍ସବରେ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରିନଥିବା କହିଥିଲା ବୋର୍ଡ । ଆଉ ଏହା ସ୍ପଷ୍ଟ ହେବା ପରେ ରାଜ୍ୟବାସୀଙ୍କ ନିଟକରେ ଲେଖାଶ୍ରୀଙ୍କୁ କ୍ଷମା ମାଗିବାକୁ କହିଛି ବିଜେଡି । ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ସଫଳତା ଦେଖି ବିଜେପି ରାଜ୍ୟ ସରକାରଙ୍କ ଉପରେ ଇର୍ଷା କରୁଛି । ଏଭଳି ଆୟୋଜନ ଦେଖି ବିଚଳିତ ହୋଇଛି ବିଜେପି । ଏପରିକି ବିଜେପିର ନେତା ମାନେ ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ଓ ଶସ୍ତା ରାଜନୀତି ପାଇଁ ଓଡିଶାର ଚିତ୍ରକୁ ବାହାରେ ବଦନାମ କରିବାକୁ ମଧ୍ୟ ପଛାଉନାହାନ୍ତି । ମିଛ କଥା କହି ଲୋକଙ୍କୁ ଭୁଆଁ ବୁଲାଇଥିବାରୁ ତୁରନ୍ତ ଲେଖାଶ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି ।