ସମର୍ଥନ ବଦଳରେ ବିଜେଡି ରଖିଲା ପ୍ରତିଦାନର ଆଶା । ଓଡ଼ିଶା ବିଧାନ ପରିଷଦ ବିଲ୍ ଆଣିବାକୁ କଲା ଦାବି, କଂଗ୍ରେସ କହିଲା, ଦଳୀୟ ନେତାଙ୍କ ଥଇଥାନ ଚାହୁଁଛି ବିଜେଡି ।

663

କନକ ବ୍ୟୁରୋ : ବିଜେଡି ସାଂସଦମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଭେଟିବା ପରେ ଦୁଇ ଦଳର ଡିଲକୁ ନେଇ ଜୋର ଧରିଛି ଚର୍ଚ୍ଚା । ନାଗରିକତା ସଂଶୋଧନ ବିଲକୁ ସଂସଦର ଉଭୟ ସଦନରେ ବିଜେଡି ସମର୍ଥନ କରିବା ପ୍ରତି ବଦଳରେ ବିଧାନ ପରିଷଦ ବିଲ୍ ଆଣିବା ପାଇଁ ଦାବି କରିଥିବା କୁହାଯାଉଛି । ଅନ୍ୟପଟେ ଏହାକୁ ସମାଲୋଚନା କରିଛନ୍ତି ବିରୋଧୀ ।

ପୁଣି ଉଠିଲା ବିଧାନ ପରିଷଦ ପ୍ରସଙ୍ଗ । କେନ୍ଦ୍ର ନିକଟରେ ଦାବି ଜଣାଇଲା ବିଜେଡି । ସଂସଦରେ ନାଗରିକ ସଂଶୋଧନ ବିଲକୁ ସମର୍ଥନ ପରେ ପ୍ରତିଦାନ ମାଗିଲା ବିଜେଡି । ବିଭିନ୍ନ ସମୟରେ ଏନଡିଏ ସରକାରଙ୍କୁ ସହଯୋଗ କରୁଥିବା ବେଳେ ଏବେ ଓଡିଶା ସ୍ୱାର୍ଥ ସମ୍ବଳିତ ଦାବି ଜଣାଇଛି ଦଳ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ବିଭିନ୍ନ ଦାବି ସହିତ ବିଧାନ ପରିଷଦ ବିଲ କଥା ଉଠାଇଛନ୍ତି ବିଜେଡି ସାଂସଦ । ଏ ସଂକ୍ରାନ୍ତ ସଂକଳ୍ପ ବିଧାନସଭାରେ ପାରିତ ହୋଇ ବର୍ଷେ ହେଲା ଅଟକି ରହିଛି । ହେଲେ କେନ୍ଦ୍ର ସରକାର ଏ ନେଇ ବିଲ୍ ଆଣୁନାହାନ୍ତି । ତେଣୁ ଚଳିତ ବଜେଟ ଅଧିବେଶନରେ ବିଲ ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ଦାବି କରିଛି ଦଳ ।

ଓଡିଶା ବିଧାନ ପରିଷଦ ବିଲ ଓଡିଶା ବିଧାନସଭାରେ ପାରିତ ହେବା ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି । ଟ୍ରିପଲ ତଲାକ୍, ଧାରା ୩୭୦ ଓ ନାଗରିକ ସଂଶୋଧନ ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମର୍ଥନ ଜଣାଇସାରିଛି ବିଜେଡି । ୨୦୧୯ ନିର୍ବାଚନ ପରେ ବିଜେଡି ଓ ବିଜେପି ମଧ୍ୟରେ ଦୂରତା କମିଥିବାରୁ ଓଡ଼ିଶା ବିଧାନ ପରିଷଦକୁ ଏବେ ସବୁଜ ସଂକେତ ମିଳିବା ନେଇ ଆଶା ରଖିଛି ବିଜେଡି । ଅନ୍ୟପଟେ ବିଜେଡିର ଏହି ଉଦ୍ୟମକୁ ସମାଲୋଚନା କରିଛନ୍ତି ବିରୋଧୀ । ବିଧାନ ପରିଷଦ ନୁହେଁ ବଳି ପଡ଼ିଥିବା ନେତାଙ୍କୁ ବିଜେଡି ଥଇଥାନ କରିବାକୁ ଚାହୁଁଛି ବୋଲି କହିଛି କଂଗ୍ରେସ ।

କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ବିଡେଡି ସାଂସଦ ଭେଟିବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ସୂଚନା ଅନୁସାରେ ଏହି ଭେଟଘାଟ ସମୟରେ କୋଇଲା ରୟାଲଟି ସଂଶୋଧନ, ଜିଏସଟି କ୍ଷତି ଭରଣା, ରେଲୱେ ପ୍ରକଳ୍ପର ଅନୁଦାନ ଓ ରାଜ୍ୟ ପାଇଁ ବକେୟା ଥିବା ଅର୍ଥରାଶି କଥା ଉଠାଇଛନ୍ତି ବିଜେଡି ସାଂସଦ ।