ନିର୍ବାଚନ ସମୟରେ ବିଜେପିର ଅପରାଧିକ କାର୍ଯ୍ୟକଳାପ ନେଇ ବିଜେଡିର କାଉଣ୍ଟର । କହିଲା ବିଜେପିକୁ ଘାରିଛି ପରାଜୟର ଭୟ ।

203

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ, ଆଜି ସୋରଡାରେ ଯେଉଁ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା, ତାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପି ପ୍ରାର୍ଥୀଙ୍କ ଇଭିଏମ୍ ଭଙ୍ଗାରୁଜା ଓ ବୁଥରେ ଆକ୍ରମଣ ଘଟଣାକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ବିଜେପି ନିର୍ବାଚନ ହାରିବା ଭୟରେ ଏଭଳି ହିଂସା ଭିଆଉଥିବା ବିଜେଡି କହିଛି । କେବଳ ଏତିକି ନୁହେଁ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ନାଁରେ ୨୮ରୁ ଅଧିକ ମାମଲା ରହିଛି । ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।

କେବଳ ଏତିକି ନୁହେଁ, ଦୁଇଦିନ ତଳେ ବୁର୍ଲା ଏମସିଏଲ ହେଲିପ୍ୟାଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁଟକେସ୍ ଯାଞ୍ଚ ପ୍ରସଙ୍ଗ ମଧ୍ୟ ଉଠାଇଛି ବିଜେଡି । ହେଲିପ୍ୟାଡରେ ନଜର ଆସିଥିବା ଧର୍ମେନ୍ଦ୍ରଙ୍କ ସୁଟକେସରେ କ’ଣ ଥିଲା ଏବଂ ଧର୍ମେନ୍ଦ୍ର ଯାଞ୍ଚରେ କାହିଁକି ସହଯୋଗ କଲେନି ବୋଲି ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି । ଏହା ସହ କେନ୍ଦ୍ରମନ୍ତ୍ରୀଙ୍କ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଏବଂ ଟିଟୋ ସହ ଲିଙ୍କ ରହିଥିବା ବିଜେଡି କହିଛି । ତେବେ ବିଜେପିର ଏପରି ଅନେକ ଅପରାଧିକ କାର୍ଯ୍ୟକଳାପ ଥିବା ବେଳେ ନିର୍ବାଚନ ସମୟରେ ପରାଜୟ ଭୟରେ ହିଂସା ଭିଆଉଥିବା ବିଜେଡି କହିଛି ।

ସୂଚନା ଅନୁଯାୟୀ, ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ା ରେଂଟ୍ ଗାଁର ବୁଥ ନମ୍ବର ୧୮୨ରେ ବିଜେପି ପ୍ରାର୍ଥୀ ଇଭିଏମ୍ କଂଟ୍ରୋଲ ୟୁନିଟ୍ ଭଙ୍ଗାରୁଜା କରିଥିବା କହିଛନ୍ତି ଗଂଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମତ୍ର କୁଲାଙ୍ଗି କହିଛନ୍ତି, ବିଜେପି ପ୍ରାର୍ଥୀ ଜୋରଜବରଦସ୍ତ ବୁଥ ଭିତରେ ପଶି ଇଭିଏମ୍ କଂଟ୍ରୋଲ ୟୁନିଟ୍ ଭଙ୍ଗାରୁଜା କରିଥିଲେ । ଏ ନେଇ ଥାନାରେ ଏତଲା ଦିଆଯିବା ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।