ଅଜଣା ସୁତ୍ରରୁ ବିଜେଡିର ଆୟ ୪୬.୫ ଲକ୍ଷ ! ୨୦୪ ଦିନ ବିଳମ୍ବରେ ଦେଲା ଅଡିଟ ରିପୋର୍ଟ
କନକ ବ୍ୟୁରୋ : ସାରା ଦେଶରେ ବିଭିନ୍ନ ରାଜନୈତିକ ଦଳର ପାଣ୍ଠିକୁ ନେଇ ଚର୍ଚ୍ଚା ଧରିଥିବାବେଳେ ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମସ ଏବଂ ନାସନାଲ୍ ଇଲେକ୍ସନ ଓ୍ଵାଚ୍ ପକ୍ଷରୁ କେଉଁ ରାଜନୈତିକ ଦଳ ୨୦୧୫-୧୬ରେ କେତେ ଆୟ କରିଛନ୍ତି, କେତେ ଟଙ୍କା କିପରି ଖର୍ଚ୍ଚ କରିଛନ୍ତି ତାହାର ସବିଶେଷ ତଥ୍ୟ ପ୍ରକାଶ ପାଇଛି। ଏଥିରେ ତାମିଲନାଡୁର ଡିଏମକେ ସବୁଠୁ ଅଧିକ ପାଣ୍ଠି ଆୟ କରିଥିବା ଆଞ୍ଚଳିକ ରାଜନୈତିକ ଦଳ ବୋଲି ଜଣାପଡ଼ିଛି। ଡିଏମକେ ୭୭.୬୩କୋଟି ଟଙ୍କା ଆଦାୟ କରିଥିବାବେଳେ ମାତ୍ର ୬.୯କୋଟି ଟଙ୍କା ଖର୍ଚ୍ଚ କରିଛି। ତେବେ ବିଜୁ ଜନତା ଦଳ ଏହି ଆର୍ଥିକ ବର୍ଷରେ ୨.୪୫କୋଟି ଟଙ୍କା ଆୟ କରିଛି ଓ ୧.୮୮କୋଟି ଟଙ୍କା ଖର୍ଚ୍ଚ କରିଛି। ୫୭ଲକ୍ଷ ଟଙ୍କା ଦଳ ସଞ୍ଚୟ କରିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ନାସନାଲ୍ ଇଲେକ୍ସନ ଓ୍ଵାଚ୍ ସୂଚନା ଅନୁଯାୟୀ, ବିଜେଡି ୨୦୧୫-୧୬ରେ ବିଭିନ୍ନ ଫି’, ସଦସ୍ୟତା ଫି’, ଦାନ, ଅନୁଦାନ, ବ୍ୟାଙ୍କ ଜମାରୁ ସୁଧ ଏବଂ ଅନ୍ୟାନ୍ୟ ସୂତ୍ରରୁ ୨.୪୫କୋଟି ଆୟ କରିଛି। ଏହି ସମୟରେ ନିର୍ବାଚନୀ ଖର୍ଚ୍ଚ, ପ୍ରଶାସନିକ ଏବଂ ସାଧାରଣ ଖର୍ଚ୍ଚ, କର୍ମଚାରୀ ବେତନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧.୮୮କୋଟି ଟଙ୍କା ଖର୍ଚ୍ଚ କରିଛି। ବିଜେଡି ଏହି ସମୟରେ ଅନ୍ୟାନ୍ୟ ସୂତ୍ରରୁ ୧ କୋଟି ୯ଲକ୍ଷ ୮୫ ହଜାର ଟଙ୍କା ଆୟ କରିଥିବାବେଳେ ୪୬.୫ଲକ୍ଷ ଟଙ୍କା ଅଜଣା ସୂତ୍ରରୁ ଆସିଥିବା ଆଇଟି ରିଟର୍ଣ୍ଣରେ କହିଛି। ଏହି ଅଜଣା ସୂତ୍ର କ’ଣ ତାହା ଦଳ ପକ୍ଷରୁ ପ୍ରକାଶ କରାଯାଇନି। କୁହାଯାଇଛି ଯେ, ଲୋକ ସ୍ୱେଚ୍ଛାକୃତ ଭାବେ ଦଳକୁ ଦାନ କରିଛନ୍ତି। କେବଳ ବିଜେଡି ନୁହେଁ ଟିଆରଏସ୍ ୭.୨୪କୋଟି, ଟିଡିପି ୬.୮୮କୋଟି, ଏସଏଡି ୬.୫୯କୋଟି, ଏମଏନଏସ ୫.୧୬୬କୋଟି ଅଜଣା ସୂତ୍ରରୁ ପାଇଛନ୍ତି। ଯାହା ନିର୍ବାଚନ କମିସନଙ୍କୁ ଜଣାଇନାହାନ୍ତି।
ଏପରିକି ୧୭ଟି ରାଜନୈତିକ ଦଳ ଅଜଣା ସୂତ୍ରରୁ ୪୦.୬୧କୋଟି ଆୟ କରିଥିବା ନାସନାଲ ଇଲେକ୍ସନ ଓ୍ଵାଚ୍ ରିପୋର୍ଟରୁ ଜଣାପଡ଼ିଛି। ନାସନାଲ ଇଲେକ୍ସନ ଓ୍ଵାଚ୍ ସୂଚନା ଅନୁଯାୟୀ, ଦେଶରେ ଥିବା ୪୭ଟି ଆଞ୍ଚଳିକ ଦଳ ମଧ୍ୟରୁ ମାତ୍ର ଏକ ତୃତୀୟାଂଶ ଦଳ ସେମାନଙ୍କ ଅଡିଟ୍ ରିପୋର୍ଟ ଭାରତୀୟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିଛନ୍ତି। ଏପରିକି ନିର୍ଦ୍ଧାରିତ ସମୟରେ ୧୬ଟି ଦଳ ଅଡିଟ୍ ରିପୋର୍ଟ ଦାଖଲ କରିଥିବାବେଳେ ୧୬ଟି ଦଳ ବିଳମ୍ବରେ ଦାଖଲ କରିଛନ୍ତି। ଏଥିରେ ଆମ୍ ଆଦମି ପାର୍ଟି ସବୁଠୁ ବିଳମ୍ବରେ ୨୫୪ଦିନ ବିଳମ୍ବରେ ଅଡିଟ୍ ରିପୋର୍ଟ ଦାଖଲ କରିଥିବାବେଳେ ବିଜେଡି ୨୦୪ଦିନ ବିଳମ୍ବରେ ଦାଖଲ କରିଛି।