ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବଡ ଦାୟିତ୍ୱ । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ହେଲେ ନିଯୁକ୍ତ ।

898

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ପାଇଁ ନୂଆ ରାଜ୍ୟପାଳଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବିଶ୍ୱଭୂଷଣ ଓ ଛତିଶଗଡ ରାଜ୍ୟପାଳ ଭାବେ ସୁଶ୍ରୀ ଅନୁସୂୟା ୱିକେଙ୍କୁ ମିଳିଛି ନୂଆ ଦାୟିତ୍ୱ ।

ଓଡ଼ିଶାର ବିଜେପିର ଏହି ଭେଟରାନ ନେତା ପୂର୍ବରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି-ବିଜେପି ମେଣ୍ଟ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଗତ କିଛି ବର୍ଷ ଧରି ବିଶ୍ୱଭୂଷଣ ପ୍ରତ୍ୟକ୍ଷ ନିର୍ବାଚନରୁ ଦୂରେଇ ରହିଥିଲେ ମଧ୍ୟ ଦଳର ପ୍ରଚାରର ମଙ୍ଗ ଧରିଥିଲେ । ଚିଲିକାରୁ ୨ ଥର ଓ ଭୁବନେଶ୍ୱରରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଶ୍ୱଭୂଷଣ । ଏହାପୂର୍ବରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା ।