ପିଆଜ କିଲୋ ୩୫ ଟଙ୍କା : ପିଆଜ ନେବା ପାଇଁ ବାଡିଆପିଟା ହେଲେ ଲୋକ , ହେଲମେଟ୍ ପିନ୍ଧି ପିଆଜ ବିକିଲେ ଅଧିକାରୀ

2,526

ଦେଶରେ ପିଆଜର ଦର ଆକାଶ ଛୁଆଁ । ପିଆଜ କିଣିଲେ କାନ୍ଦୁଛି ପକେଟ୍ । ପିଆଜ କିଲୋ ଏବେ ୭୦ ପାର୍ । କିଛି ଅଞ୍ଚଳରେ ପିଆଜ କିଲୋ ଏବେ ୧୦୦ ଟଙ୍କା ମଧ୍ୟ ହେଲାଣି । ପିଆଜର ବର୍ଦ୍ଧିତ ଦର ପାଇଁ ସାଧାରଣ ଖାଉଟିଙ୍କୁ ନାହିନଥିବା ଅସୁବିଧା ଦେଖିବାକୁ ପଡୁଛି । ତେବେ ପିଆଜର ମହଙ୍ଗା ସମୟରେ ବିହାରରୁ ଆସିଛି ଏଭଳି ଏକ ଖବର ଯାହାକୁ ଶୁଣି ଆପଣ ମଧ୍ୟ ବିହାରମୁହାଁ ହେବାକୁ ଚିନ୍ତା କରିବେ । ବିହାରର ରାଜଧାନୀ ପାଟନା ରାଜ୍ୟ ସହକାରୀ ବିପଣନ ସଂଘ(ବିସ୍କୋମାନ) ଲିମିଟେଡ କାଉଁଟରରେ ଶନିବାର ସକାଳେ ଅଧିକାରୀ ହେଲମେଟ୍ ପିନ୍ଧି ପିଆଜ ବିକ୍ରି କରିଛନ୍ତି । ଏହାର କାରଣ ହେଉଛି ଅଧିକାରୀଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ , ତେଣୁ ସେ ନିଜକୁ “ସେଲ୍ଫ ପ୍ରୋଟେକ୍ସନ୍” ଦେଉଛନ୍ତି । ତେବେ ପିଆଜ ପାଇଁ ବିସ୍କୋମାନ କାଉଂଟର ସାମ୍ନାରେ ଲମ୍ବା ଧାଡି ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ପିଆଜ କିଲୋ ପ୍ରତି ୩୫ ଟଙ୍କାରେ ବିକ୍ରି ହେଉଛି ।

ସୂଚନାନୁସାରେ, ଦେଶରେ ପିଆଜ ଦର ବଢୁଥିବା ବେଳେ ରାଜଧାନୀ ପାଟନା ସହିତ ଅନ୍ୟ ରାଜ୍ୟ ସରକାରୀ ବିପଣନ ସଂଘ ଲିମିଟେଡ ( ବିସ୍କୋମାନ) କାଉଂଟରରେ ପିଆଜ ବିକ୍ରି କରାଯାଉଛି । ଏହାକୁ କିଣିବା ପାଇଁ ଲୋକଙ୍କ ଧାଡି ଲମ୍ବିଛି । ଶସ୍ତାରେ ପିଆଜ କିଣିବା ପାଇଁ ପୁରୁଷଙ୍କ ସହିତ ମହିଳାଙ୍କର ମଧ୍ୟ ଲମ୍ବା-ଲମ୍ବା ଧାଡି ଲାଗିଛି । ଗୃହିଣୀ ମଧ୍ୟ ଶସ୍ତାରେ ପିଆଜ ପାଇବା ପାଇଁ ସକାଳୁ ଧାଡିରେ ଠିଆ ହୋଇଛନ୍ତି । ଶସ୍ତା ଦରରେ ପିଆଜ ନେବା ପାଇଁ ଗରିବ-ଧନୀ ଗୋଟିଏ ଧାଡିରେ ଏକାଠି ହୋଇଛନ୍ତି । କୋପରେଟିଭ ସୋସାଇଟି ବିସ୍କୋମାନ ଓ ନେଫେଡର ସଂଯୁକ୍ତ ପ୍ରୟାସ ଦ୍ୱାରା ବଜାରର ଦର ପାଖାପାଖି ୮୦ ଟଙ୍କା ଅଧାରୁ ମଧ୍ୟ କମ୍ ଦରରେ ପିଆଜ ଉପଲବ୍ଧ କରାଯାଉଛି । ମହିଳା-ପୁରୁଷଙ୍କ ଏହି ଧାଡି ପାଖାପାଖି ୫୦ ମିଟର ଯାଏଁ ଲମ୍ବିଛି ।

ସେହିଭଳି ବିସ୍କୋମାନରେ ପିଆଜ ବିକ୍ରି କରୁଥିବା ଅଧିକାରୀ ଏବଂ କର୍ମୀ ହେଲମେଟ ପିନ୍ଧି ପିଆଜ ବିକ୍ରି କରୁଛନ୍ତି । ଏହି କର୍ମୀମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସେମାନେ ହେଲମେଟ ପିନ୍ଧି ପିଆଜ ବିକୁଥିବା କହିଛନ୍ତି । ବିସ୍କୋମାନର ଅଧିକାରୀ ରୋହିତ କୁମାର କହିଛନ୍ତି, ପଥର ଫିଙ୍ଗାଫିଙ୍ଗି ଏବଂ ଗଣ୍ଡଗୋଳର ଅନେକ ଘଟଣା ଘଟିଛି । ସେ ଦୃଷ୍ଟିରୁ ହେଲମେଟ ହେଉଛି ଏକମାତ୍ର ବିକଳ୍ପ ।