ବଢିଲା ମନ୍ତ୍ରୀଙ୍କ ଘରଭଡା । ମାସିକ ମିଳୁଥିଲା ୧୦୦, ଏବେ ମିଳିବ ୩୦ହଜାର

27

କନକ ବ୍ୟୁରୋ : ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଘରଭଡ଼ା ମାସିକ ୧୦୦ ଟଙ୍କା ଦୀର୍ଘଦିନରୁ ପ୍ରଚଳିତ। ଏହା ଦୈନିକ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜି ଏହି ଆଇନର ସଂଶୋଧନ ନେଇ ବିଧାନସଭାରେ ଆଗତ ବିଲ୍ ପାରିତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବିଲ୍ ଆଗତ କରି କହିଲେ ଯେ ଓଡ଼ିଶା ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା ବିଲ୍ ଆଇନରେ ସରକାରୀ ବାସଗୃହ ପାଇନଥିବା ପର‌୍ୟ୍ୟନ୍ତ ମନ୍ତ୍ରୀମାନେ ମାସିକ ୧୦୦ ଟଙ୍କାର ଘରଭଡ଼ା ପାଇବାର ବ୍ୟବସ୍ଥା ରହିଛି। ଏହି ଭତ୍ତା ବ୍ୟବସ୍ଥାରେ ସଂଶୋଧନ ପାଇଁ ବିଲ୍ ଅଣାଯାଇଛି। ଓଡ଼ିଶା ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା ବିଲ୍, ୨୦୧୮ ଅନୁଯାୟୀ ମାସିକ ଘରଭଡ଼ା ୧୦୦ ଟଙ୍କା ପରିବର୍ତେ ଦିନକୁ ଭଡ଼ା ୧ ହଜାର ଟଙ୍କା ରଖାଯାଇଥିବା ଦର୍ଶାଇ ଏହାକୁ ପାରିତ କରିବାକୁ ସେ ଅନୁରୋଧ କରିଥିଲେ। ସେତେବେଳକୁ ଗୃହରେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଅନୁପସ୍ଥିତ ଥିଲେ। ଶାସକ ଦଳର ବରିଷ୍ଠ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମହେଶ ସାହୁ ଏହାକୁ ସମର୍ଥନ କରିଥିଲେ।