ଦିନ ଦ୍ୱିପ୍ରହରରେ ସମସ୍ତଙ୍କ ଆଖି ସାମ୍ନାରେ ଗାଡି ଚୋରି । ଚୁପଚାପ ଆସିଲେ, ଗାଡି ଚୋରି କରି ଛୁ ମାରିଲେ । ସିସିଟିଭିରେ କଏଦ ହେଲା ସିଲଭର ସିଟିର ବାଇକ୍ ଚୋରିର ପୂରା ଦୃଶ୍ୟ ।

758

କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ, ସମସ୍ତଙ୍କ ଆଖି ସାମ୍ନାରେ ଗାଡି ଚୋରି । ନା ଡର ଅଛି ନା ଭୟ । ଖୁଲମଖୁଲ୍ଲା ଭିଡ ବଜାରରୁ ଗାଡି ଚୋରି । ଆଉ ଏହି ଚୋରିର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କଟକ ଲିଙ୍କ୍ରୋଡ ନିକଟ ମାର୍ବଲ ଦୋକାନ ସାମ୍ନାରେ କିଛି ଏହିଭଳି ଢଙ୍ଗରେ ଲୁଟ୍ ହୋଇଛି ଗାଡି ।

ସୂଚନା ଅନୁଯାୟୀ, କଟକ ଦରଘାପାଟଣା ଅଞ୍ଚଳର ହରେକୃଷ୍ଣ ସାହୁ ଟାଇଲ ଦେଖିବାକୁ ଲିଙ୍କରୋଡ ସ୍ଥିତ ଏକ ମାର୍ବଲ ଦୋକାନକୁ ଆସିଥିଲେ । ଦୋକାନ ସାମ୍ନାରେ ଗାଡି ରଖି ଲକ୍ କରିବା ସହ ଭିତରକୁ ଯାଇଥିଲେ ହରେକୃଷ୍ଣ । ଆଉ ଏହି ସୁଯୋଗକୁ ଯେପରି ଅପେକ୍ଷା କରି ରହିଥିଲା ଲୁଟେରା । ହରେକୃଷ୍ଣ ଦୋକାନକୁ ଯିବାର କିଛି ସମୟ ପରେ ଗାଡି ପାଖକୁ ଆସିଥିଲେ ଲୁଟେରା । ଆଉ ସୁଯୋଗ ଦେଖି ବେଶ ଆରାମରେ ଲକ୍ ଭାଙ୍ଗିବା ସହ ଗାଡି ଧରି ଛୁ ମାରିଥିଲେ ଲୁଟେରା । ଦୋକାନରୁ କାମ ସାରି ହରେକୃଷ୍ଣ ବାଇକ ଖୋଜାଖୋଜି କରିଥିଲେ ମଧ୍ୟ ନିରାଶ ହୋଇଥିଲେ ।

ଆଉ ଶେଷରେ ଏନେଇ ହରେକୃଷ୍ଣ ବାଦାମବାଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳକୁ ଆସି ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଆରମ୍ଭ କରିଛି । ତେବେ ଦିନ ଦ୍ୱିପ୍ରହରରେ ଚୋରଙ୍କ ଏଭଳି ଉତ୍ପାତ ପୋଲିସ ପାଇଁ ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ।