ନେତା ମନାଇଲେ ନେତାଙ୍କୁ ! ମାନିଗଲେ ବିଜେଡିର ଅସନ୍ତୁଷ୍ଟ ନେତା,ରୀତା ସାହୁଙ୍କୁ କରିବେ ସମର୍ଥନ

24

କନକ ବ୍ୟୁରୋ : ବିଜେପୁର ବାଜି ଲଢିବା ପୂର୍ବରୁ ଅସନ୍ତୁଷ୍ଟଙ୍କୁ ମନାଇବାରେ ସଫଳ ହୋଇଛନ୍ତି ଉଭୟ ବିଜେଡି ଓ ବିଜେପି । ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ, ଦେଖା ଦେଇଥିବା ବିବାଦକୁ ସମାଧାନ କରିବାରେ ସଫଳ ହୋଇଛନ୍ତି ବିଜେଡି ସୁପ୍ରିମୋ । ଆଜି ବିଜେଡି ଦଳୀୟ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ପ୍ରଭାତ ଓ ତାଙ୍କ ସମର୍ଥକଙ୍କୁ ମନାଇଛନ୍ତି ନବୀନ ।

Political Parties Gear Up For Bijepur Assembly Bypollପାର୍ଟି ସୁପ୍ରିମୋଙ୍କ ସହ ଆଲୋଚନା ପରେ ପ୍ରଭାତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା ତାଙ୍କର ଅସନ୍ତୋଷ ନୁହେଁ ବରଂ ସ୍ୱାଭିମାନର କଥା । ତେବେ ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି । ସେହିପରି ବିଦ୍ରୋହୀଙ୍କୁ ମନାଇବା ପରେ ନବୀନ କହିଛନ୍ତି ଯେ, ସେମାନେ ବିଜେଡି ପ୍ରାର୍ଥୀଙ୍କୁ ନେଇ ଆଶାବାଦୀ ଅଛନ୍ତି । ପୂର୍ବରୁ ବିଜେପି ମଧ୍ୟ ତାର ଅସନ୍ତୁଷ୍ଟ ନେତା ନାରାୟଣ ସାହୁଙ୍କୁ ମନାଇବାରେ ସମର୍ଥ ହୋଇଥିଲା ।

ବିଜେଡିର ରୀତା ସାହୁଙ୍କୁ କାଉଂଟର କରିବାକୁ ବିଜେଡିରୁ ନିଲମ୍ବିତ ଅଶୋକ ପାଣିଗ୍ରାହୀଙ୍କୁ ଆପଣେଇ ନେଲା ବିଜେପି । ଅଶୋକଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜେପି ଘୋଷଣା କରନଥିଲେ ମଧ୍ୟ ଏହା ବିଜେପୁର ବିଜେପିରେ ଅସନ୍ତୋଷ ପାଇଁ ଥିଲା ଯଥେଷ୍ଟ । ଆଉ ଦଳୀୟ ନିଷ୍ପତି ବିରୋଧରେ ଖୋଲାଖୋଲି ବିଷୋଦଗାର କଲେ ଟାଣୁଆ ନେତା ନାରାୟଣ ସାହୁ । ବରଗଡ ଜିଲ୍ଲାପରିଷଦ ପରେ ବିଜେପୁର ଉପନିର୍ବାଚନ ଉପରେ ଆଖି ରଖିଥିବା ବିଜେପି ମଧ୍ୟ ଦଳ ଭିତରେ କୌଣସି ଅସନ୍ତୋଷ ରଖିବାକୁ ଚାହୁଁନଥିଲା । ଶେଷରେ ବିଜେପି ବିଧାୟକ ଦଳ ନେତା କେ ଭି ସିଂଦେଓଙ୍କ ବାସଭବନରେ ରୁଦ୍ଧଦ୍ୱାର ବୈଠକ କରି ନାରାୟଣଙ୍କୁ ମନାଇ ନେଲା ବିଜେପି ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ଦଳୀୟ ଅସନ୍ତୋଷକୁ ସମାଧାନ କରି ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେଡି ଓ ବିଜେପି ।