କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ୨୦ ଦିନର ପ୍ରଚାର ଶେଷ ହୋଇଛି । ଆସନ୍ତାକାଲି ଭୋଟ୍ ଗ୍ରହଣ । ମଝିରେ ଆଉ ମାତ୍ର ୨୪ ଘଂଟା । ଏହି ୨୪ ଘଂଟାରେ ନେତା, ଅନ୍ଧାରୀ ବିଜେ କରିବେ । ଅର୍ଥାତ୍ କଟକଣା ଲାଗିଥିବାରୁ ଭୋଟରଙ୍କୁ ନିଜ ପକ୍ଷରୁ ଆଣିବାକୁ ଘରକୁ ଘର ବୁଲି ଶେଷ ପ୍ରୟାସ କରାଯିବ । ବିଜେପୁରରେ ବାଜି ଲାଗିଛି ତିନି ରାଜନୈତିକ ଦଳ ଏବଂ ଏହାର ପ୍ରାର୍ଥୀ , ବିଜେପିର ସନତ ଗଡତିଆ, ବିଜେଡି ପ୍ରାର୍ଥୀ ରୀତା ସାହୁ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା । ଏହି ୨୪ ଘଂଟାରେ ଭୋଟବ୍ୟାଙ୍କ ଏପଟ ସେପଟ ହୋଇପାରେ । ତେଣୁ ରାଜନୈତିକ ଦଳ ମଧ୍ୟରେ ଛକାପଂଝା ଲାଗି ରହିଛି । ବିଜେପୁର ଛାଡି ବରଗଡରେ ତିନି ଦଳର ତୁଙ୍ଗ ନେତା ଡେରା ପକାଇଛନ୍ତି । ସେପଟେ ବିଜେପୁର ଉପନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଗତ ମାସ ୩୦ ତାରିଖ ହିଁ ସବୁ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହା ପରଠୁ ଆରମ୍ଭ ହୋଇଥିଲା ପ୍ରଚାର। ଦଶହରା ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରଚାର ଅଭିଯାନ ମାନ୍ଦା ପଡ଼ିଥିଲା। ପାର୍ବଣ ପରେ ପ୍ରଚାର ଜମିଥିଲା। ମାଇକ୍, ବାଜା, ରୋଡ୍ ସୋ, ନିର୍ବାଚନୀ ସଭା ନିର୍ବାଚନ ମଣ୍ଡଳୀକୁ ଥରାଇ ଦେଇଥିଲା। ଏସବୁ ଗତକାଲି ସନ୍ଧ୍ୟାରୁ ବନ୍ଦ ହୋଇଯାଇଛି। କାନଫଟା ମାଇକ ସ୍ୱର ବନ୍ଦ ହେବାରୁ ସବୁଆଡ଼େ ଏକ ପ୍ରକାର ନିରବତା ଛାଇ ଯାଇଛି। ତେବେ ପ୍ରାର୍ଥୀ ଓ ସମର୍ଥକମାନେ ପ୍ରଚାର ଅଭିଯାନ ବନ୍ଦ ସତ୍ତ୍ବେ ଆହୁରି ତତ୍ପର ହୋଇ ଉଠିଛନ୍ତି। ଆରମ୍ଭ ହୋଇଯାଇଛି ଘରକୁ ଘର ବୁଲି ପ୍ରଚାର। ହାତରେ ଆଉ ମାତ୍ର ୨୪ ଘଣ୍ଟା ରହିଛି। ଏହି ଅବଧିକୁ ଭରପୂର ଉପଯୋଗ କରିବା ପାଇଁ ଆରମ୍ଭ ହୋଇଛି ଅନ୍ଧାରୀ ବିଜେ। ଏତିକି ସମୟରେ ଭୋଟ୍ ବ୍ୟାଙ୍କ ଏପଟ ସେପଟ ହେବାର ଆଶଙ୍କା ଥିବାରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ତେବେ, ବିଜେପୁର ଭୋଟର ନିରବ ରହିଛନ୍ତି । ସେମାନେ କାହାକୁ ଭୋଟ ଦେବେ, ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଛନ୍ତି।
ଅନ୍ୟପକ୍ଷରେ ଗତକାଲି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେବା ପରେ ନିର୍ବାଚନ ମଣ୍ଡଳୀରେ ଡେରା ପକାଇଥିବା ବାହାର ଇଲାକାର ନେତା ଏବଂ ଅଭିନେତାମାନେ ଫେରି ଯାଇଛନ୍ତି। ଅଧିକାଂଶ ନିଜନିଜ ଘରକୁ ଫେରି ଯାଇଥିବାବେଳେ ଦଳୀୟ ନିର୍ବାଚନ ଦାୟିତ୍ୱ ମୁଣ୍ଡାଇଥିବା ନେତାମାନେ ଗୋଟି ଚାଳନା ପାଇଁ ବରଗଡ଼ରେ ଡେରା ପକାଇଛନ୍ତି। ୨୪ ତାରିଖ ପରେ ହିଁ ସେମାନେ ବରଗଡ଼ ଛାଡ଼ିବେ। ତୁଙ୍ଗ ନେତାଙ୍କ ପ୍ରକୋଷ୍ଠରେ ତୁହାକୁ ତୁହା ରୁଦ୍ଧଦ୍ୱାର ବୈଠକ ଜାରି ରହିଛି। ବାକି ରହିଥିବା ଗୋଟିଏ ଦିନ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛଥିବାବେଳେ ବିରୋଧୀଙ୍କୁ ରୋକିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ସମ୍ଭାବ୍ୟ ଭୋଟ କିଣାବିକା ଉପରେ ନିର୍ବାଚନ ପର୍ଯ୍ୟବେକ୍ଷକ କଡ଼ା ନଜର ରଖିଥିବାବେଳେ ଆଇନଶୃଙ୍ଖଳା ରକ୍ଷା ଲାଗି ପୁଲିସ ମଧ୍ୟ ସତର୍କ ରହିଛି। ଶନିବାର ଅପରାହ୍ନରୁ ପୁଲିଂ ପାର୍ଟି ଭିଭିପାଟ୍ ମେସିନ ସମେତ ଅନ୍ୟ ଅବାଶ୍ୟକ ଉପକରଣ ସହ ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଯାଇଛନ୍ତି। ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ବରିଷ୍ଠ ପୁଲିସ୍ ଅଧିକାରୀମାନେ ବିଭିନ୍ନ ଅଂଚଳ ପରିଦର୍ଶନ କରି ଆଇନଶୃଙ୍ଖଳା ସ୍ଥିତି ତଦାରଖ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/vlcsnap-2018-02-27-19h50m53s685.png)
/kanak/media/post_attachments/wp-content/uploads/2019/09/bijepur-copy-copy-1.jpg-f-1-300x180.jpg)
/kanak/media/post_attachments/wp-content/uploads/2019/09/BIJE4-300x169.jpg)