ସଂଖ୍ୟା ବଢୁଛି, ଚିନ୍ତା ବଢୁଛି: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଟପିଲା, ମୃତ୍ୟୁ ସଂଖ୍ୟା ୨୮୭୨ଛୁଇଁଲା; ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ସଂଖ୍ୟା ୩୦ ହଜାର ୭୦୬

336

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ନିକଟତର । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୮୭୨କୁ ବୃଦ୍ଧି ପାଇଛି । ଏହାସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୯୦ ହଜାର ୯୨୭ରେ ପହଂଚିଛି । ଏବେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩୪ ହଜାର ୧୦୯ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ତେବେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୩୦ ହଜାର ୭୦୬ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧ ଶହ ୩୫କୁ ବୃଦ୍ଧି ପାଇଛି । ସେହିପରି ଗୁଜରାଟରେ ୧୦ହଜାର ୯୮୮ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୨୫କୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୯ ହଜାର ୩୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୧୨୯ । ସେହିପରି ଆନ୍ଧ୍ରପ୍ରଦେଶରେ ୨୩୫୫ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୯ରେ ପହଂଚିଛି । ମଧ୍ୟପ୍ରଦେଶରେ ୪ ହଜାର ୭୮୯ ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪୩କୁ ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।