ଅଧରାତିରେ ହେଲା ବଡ ଅଘଟଣ । ଭୁଶୁଡିପଡିଲା ଭୁବନେଶ୍ୱର ବିମାନବନ୍ଦର ଛାତ, ମୁହଁ ଖୋଲୁନାହାନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ସନ୍ଦେହ ସୃଷ୍ଟି କରୁଛି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିରବତା ।

305

କନକ ବ୍ୟୁରୋ : ଭୁଶୁଡିଲା ଭୁବନେଶ୍ୱର ବିମାନବନ୍ଦର ଛାତ । ଅଧରାତିରେ ହେଲା ବଡ ଅଘଟଣ । ଆଖିପିଛୁଳାକେ ଖସିପଡିଲା ନିର୍ମାଣଧୀନ ଛାତ । ଭୁଶୁଡିଥିବା ପଡିଥିବା ଛାତ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ସୂଚନା ମିଳୁଛି । ଏପରିକି କିଛି ଗୁରୁତରଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏହି ଛାତ ଭୁଶୁଡି ପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏଠାରେ କାମ କରୁଥିବା ୧୫ରୁ ୨୦ ଜଣ ଶ୍ରମିକ ଏହି ଛାତ ତଳେ ଚାପି ରହିଥିବା ଆଶଙ୍କା କରାଯାଉଛି ।

ଗୁରୁତର ଆହତ ହୋଇଥିବା ଢେଙ୍କାନାଳର ନବକିଶୋରଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ୧୦.୩୦ ମିନିଟରେ ଏଭଳି ଅଘଟଣ ହୋଇଥିଲା । ତେବେ ବିମାନବନ୍ଦର କର୍ତ୍ତୃପକ୍ଷ ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଉଦ୍ଧାରକାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଥିବା ବେଳେ ସ୍ଥାନୀୟ ପୋଲିସ ମଧ୍ୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ସବୁଠୁ ବଡ କଥା ହେଲା, ବିମାନବନ୍ଦରକୁ ନିଜ କର୍ଡନକୁ ନେଇଛନ୍ତି ସିଆଇଏସଏଫ ଯବାନ । ଏପରିକି କୌଣସି ବାହାର ବ୍ୟକ୍ତିଙ୍କୁ ଘଟଣାସ୍ଥଳକୁ ଛଡାଯାଉନି । ତେଣୁ ଏହି ଅଘଟଣକୁ ଲୁଚାଇବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଜୋରଦାର ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି ।

ସବୁଠୁ ବଡ କଥା ହେଲା ଟର୍ମିନାଲ-୧ ଓ ଟର୍ମିନାଲ-୨ରେ ଏହି ନିର୍ମାଣକାର୍ଯ୍ୟ ଗତ ୩ ମାସ ହେବ ଆରମ୍ଭ ହୋଇଛି । ୬୦ କୋଟି ଟଙ୍କା ବ୍ୟୟରେ ଏହି ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ହିଁ ଏଭଳି ଅଘଟଣ ହୋଇଛି । ତେବେ ନିର୍ମାଣ କାର୍ଯ୍ୟ କରୁଥିବା କମ୍ପାନି ଏହି ଅଘଟଣକୁ ନେଇ ମୁହଁ ଖୋଲୁନଥିବା ବେଳେ ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ସମ୍ପୂର୍ଣ୍ଣ ଚୁପ ରହିଛନ୍ତି । ତେଣୁ କେଉଁଠି ନା କେଉଁଠି ଏହି ଅଘଟଣ ପଛରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଦାୟୀ ରହିଥିବା କୁହାଯାଉଛି ।