ମନ୍ଦିର ଛାଡିଲେ ମା’ ଭଟ୍ଟାରିକା: ଆଠଗଡ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାପାଣି; ଦେବୀଙ୍କ ବିଗ୍ରହକୁ ମନ୍ଦିରରୁୁ ଆଣି ପାହାଡ ଉପରେ ରଖିଲେ ପୂଜକ

ହୁଳୁହୁଳା ବ୍ରିଜ ଉପରେ ୫ ଫୁଟର ପାଣି

497

କନକ ବ୍ୟୁରୋ: ଆଠଗଡରେ ଫୁଲୁଛି ମହାନଦୀ । ବଡମ୍ବାର ଭଟ୍ଟାରିକା ମନ୍ଦିର ବନ୍ୟା ଜଳରେ ବୁଡିଯାଇଛି । ମନ୍ଦିରରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମନ୍ଦିରର ଅଧିକାଂଶ ଅଂଶ ବୁଡିଯାଇଛି । ବନ୍ୟା ପାଣି ପଶିବା ଫଳରେ ମା’ଙ୍କ ବିଗ୍ରହକୁ ପାହାଡ ଉପରକୁ ଆଣି ପୂଜାର୍ଚ୍ଚନା କରାଯାଉଛି । ହୁଳୁହୁଳା ବ୍ରିଜ ଉପରେ ମଧ୍ୟରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ତିଗିରିଆ ସୁବର୍ଣ୍ଣପୁର ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଛି । ଶହ ଶହ ଏକର ଚାଷ ଜମିରେ ମଧ୍ୟ ବନ୍ୟା ପାଣି ମାଡିଯାଇଛି ।

ସେପଟେ, ବୌଦ୍ଧରେ ବିପଦ ସଂକେତ ଛୁଇଁଛି ମହାନଦୀ । ସହର ଭିତରେ ପାଣି ପସିଛି । ବୌଦ୍ଧ ସହର ନିକଟରେ ମହାନଦୀ ଉପକୂଳରେ ପ୍ରାୟ ୨୦ ଟି ଗାଁରେ ମହାନଦୀର ପାଣି ପଶିଥିବା ସୂଚନା ମିଳିଛି । ହୀରାକୁଦ ଗେଟ୍ ଖୋଲିଲେ ବୌଦ୍ଧରେ ମହାନଦୀର ଜଳସ୍ତର ବଢିବ । ଫଳରେ ଏଠାରେ ସ୍ଥିତି ଆହୁରି ସଂଗୀନ ହେବ । ସେପଟେ ୨ ଦିନ ଧରି ଲଗାଣ ବର୍ଷା ଫଳରେ ବୌଦ୍ଧ ଜିଲ୍ଲାର କଂଟାମାଳ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଲ ଓ ଖଡଙ୍ଗ ନଦୀ ଉଛୁଳିବାରୁ ଅନେକ ଗାଁରେ ପାଣି ପଶିଯାଇଛି ।

କଂଟାମାଳ-ମନମୁଣ୍ଡା ରାସ୍ତାର ଅଡାଗୌଡା ପୋଲ ଉପରେ ୫ ଫୁଟର ପାଣି ଚାଲିଥିବା ବେଳେ କଂଟାମାଳ-ବାଲିଗୁଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଣ୍ଡିଆଜୋର ପୋଲ ଉପରେ ୬ ଫୁଟ ଉଚ୍ଚ ପାଣି ପ୍ରବାହିତ ହେଉଛି । କଂଟାମାଳ ବ୍ଲକର ୮ ଟି ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଖମାନମୁଣ୍ଡା ପଂଚାୟତର ଦେଓ ଗାଁ ଏବଂ ଗମ୍ଭାରୀପଦର ଗାଁ ପାଣିଘେରରେ ରହିଛି । ବହୁ ଚାଷଜମି ଏବେ ଜଳମଗ୍ନ ହୋଇରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀ ଅବସ୍ଥାରେ ଥିବା ଲୋକମାନେ ସହାୟତା ଅପେକ୍ଷାରେ ରହିଛନ୍ତି ।