୧୩ରୁ ଶୀତ ଅଧିବେଶନ: ବିଧାନସଭା ପାଇଁ ବିଜେପିର ରଣନୀତି ପ୍ରସ୍ତୁତ; ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିବେ ବିରୋଧୀ

189

କନକ ବ୍ୟୁରୋ: ଯାଜପୁରର ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିଜେପି ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଛି । ଏବେ ବିଧାନସଭା ଗୃହରେ ଏହି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିବାକୁ ଦଳ ପ୍ରସ୍ତୁତି କରିଛି। ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତ ଅଧିବେଶନର ପାଇଁ ଦଳର ରଣନୀତି ପ୍ରସ୍ତୁତ କରିବାକୁ ଗତକାଲି ବୈଠକ ଡକାଯାଇଥିଲା। ବୈଠକରେ ପ୍ରାୟ ୧୦ ଜଣ ବିଧାୟକ ଅନୁପସ୍ଥିତ ଥିବାରୁ ୧୩ ତାରିଖରେ ଆଉ ଥରେ ବିଧାୟକ ଦଳର ପୂର୍ଣ୍ଣାଙ୍ଗ ବୈଠକ ବସିବ ବୋଲି ସ୍ଥିର ହୋଇଥିଲା।

ତେବେ ବୈଠକରେ ରଣନୀତି ସମ୍ପର୍କରେ ପ୍ରାଥମିକ ଆଲୋଚନା ହୋଇଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଧ୍ୟକ୍ଷତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ୟାତନା ବଢ଼ୁଥିବା ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁର ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ଉଠାଇବାରେ ଜିଲ୍ଲା ପୁଲିସ ସମର୍ଥ ହୋଇ ନାହିଁ। ଏହି ଘଟଣାରେ ଏକାଧିକ ଅଭିଯୁକ୍ତ ଥିଲେ ମଧ୍ୟ ପୁଲିସ୍ କାହାକୁ ଗିରଫ କରୁ ନାହିଁ। ଏହାର ତଦନ୍ତ ଦାୟିତ୍ବ ସିବିଆଇକୁ ଦେବା ପାଇଁ ବିଜେପି ବାରମ୍ବାର ଦାବି କରୁଥିଲେ ବି ସରକାର କର୍ଣ୍ଣପାତ କରୁ ନାହାନ୍ତି। ଏହା ସହ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କରେ ମହିଳା କର୍ମଚାରୀଙ୍କୁ ନିର୍ୟାତନା ପ୍ରସଙ୍ଗରେ ବି ପୁଲିସ୍ର ଭୂମିକା ସନ୍ଦେହଜନକ ଥିଲା। ବିଜେପି ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନା ନାଁରେ ବାଣ୍ଟିବା, ଫନି ସହାୟତା ବଣ୍ଟନରେ ବ୍ୟାପକ ଅନିୟମିତତା ଆଦି ପ୍ରସଙ୍ଗ ବିଜେପି ବିଧାନସଭାରେ ଉଠାଇବ।

୧୩ ତାରିଖ ବୁଧବାରଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ଏକ ମାସରୁ ଊର୍ଧ୍ବ ସମୟ ଧରି ଅର୍ଥାତ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଅଧିବେଶନ କାଳରେ ବିଭିନ୍ନ ଦୃଷ୍ଟିରୁ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୩ ଥାକିଆ ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା। ସମୁଦାୟ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ, ୨ପ୍ଲାଟୁନ୍ ଷ୍ଟ୍ରାଇକିଂ ଫୋର୍ସ, ୨ୟୁନିଟ୍ ଏସ୍‌ଟିୟୁ, ୭ ସେକ୍ସନ୍ କ୍ୟୁଏଟି, ୧୦୦ ପାଖାପାଖି ଅଫିସର, ୪ ଜଣ ଆଡିସ୍‌ନାଲ୍ ଡିସିପି ଓ ନିଜେ ଡିସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ।