ଟିଏମସିର ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ: ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଦେହାନ୍ତ: ବଙ୍ଗଳା ସିନେମାର ଜଣାଶୁଣା ଅଭିନେତା ତାପସ ପାଲ

ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିଲେ ତାପସ

670

କନକ ବ୍ୟୁରୋ: ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଦେହାନ୍ତ । ବଙ୍ଗଳା ସିନେମାର ଜଣାଶୁଣା ଅଭିନେତା ଭାବେ ତାପସ ପାଲଙ୍କର ଖ୍ୟାତି ରହିଥିବାବେଳେ ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ମୁମ୍ବାଇରେ ଥିବା ନିଜ ଝିଅ ଘରକୁ ତାପସ ଯାଇଥିଲେ । କୋଲକାତା ଫେରିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ଅପେକ୍ଷା କରିଥିବାବେଳେ ତାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାପସ ବଙ୍ଗଳା ସିନେମା ଜଗତର ଜଣେ ପ୍ରଖ୍ୟାତ ଅଭିନେତା ହୋଇଥିବାବେଳେ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ ଫିଲ୍ମରେ ମଧ୍ୟ ଟଙ୍କା ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ଉଦୟ ଶଙ୍କର ପାଣିଙ୍କ ନିର୍ଦେଶିତ ମିଛ ମାୟା ସଂସାର ଓ ମହମ୍ମଦ ମହସୀନଙ୍କ ନିର୍ଦେଶିତ ବିଧିର ବିଧାନ ଆଦି ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିଥିଲେ ।

ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ସେ ଜେଲ ଯାଇଥିଲେ । ରୋଜ ଭ୍ୟାଲି ଠକେଇ ମାମଲାରେ ୨୦୧୬, ଡିସେମ୍ବର ୩୦ରେ ତାପସଙ୍କୁ ସିବିଆଇ ଗିରଫ କରିଥିଲା। ଏହାପରେ ଭୁବନେଶ୍ୱର ସିବିଆଇ ଅଦାଲତରେ ତାଙ୍କୁ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ସିବିଆଇ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା ମଧ୍ୟ କରିଥିଲା।

ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ସହିତ ଅପରାଧିକ ଷଡଯନ୍ତ୍ରରେ ସାମିଲ ହେବା ସହିତ ରୋଜଭ୍ୟାଲି ଚେନ୍‌ ମାର୍କେଟିଂ ସିଷ୍ଟମ ଲିମିଟେଡ୍‌ରେ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଥିଲେ। ସେ ଜଣେ ଅଭିନେତା ଓ ରାଜନେତା ହୋଇଥିବା ବେଳେ ରୋଜଭ୍ୟାଲି ସଂସ୍ଥାରେ ନିବେଶ କରିବା ପାଇଁ ଜମାକାରୀଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।