କେମିତି ଅଛନ୍ତି ଅପହଞ୍ଚ ଇଲାକାର ଆଦିବାସୀ ମଣିଷ ? ବଣପାହାଡ ଡେଇଁ, ନଈ ପାରି ହୋଇ ଲୋକଙ୍କ ଗୁହାରୀ ଶୁଣିଲେ ମହିଳା ବିଡିଓ

221

କନକ ବ୍ୟୁରୋ: କେମିତି ଅଛନ୍ତି ଅପହଞ୍ଚ ଇଲାକାର ଲୋକେ ? କେମିତି ଚଳୁଛନ୍ତି ନଈ ଆରପଟେ ଜୀବନ ବିତାଉଥିବା ଆଦିବାସୀ ଲୋକେ? ଲୋକଙ୍କୁ ମୌଳିକ ସୁବିଧା ମିଳୁଛି ନା ଗାଁରେ ବିକାଶ ପହଞ୍ଚିବାରେ କେଉଁଠି ବାଧା ସୃଷ୍ଟି ହେଉଛି ? ଏ ସବୁ ପ୍ରଶ୍ନର ଉତ୍ତର ପାଇବାକୁ ନଈ ପାରି ହୋଇ ଲୋକଙ୍କ ପାଖରେ ପହଞ୍ଚିଥିଲେ ବିଡିଓ । ବଣ ପାହାଡ, ଜଙ୍ଗଲିଆ ରାସ୍ତା ଆଉ ବିପଦପୂର୍ଣ୍ଣ ନଈରେ ପଶି ନାଗଝରୀ ଗାଁ ଲୋକଙ୍କ ଗୁହାରୀ ଶୁଣିଲେ ମଦନପୁର ରାମପୁର ବିଡିଓ ରୁମନା ଜାଫ୍ରି ।

କଳାହାଣ୍ଡି ଜିଲ୍ଲାର ଅପହଞ୍ଚ ଆଦିବାସୀ ଇଲାକାର ବିକାଶ କରିବାକୁ ପଣ କରିଥିବା ଏ ମହିଳା ବିଡିଓ ଜଣଙ୍କ ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ସମସ୍ୟା ବୁଝନ୍ତି ଆଉ ସମାଧାନ ମଧ୍ୟ କରନ୍ତି । ତେବେ ଭବାନୀପାଟଣା ସହର ଠାରୁ ୫୦ କିଲୋମିଟର ଦୂରରେ ଥିବା ଉର୍ଲାଦାନୀ ନାଗଝରୀ ଗାଁରେ ସମସ୍ୟା ବୁଝିବାକୁ ବିଡିଓ ପହଞ୍ଚିଲେ । ଗ୍ରାମସଭା କରି ଗାଁର ଗୋଟି ଗୋଟି ସମସ୍ୟା ବୁଝିଥିଲେ ଆଉ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

 

ତେବେ ନାଗଝରୀ ଗାଁ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଗସ୍ତ ବେଳେ ପାଦେ ପାଦେ ବିପଦ ରହିଥିଲା । ମାତ୍ର ଆଦିବାସୀଙ୍କ ବିକାଶ ଓ ସେବାକୁ ମୂଳମନ୍ତ୍ର ଭାବିଥିବା ବିଡିଓ ସେସବୁକୁ ବେଖାତିର କରି ଲୋକଙ୍କ ପାଖରେ ପହଞ୍ଚିଥିଲେ । ଖାଲି ନାଗଝରୀ ଗାଁକୁ କାହିଁକି ପୂର୍ବରୁ ବଣ ପାହାଡ ଡେଇଁ ଏମିତି ଅନେକ ଗାଁକୁ ମଧ୍ୟ ଗସ୍ତ କରିଛନ୍ତି ବିଡିଓ । ତେବେ ଅପହଞ୍ଚ ଇଲାକାରେ ପହଞ୍ଚି ଲୋକଙ୍କ ଅସୁବିଧା ବୁଝୁଥିବା ବିଡିଓଙ୍କ ଏଭଳି ପ୍ରୟାସକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି ।