ବଦଳିବେ ଭାରତର ପ୍ରଶିକ୍ଷକ ! ଟିମ୍ ଇଣ୍ଡିଆ ପାଇଁ ଖୁବଶୀଘ୍ର ନୂଆ କୋଚ୍ ବାଛିବ ବିସିସିଆଇ, ବିଶ୍ୱକପ୍ ପରାଜୟ ପରେ ପୁଣି ଶାସ୍ତ୍ରୀଙ୍କୁ ମିଳିବ କି ଗୁରୁଦାୟିତ୍ୱ ?

457

କନକ ବ୍ୟୁରୋ : ୨୦୧୯ ବିଶ୍ୱକପରେ ଭାରତର ପରାଜୟ ପରେ ଆକ୍ସନ ମୋଡରେ ବିସିସିଆଇ । ଖୁବଶୀଘ୍ର ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ବିସିିସିଆଇ ବାଛିପାରେ ନୂଆ କୋଚ୍ । ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏନେଇ ଘୋଷଣା ହୋଇପାରେ । ଏପରିକି ବିସିସିଆଇ ପକ୍ଷରୁ ହେଡ୍ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍, ଫିଲ୍ଡିଂ କୋଚ୍, ଫିଜିଓଥେରାପିଷ୍ଟ, ଷ୍ଟ୍ରେଂଥ ଆଣ୍ଡ କଣ୍ଡିସନିଂ କୋଚ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ମ୍ୟାନେଜର ପଦ ପାଇଁ ଆବେଦନ ମଗାଯାଇଛି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବିଶ୍ୱକପ ଶେଷ ହେବା ପରେ ସମାପ୍ତ ହୋଇଯାଇଛି । କିନ୍ତୁ ୱେଷ୍ଟଇଣ୍ଡିଜ୍ ଗସ୍ତକୁ ନଜରରେ ରଖି ତାଙ୍କ କାର୍ଯ୍ୟକାଳକୁ ଆଉ ୪୫ ଦିନ ପାଇଁ ବୃଦ୍ଧି କରାଯାଇଛି ।

ଯଦି ରବି ଶାସ୍ତ୍ରୀ ପୁଣି ଥରେ ଟିମ୍ ଇଣ୍ଡିଆର କୋଚ୍ ହେବା ପାଇଁ ଇଚ୍ଛା କରିବେ ତେବେ ଏଥିପାଇଁ ତାଙ୍କୁ ଆଉଥରେ ଆବେଦନ କରିବାକୁ ପଡିବ । ତେବେ ଚଳିତ ବିଶ୍ୱକପ ହାରିବା ପରେ ରବି ଶାସ୍ତ୍ରୀଙ୍କୁ ପୁଣି ଥରେ କୋଚ୍ ଦାୟିତ୍ୱ ମିଳୁଛି କି ନାହିଁ ତାହା ଉପରେ ମଧ୍ୟ ନଜର ରହିବ । ୨୦୧୭ ମସିହାରେ ଅନୀଲ କୁମ୍ବଲେଙ୍କ ସ୍ଥାନ ନେଇଥିଲେ ରବି ଶାସ୍ତ୍ରୀ । ତାଙ୍କ କୋଚିଙ୍ଗ ସମୟରେ ଭାରତୀୟ ଟିମ୍ ଆଇସିସିର କୌଣସି ବଡ ଟୁର୍ଣ୍ଣାମେଂଟ ଜିତିପାରିନାହିଁ । ଆଉ ଏଥିରେ ବିଶ୍ୱକପ୍ ବି ସାମିଲ ଅଛି । ହେଲେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଛି ।