ଗୋମାଂସ ଖାଇବେନି ଭାରତୀୟ ଖେଳାଳି ! ଅଷ୍ଟ୍ରେଲିଆ ଗସ୍ତରେ ଗୋମାଂସକୁ ମେନ୍ୟୁରୁ ବାଦ୍ ଦେବାକୁ ଅଷ୍ଟ୍ରେଲିଆକୁ ବିସିସିଆଇର ସୁପାରିଶ ।

539

କନକ ବ୍ୟୁରୋ : ଗୋମାଂସ ଖାଇବେନି ଭାରତୀୟ ଖେଳାଳି । ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଥିବା ଭାରତୀୟ କ୍ରିକେଟ୍ ଟିମର ଖେଳାଳିଙ୍କ ଖାଦ୍ୟ ତାଲିକାରୁ ବାଦ୍ ପଡିବ ଗୋମାଂସ । ଟିମ୍ ଇଣ୍ଡିଆର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରସ୍ତୁତି ବିଷୟରେ ଅନୁଧ୍ୟାନ କରିବାକୁ ବିସିସିଆଇର ପ୍ରତିନିଧି ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି । ଏହି ଦୁଇ ଜଣିଆ ଟିମ୍ ସମସ୍ତ ପ୍ରସ୍ତୁତି ବ୍ୟବସ୍ଥା ଦେଖିବା ସହ ଖେଳାଳିଙ୍କ ଖାଦ୍ୟ ବ୍ୟବସ୍ଥା ସଂପର୍କରେ ମଧ୍ୟ ଯାଂଚ କରିଛନ୍ତି । ଭାରତୀୟ କ୍ରିକେଟ୍ ଖେଳାଳିଙ୍କ ଖାଦ୍ୟ ତାଲିକାରୁ ଗୋମାଂସକୁ ବାଦ୍ ଦେବାକୁ ଏହି ପ୍ରତିନିଧି ଦଳ ଆୟୋଜକ ଦେଶ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡକୁ ସୁପାରିଶ କରିଛନ୍ତି ।

ମେନ୍ୟୁରୁ ଗୋମାଂସକୁ ବାଦ୍ ଦେବା ସହ ବିସିସିଆଇ ଓ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟରେ ଚୁକ୍ତିରେ ମଧ୍ୟ ଏହାକୁ ସର୍ତ ରୂପେ ସ୍ଥାନିତ କରିବାକୁ ବିସିସିଆଇର ପ୍ରତିନିଧି ସୁପାରିଶ କରିଛନ୍ତି । ଏହା ସହ ଖାଦ୍ୟ ମେନ୍ୟୁ ସଂପର୍କରେ ସୁନିଶ୍ଚିତ କରିବା ପାଇଁ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆକୁ ଅନୁରୋଧ କରିଛି ବିସିସିଆଇ । ଗତ ଇଂଲଣ୍ଡ ଗସ୍ତରେ ଭାରତୀୟ ଖେଳାଳିଙ୍କୁ ମଧ୍ୟାହ୍ନ ଭୋଜନରେ ଗୋମାଂସରୁ ପ୍ରସ୍ତୁତ ପାସ୍ତା ପରଶା ଯାଇଥିଲା । ବିସିସିଆଇ ଅଫିସିଆଲ ଟ୍ୱିଟର ଆକାଉଁଟରେ ଏହାର ଏକ ଫଟୋ ପ୍ରକାଶିତ ହେବା ପରେ ଦେଶରେ ଏ ନେଇ ଝଡ ଉଠିଥିଲା । କ୍ରିକେଟ୍ ପ୍ରେମୀମାନେ ବିଭିନ୍ନ ସ୍ଥାନରେ ଏହାକୁ ନେଇ ବିକ୍ଷୋଭ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ଏଥର ଖାଦ୍ୟ ତାଲିକାରୁ ଗୋମାଂସ ବାଦ୍ ଦେବା ପାଇଁ ପୂର୍ବରୁ ସୁନିଶ୍ଚିତ କରିଛି ବିସିସିଆଇ ।