ଜନ୍ମରୁ ମୃତ୍ୟୁ କାହା ପାଇଁ ଏ ଯୋଜନା? ମାଟିର ଘରକୁ ଉଜାଡ଼ି ଦେଇଥିଲା ଝଡ଼, ୨ବର୍ଷ ବିତିଯାଇଥିଲେ ବି ପହଁଚି ପାରୁନି ପ୍ରଶାସନ । ପଲିଥିନ୍ ତଳେ ପେଟ ପୋଷୁଛନ୍ତି ୭ ପ୍ରାଣୀ

371

କନକ ବ୍ୟୁରୋ: ଜନ୍ମରୁ ମୃତ୍ୟୁ ଯାଏଁ ଯୋଜାନ ପରେ ଯୋଜନା କରୁଛନ୍ତି ସରକାର । ଯୋଜନା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ହେଲେ ଅନେକ ଅସହାୟ ବ୍ୟକ୍ତିଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଂଚି ପାରୁନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ଯାହାକୁ ଦେଖିବା ପରେ ସରକାରଙ୍କ ତମାମ୍ ଯୋଜନାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ନା କବାଟ ଅଛି ନା ଝରକା । କାଂଥ ଅଛି ନା ଛପର, କିଛି ନାହିଁ । ଦେଖିବା ମାତ୍ରେ ଏହାକୁ କଣ କହିବେ ଆପଣ? ଘର ନା କୁଡିଆ! ମାତ୍ର କେଇଁ ଖଣ୍ଡ ମାଟି ଅତଡ଼ା ଓ ବାଉଁଶକୁ ଭରସା କରି ମୁଣ୍ଡ ଉପରେ ଅଛି ପଲିଥିନ । ଆଉ ତା’ ତଳେ ରୁହନ୍ତି ମୟୂରଭଞ୍ଜ ସୁଳିଆପଦା ବ୍ଲକ ଆଦିଆମରା ଗାଁର ଦୁଃଖୀ ଜତିନୀ ସିଂଙ୍କ ପରିବାର । ସ୍ୱାମୀ ଅସୁସ୍ଥ, ଶ୍ୱଶୁରଙ୍କୁ ମାଡି ବସିଲାଣି ବାର୍ଦ୍ଧକ୍ୟ । ୨ ବର୍ଷ ତଳେ ଏକ ଝଡ ବର୍ଷାରେ ମାଟି ଘର ମାଟିରେ ମିଶିଯାଇଛି । ଆଉ ଏହାରି ଭିତରେ ପର ଘରେ ମୁଲ ଲାଗି ୪ ପିଲା, ଶ୍ୱଶୁର ଓ ସ୍ୱାମୀଙ୍କ ମୁହଁରେ ଦାନା ଦେଉଥିବା ଜତିନୀଙ୍କ ସମସ୍ୟା ତାଙ୍କ କୋହଭରା କଂଠରୁ କୁହନ୍ତି ସରକାରୀ ସହାୟତା ତାଙ୍କ ପାଇଁ ସାତ ସପନ । ସତେ ଯେମିତି ଗରିବ ଘରେ ଜନ୍ମ ନେଇ ପାପ କରିଛୁ ଦଇବ ସହ ପ୍ରଶାସନ ବି ଆଖି କଡ଼ରେ ଅନାଉନାହିଁ ।

ଝଡରେ ଝାଟି ମାଟିର ଘରଟି ମାଟିରେ ମିଶିବା ପରେ ସରାକରୀ ଆବାସ ଯୋଜନାରେ ଘରଟିଏ ପାଇଁ ୱାଡ଼ ମେମ୍ବରଙ୍କ ଠାରୁ ପ୍ରଶାସନିକ ଅଧିକାରୀ, ସମସ୍ତଙ୍କୁ ଜଣାଇ ନିରାସ ହେବା ପରେ ଏମିତି ରୁହନ୍ତି ତାଙ୍କ ପରିବାର । ୨ ନାତୀଙ୍କୁ ଧରେ ଜେଜେବାପା ପାଇଖାନା ଘରେ ରାତି କାଟୁଥିବା ବେଳେ ଆଉ ୨ ଛୁଆଙ୍କୁ ଧରି ଜତିନୀ ଓ ତାଙ୍କ ସ୍ୱାମୀ ଏଇ ପଲିଥିନ ତଳେ ରାତି କାଟନ୍ତି । ସେପଟେ ଏବାବଦରେ ସୁଳିଆପଦା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଆମ ପ୍ରତିନିଧି ଅବଗତ କରାଇବା ପରେ ସେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରକାର କହୁଛନ୍ତି ସବୁ ବେଳେ ସବୁ କ୍ଷେତ୍ରରେ ଲୋକଙ୍କ ପାଖରେ ଅଛନ୍ତି । ହେଲେ ଜତିନୀଙ୍କ ଦୁଃଖ ଦୁର୍ଦଶା ଦେଖିବା ପରେ ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠିବା ସ୍ୱଭାବିକ?