ମହାନାଟକ ପାଇଁ ପ୍ରସ୍ତୁତି: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା, ପ୍ରସ୍ତୁତ ହେଉଛି ଗୋପପୁର; ସ୍ଥାପନ ହେଲା ଶୁଭଖୁଂଟି, ଚାଲିବ ଅଭିନୟ ଅଭ୍ୟାସ

ଚର୍ଚ୍ଚାରେ କୃଷ୍ଣ, ବଳରାମ ଓ ରାଧା ଭୂମିକାରେ ଆସୁଥିବା ଆୟୁଷ, ଆଶୁତୋଷ ଓ ଶ୍ରୀୟାଂଶୀ

208

କନକ ବ୍ୟୁରୋ: ଦିନକୁ ଦିନ ପାଖଉଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । କଂସ ମହାରାଜଙ୍କ ଅଟହାସ୍ୟରେ କମ୍ପିବ ମଥୁରା ନଗରୀ, କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବା ପାଇଁ ଅପେକ୍ଷା କରିଛନ୍ତି ବରଗଡ ଅମ୍ବାପାଲି ତଥା ଗୋପପୁର ବାସିନ୍ଦା । ଏଥିପାଇଁ ଆଦ୍ୟପର୍ବ ଶୁଭସ୍ତମ୍ବ ସ୍ଥାପନ ହୋଇଛି । ଅମ୍ବାପାଲି ସ୍ଥିତ ସମଲେଶ୍ୱରୀ ମନ୍ଦିରରେ ମାଆଙ୍କ ପୂଜାର୍ଚ୍ଚନା କରିବା ପରେ ଏକ ଭବ୍ୟ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲା । ପରେ ବୃନ୍ଦାବନ ପଡ଼ିଆରେ ପହଂଚିଥିଲା ବିରାଟ ପଟୁଆର । ଏହାପରେ ଗୋପପୁର କମିଟି ସଭାପତି ତଥା ଉପ ଜିଲ୍ଲାପାଳ ଶୁଭସ୍ତମ୍ବ ସ୍ଥାପନ କରିଛନ୍ତି ।

 

ଆସନ୍ତା ୩୧ ତାରିଖରୁ ବରଗଡର ମୁକ୍ତାକାଶ ରଂଙ୍ଗମଂଚରେ ମଂଚସ୍ଥ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ଯୋରସୋରରେ ପ୍ରସ୍ତୁତି କରୁଛନ୍ତି ଉଭୟ ଗୋପପୁର ଓ ମଥୁରା ନଗରି ବାସିନ୍ଦା । ଧନୁଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଗୋପପୁର ପାଲଟୁଥିବା ଅମ୍ବାପାଲିରେ ଶୁଭସ୍ତମ୍ବ ସ୍ଥାପନ କରାଯାଇଛି । ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ କୃଷ୍ଣ, ବଳରାମ ଓ ରାଧା ଭୁମିକାରେ ମଭିନୟ କରୁଥିବା କଳାକାରଙ୍କୁ ବରଣ କରାଯାଇଛି । ପରେ ମନ୍ଦିରରୁ ଘଂଟ ବାଦ୍ୟ, ସଂକୀର୍ତନର ତାଳେ ତାଳେ ଏକ ଭବ୍ୟ ଶୋଭାଯାତ୍ରା ଗାଁ ପରିକ୍ରମା କରି ଯମୁନା ପାଲଟୁଥିବା ଜୀରା ନଦୀ ତୁଠ ବୃନ୍ଦାବନ ପଡ଼ିଆରେ ଶୁଭସ୍ତମ୍ଭ ସ୍ଥାପନ ହୋଇଛି ।

ଶୁଭସ୍ତମ୍ଭ ସ୍ଥାପନ ହେବା ପରେ ଗୋପପୁର ପାଲଟୁଥିବା ଅମ୍ବାପାଲି ଗ୍ରାମବାସୀ କୃଷ୍ଣପ୍ରେମରେ ମଜ୍ଜି ଯାଇଥାନ୍ତି । ଗାଁରେ ଆମିଷ ବାରଣ କରାଯାଇଥାଏ । ଏବେ ଠାରୁ ଯାତ୍ରାକୁ ନେଇ ଗୋପପୁରରେ ଉତ୍ସାହ ଲାଗିରହେ । କୃଷ୍ଣ, ବଳରାମ, ରାଧା ଏବଂ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରୁଥିବା କଳାକାରମାନେ ଯାତ୍ରା ପାଇଁ ଅଭ୍ୟାସ କରନ୍ତି । ଗତବର୍ଷ କୃଷ୍ଣ ଭୁମିକାରେ ଅଭିନୟ କରିଥିବା ଆୟୁଷ, ବଳରାମ ଭୁମିକାରେ ଆଶୁତୋଷ ଓ ରାଧା ଭୁମିକାରେ ଶ୍ରୀୟାଂଶୀ ମହାପାତ୍ର ଚଳିତବର୍ଷ ମଧ୍ୟ ଅଭିନୟ କରିବେ । ବିଗତବର୍ଷ ଅପେକ୍ଷା ଏବର୍ଷ ଉନ୍ନତ କଳା ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କଳାକାରମାନେ ।ଧନୁଯାତ୍ରା ଯେତିକି ପାଖେଇ ଆସୁଛି ମଥୁରା ଓ ଗୋପପୁରରେ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି ।