ବରଗଡ଼ ରାଜନୀତିରେ ଅପହରଣ ନାଟକ । ଜିଲ୍ଲା ପରିଷଦକୁ ନେଇ ବଡ଼ଧରଣର ଛକାପଞ୍ଝା । ସୁଯୋଗ ଖୋଜୁଛି ବିଜେଡି, ବିଜେପି ଟଳମଳ ?

332

କନକ ବ୍ୟୁରୋ : ରାଜନୀତିର ଅପହରଣ ନାଟକ । ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖାଯାଇଥିବା ନେଇ ବିଜେପିର ଅଭିଯୋଗ ଆଣିବା ଘଟଣାରେ ଆସିଛି ନୂଆମୋଡ । ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ସଦସ୍ୟାମାନେ । କହିଛନ୍ତି ସେମାନଙ୍କୁ କେହି ଅପହରଣ କରିଆଣି ନାହାନ୍ତି । ସେମାନେ ନିଜ ଇଚ୍ଛାରେ ଭୁବନେଶ୍ୱର ଆସିଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବିଜେପି ଆଣିଥିବା ଅଭିଯୋଗ ମିଛ ବୋଲି ସେମାନେ କହିଛନ୍ତି । ସେମାନେ ବିଜେପିରୁ ଇସ୍ତଫା ଦେଇ ଗତ ମାର୍ଚ୍ଚ ମାସରେ ବିଜେଡିରେ ସାମିଲ ହୋଇଥିବା ସୂଚନା ଦେଇଛନ୍ତି ।

ବରଗଡ଼ ରାଜନୀତିରେ ଅପହରଣ ନାଟକ? ଜିଲ୍ଲା ପରିଷଦକୁ ନେଇ ବଡ଼ଧରଣର ଛକାପଞ୍ଝା । ସୁଯୋଗ ଖୋଜୁଛି ବିଜେଡି, ବିଜେପି ଟଳମଳ ? ପଂଚାୟତ ନିର୍ବାଚନକୁ ଦୁଇ ବର୍ଷ ବି ପୂରିନି, ହେଲେ ବଦଳିଯାଇଛି ବରଗଡ଼ ରାଜନୀତିର ଦୃଶ୍ୟପଟ୍ଟ । ବିଜେପି କବଜାରେ ଥିବା ବରଗଡ଼ ଜିଲ୍ଲା ପରିଷଦ ଏବେ ଟଳମଳ । ବିଜେପି ଟିକେଟରୁ ନିର୍ବାଚିତ ହୋଇଥିବା ୯ଜଣ ସଦସ୍ୟ ବିଜେଡିରେ ସାମିଲ ହେବା ପରେ ଯେଉଁ ନାଟକ ଆରମ୍ଭ ହୋଇଥିଲା, ତାହା ଏବେ ଏକ ଭିନ୍ନ ମୋଡ଼ ନେଇଛି, ଯେତେବେଳେ ଅପହରଣର ଅଭିଯୋଗ ଆସିଛି । ବିଜେପି ଅଭିଯୋଗ କରିଛି ଦଳର ସଦସ୍ୟକୁ ଅପହରଣ କରିନେଇଛି ବିଜେଡି । ଏପଟେ ସଂପୃକ୍ତ ଜିଲ୍ଲା ପରିଷଦ ସଦସ୍ୟା, ପାଲଟା ବିଜେପି ନାଁରେ ଆଣିଛନ୍ତି ସାଂଘାତିକ୍ ଅଭିଯୋଗ ।

ଗତ ପଂଚାୟତ ନିର୍ବାଚନରେ ବରଗଡ଼ ଜିଲ୍ଲା ପରିଷଦର ମୋଟ୍ ୩୪ଟି ଜୋନରୁ ବିଜେପି ୨୫ଟି ଆସନ ଜିତି ଜିଲ୍ଲା ପରିଷଦ ଗଠନ କରିଥିଲା । ଆଉ ବିଜେଡି ମାତ୍ର ୯ଟି ଜୋନରେ ସୀମିତ ରହିଥିଲା । ହେଲେ ଗତ ମାର୍ଚ୍ଚ ମାସରେ ବିଜେପିର ୯ ଜଣ ସଦସ୍ୟ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ଆଉ ତା’ ପରଠୁ ବଦଳିଯାଇଛି ପୁରା ଚିତ୍ର । ଏବେ ବିଜେଡି ପାଖରେ ୧୮ ସଦସ୍ୟ ଥିବା ବେଳେ ୧୬କୁ ଖସି ଆସିଛି ବିଜେପିର ସଂଖ୍ୟା । ଆଉ ଏହି ସଂଖ୍ୟା ଗଣିତ ଅନାସ୍ଥା ଚର୍ଚ୍ଚାକୁ ବଢ଼ାଇ ଦେଇଛି ।

ଆଉ ଏସବୁ ଭିତରେ ଯେଉଁ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା, ସେହି ୯ଜଣ ସଦସ୍ୟ ଏବେ ଭୁବନେଶ୍ୱରରେ ପହଂଚିଛନ୍ତି ।

ବରଗଡ଼ ଜିଲ୍ଲା ପରିଷଦ (୩୪)
ବିଜେପି ୨୫
ବିଜେଡି ୦୯

ବର୍ତ୍ତମାନ ଜିଲ୍ଲା ପରିଷଦର ସ୍ଥିତି
ବିଜେଡି ୧୮
ବିଜେପି ୧୬
ଜିଲ୍ଲା ପରିଷଦ ଗଠନ ସଂଖ୍ୟା ୧୮