ରୋଚକ ସ୍ଥିତିରେ ବରଗଡ଼ ଲୋକସଭା ଆସନ । ବିଜେଡି-ବିଜେପିର ପୁରୁଖା ନେତାଙ୍କ ସହ ଲଢ଼ିବେ କଂଗ୍ରେସର ନୂଆ ମୁହଁ ।

424

କନକ ବ୍ୟୁରୋ: ରୋଚକ ମୋଡ଼ରେ ବରଗଡ଼ ରାଜନୀତି । ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହେବ କଡ଼ା ମୁକାବିଲା । କାରଣ ତିନି ଦଳ ପକ୍ଷରୁ ଗତ ୨୦୧୪ରେ ଟିକେଟ୍ ପାଇ ବରଗଡ଼ ଲୋକସଭା ଆସନରେ ଲଢ଼ିଥିବା ପ୍ରାର୍ଥୀଙ୍କୁ ଦଳ ପ୍ରତ୍ୟାଖାନ କରି ପ୍ରାର୍ଥୀ ବଦଳାଇଛି । ଯାହାକୁ ନେଇ ବରଗଡ଼ରେ ରୋଚକ ସ୍ଥିତି ଦେଖିବାକୁ ମିଳୁଛି । ବିଜେଡିର ତରଫରୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ତରଫରୁ ପ୍ରଦୀପ କୁମାର ଦେବତା ଓ ବିଜେପି ପକ୍ଷରୁ ବରିଷ୍ଠ ନେତା ସୁରେଶ ପୂଜାରୀଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।

ଆସନ୍ତା ୧୮ ତାରିଖରେ ହେବାକୁଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ସେଥିପାଇଁ ସେନାପତି ବାଛିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି-ବିଜେପି ଓ କଂଗ୍ରେସ । ତେବେ କିଏ ଏଠାରୁ ବାଜି ମାରିବ ତାହାକୁ ନେଇ ବଳ କଷାକଷି ଦେଖିବାକୁ ମିଳିଛି । ତେେବେ ୨୦୧୪ରେ ବିଜେଡି ପାଇଁ ବିଜୟ ସ୍ୱାଦ ନେଇଥିବା ପ୍ରଭାସ ସିଂହଙ୍କୁ ଦଳ ଟିକେଟ୍ ନଦେଇ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏହି ଲୋକସଭା ଆସନ ପାଇଁ ଟିକେଟ୍ ଦେଇଛି । ହେଲେ ବିଜେଡିର ଏହି ପରିବର୍ତ୍ତନ ଦଳକୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରଭାସ ସିଂହ ପୂର୍ବରୁ ଦଳପତିଙ୍କ ନିଷ୍ପତିକୁ ସମ୍ମାନ ଜଣାଇବେ ବୋଲି ସହମତି ପ୍ରକାଶ କରିଛନ୍ତି । ଏହାର ଅର୍ଥ ପ୍ରସନ୍ନଙ୍କୁ ପ୍ରଭାସ ସମର୍ଥନ କରି ବିଜେଡି ପାଇଁ ବିଜୟ ରାସ୍ତା ସହଜ କରିବେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ବିଜେପି ପାଇଁ ଏହି ଆସନ ଏବେ ଚକ୍ରବ୍ୟୁହ ପାଲଟିଥିବା ଶୁଣିବାକୁ ମିଳୁଛି । କାରଣ ଏହି ଲୋକସଭା ଆସନ ପାଇଁ ବିଜେପିର ଗତଥର ପ୍ରାର୍ଥୀ ସୁବାଷ ଚୌହାନଙ୍କୁ ଟିକେଟ୍ ନଦେଇ ସମ୍ବଲପୁର ଲୋକସଭା ଆସନ ପାଇଁ ପୂର୍ବଥର ଲଢ଼ିଥିବା ବିଜେପି ନେତା ସୁରେଶ ପୂଜାରୀଙ୍କୁ ପାଇଁ ବାଛିଛନ୍ତି ଦଳପତି । ଯାହାକୁ ନେଇ ସୁବାଷଙ୍କ ସମର୍ଥକମାନେ ଏବେ ସ୍ଥାନୀୟ ଅଞ୍ଚଳରେ ହଙ୍ଗାମା କରୁଥିବା ଦେଖିବାକୁ ମିଳିଛି । କାରଣ ଗତଥର ବିଜେଡିକୁ କଡ଼ା ମୁକାବିଲା ଦେଇ ୩ଲକ୍ଷ ୭୨ହଜାର ୫୪ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ସୁବାଷ । କିନ୍ତୁ ଅନ୍ୟ ଜିଲ୍ଲାରୁ ନେତାଙ୍କୁ ଆଣି ବରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଇବା ନେଇ ବରଗଡ଼ ବିଜେପିରେ ବିଦ୍ରୋହ ଆରମ୍ଭ ହୋଇଛି ।

ଅନ୍ୟପଟେ ବରଗଡ଼ ଲୋକସଭା କ୍ଷେତ୍ରପାଇଁ କଂଗ୍ରେସ ଏଥର ନୂଆ ଚେହେରାକୁ ସୁଯୋଗ ଦେଇଛି । ଗତ ୨୦୧୪ ଲୋକସଭା ନିର୍ବାଚନରେ ୨ଲକ୍ଷ ୭୪ ହଜାର ୬୧୦ ଖଣ୍ଡ ଭୋଟ୍ ପାଇଥିବା କଂଗ୍ରେସ ପ୍ରାର୍ଥୀ ସଂଜୟ ଭୋଇଙ୍କୁ ଦଳ ବାଦ୍ ଦେଇ ଦଳ ପ୍ରଦୀପ କୁମାର ଦେବତାଙ୍କୁ ଟିକେଟ୍ ଦେଇଛି । ତେବେ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ କହିବା ମୁତାବକ ପ୍ରଦୀପ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ପୂର୍ବରୁ ଛାତ୍ରନେତା ଭାବେ ବରଗଡ଼ରେ ବେଶ୍ ଜଣାଶୁଣା । ଏପରିକି ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳର ଦାବିକୁ ନେଇ ସ୍ୱର ଉଠାଇ ଲୋକଙ୍କ ସହିତ ଜଡ଼ିତ ରହିଛନ୍ତି ପ୍ରଦୀପ । କିନ୍ତୁ ରାଜନୈତିକ କ୍ଷେତ୍ରରେ ସଂଜୟଙ୍କ ଠାରୁ ତାଙ୍କର ଅଭିଜ୍ଞତା କମ୍ ରହିଛି । ତେଣୁ ସଂଜୟଙ୍କ ବଦଳରେ କାହିଁକି ତାଙ୍କୁ ଟିକେଟ୍ ଦିଆଗଲା ସେନେଇ ଏବେ ବରଗଡ଼ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ ଲାଗି ରହିଛି । ଏପରି ସ୍ଥଳେ ଏବେ ଉଭୟ ବିଜେପି ଓ କଂଗ୍ରେସର ରାଜନୀତି ପାଣିପାଗ ଗୋଳିଆ ହେବାରେ ଲାଗିଛି ।